୪୧ଂ ଟପିଲା ଟିଟିଲାଗଡ଼

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗତକାଲି ଅପେକ୍ଷା ଆଜି ସବୁଠି ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୪ଟି ସହରର ତାପମାତ୍ରା ୪୦ ଡିଗ୍ର୍ରି ପାର ହୋଇଥିବା ବେଳେ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ତାପମାତ୍ରା ୪୧.୫ ଡିଗ୍ରି ରହିଥିଲା, ଯାହାକି ଚଳିତ ବର୍ଷର ସର୍ବୋଚ୍ଚ। ପ୍ରଥମ ଥର ଲାଗି ରାଜ୍ୟର କୌଣସି ସ୍ଥାନର ତାପମାତ୍ରା ୪୧ ଡିଗ୍ରି ଟପିଛି। ଟିଟିଲାଗଡ଼ ମଧ୍ୟ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଉତ୍ତପ୍ତ ସହରରେ ପରିଣତ ହୋଇଛି। ବିଦର୍ଭର ଆକୋଲାଠାରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୧.୬ ଡିଗ୍ରି ରେକର୍ଡ କରାଯାଇଥିବା ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଓଡ଼ିଶା ଏବେ ତତଲା ପାଲଟିଛି। ଏଠାରେ ସମସ୍ତ ସହରର ତାପମାତ୍ରା ୩୮ ଡିଗ୍ରି ଉପରକୁ ଚାଲିଯାଇଛି। ଉପକୂଳ ଓଡ଼ିଶାରେ ବି ତାତି ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ୨୯ ଓ ୩୦ ତାରିଖ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ହିଟ୍‌େଓ୍ଵଭ୍‌। ଖୋର୍ଧା ସମେତ ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ବଲାଙ୍ଗୀର, କଟକ, ସୋନପୁରରେ ତାପମାତ୍ରା ୪୦ ଡିଗ୍ରି ଟପିବାର ଆଶଙ୍କା ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ତାତି ଲାଗି ରହିବ। ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ ଆକଳନ କହୁଛି ୨୯ ଓ ୩୦ ତାରିଖରେ ୧୧ଟି ଜିଲ୍ଲାର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଝାଞ୍ଜି ପବନ ବାଡ଼େଇବ। ପୂର୍ବାହ୍ନ ୧୧ଟା ପରେ ଟାଣ ଖରା ହେବ। ଅପରାହ୍ନ ଯାଏ ଏଭଳି ସ୍ଥିତି ଜାରି ରହିବ। ପଶ୍ଚିମ ଦିଗରୁ ପବନ ହେଉଥିବାରୁ ତାତି ହେଉଛି। ୩୧ ତାରିଖ ବେଳକୁ ପାଗରେ ପରିବର୍ତନ ଆସିବ। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ପ୍ରଭୃତି ଜିଲ୍ଲାରେ କାଳବୈଶାଖୀ ହୋଇପାରେ। ବର୍ଷା ସାଙ୍ଗକୁ ଗୋଟିଏ ଦୁଇଟି ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ବୋହିବାର ଆଶଙ୍କା ରହିଛି। ଏପ୍ରିଲ ୪ ପର୍ଯ୍ୟନ୍ତ କାଳବୈଶାଖୀର ଆଶଙ୍କା ରହିଛି।
ଟିଟିଲାଗଡ଼ ସମେତ ୧୯ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। ସୋନପୁରରେ ୪୦.୪ ଡିଗ୍ର୍ରି ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୪୦.୨, ବଲାଙ୍ଗୀରରେ ୪୦.୧, ହୀରାକୁଦରେ ୩୯.୯, ଅନୁଗୁଳରେ ୩୯.୭, ସମ୍ବଲପୁରରେ ୩୯.୨, ଝାରସୁଗୁଡ଼ାରେ ୩୯, ଢେଙ୍କାନାଳ, ତାଳଚେର ଓ ବାଲେଶ୍ୱରରେ ୩୮.୮, ବାରିପଦାରେ ୩୮.୫, ଭୁବନେଶ୍ୱରରେ ୩୮.୨, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୩୮ ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର