ଅପରାହ୍ନ ୨ଟା ବେଳେ ଟିଟିଲାଗଡ଼ରେ ପହଞ୍ଚିବ ରୟନାପଡୁରୁ ଆସୁଥିବା ଟ୍ରେନ୍, ଫେରୁଛନ୍ତି ୧୨୦୦ ଜଣ ପ୍ରବାସୀ ଓଡ଼ିଆ

ଟିଟିଲାଗଡ଼: ଗତକାଲି ଆନ୍ଧ୍ର ପ୍ରଦେଶର ରୟନାପଡୁରୁ ଯେଉଁ ଟ୍ରେନ୍ ଯାତ୍ରା ଆରମ୍ଭ କରିଥିଲା, ତାହା ଆଜି ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବ ବୋଲି ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଟ୍ରେନ୍ ଆଜି ଅପରାହ୍ନ ୨ଟା ବେଳେ ଟିଟିଲାଗଡ଼ରେ ପହଞ୍ଚିବ। ଏଥିରେ ୧୨୦୦ ଜଣ ପ୍ରବାସୀ ଓଡ଼ିଆ ଫେରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ୧୫ ଘଣ୍ଟିଆ କର୍ଫ୍ୟୁ ମଧ୍ୟରେ ଟିଟିଲାଗଡ଼ରେ ପହଞ୍ଚିଥିଲା ପ୍ରବାସୀ ଶ୍ରମିକ ଏକ୍ସପ୍ରେସ। ଏହି ଟ୍ରେନ୍‌ ପହଞ୍ଚିବା ପରେ ରାଜ୍ୟର ୨୮ ଗୋଟି ଜିଲ୍ଲାର ୧୨ଶହ ଶ୍ରମିକଙ୍କୁ ସ୍ୱତନ୍ତ୍ର ବସ୍‌ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଥିଲା। ‌ତେବେ ଆଜି ଆଉ ଏକ ଟ୍ରେନ୍‌ରେ ପ୍ରବାସୀ ଶ୍ରମିକ ଫେରୁଥିବାରୁ ପୁଣିଥରେ ଦିନ ୧୨ଟାରୁ ରାତି ୧୨ଟା ଯାଏ ୧୨ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି।
ରବିବାର ଏହି ସ୍ବତନ୍ତ୍ର ଶ୍ରମିକ ଟ୍ରେନର ଆଗମନକୁ ନେଇ ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା। ଏମିତିକି ସହରର ସବୁ ଦୋକାନବଜାର ଓ ଲୋକଙ୍କ ଚଳାଚଳକୁ ବନ୍ଦ ରଖାଯାଇ ସକାଳ ୯ଟାରୁ ୧୫ ଘଣ୍ଟିଆ କର୍ଫ୍ୟୁ ଜାରି କରିଥିଲା। ଦିନ ପ୍ରାୟ ସାଢ଼େ ୧ଟାରେ ମହାରାଷ୍ଟ୍ରର ପନଭେଲରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଧରି ଏହି ସ୍ୱତନ୍ତ୍ର ଟ୍ରେନ୍‌ ଟିଟିଲାଗଡ଼ ପହଞ୍ଚିଥିଲା। ୨୨ଟି ବଗି ଥିବା ଏହି ଟ୍ରେନ୍‌ରେ ପ୍ରାୟ ୧୨ଶହ ଶ୍ରମିକ ଫେରିଥିଲେ। ଟ୍ରେନ୍‌ ପହଞ୍ଚିବା ପରେ ଶ୍ରମିକମାନଙ୍କୁ ସୁରୁଖୁରୁରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ପ୍ରାଶାସନିକ ଅଧିକାରୀ, ପୁଲିସ ଓ ଆର୍‌ପିଏଫ୍‌ ଯବାନ ନିଜ କାମରେ ଲାଗିପଡ଼ିଥିଲେ। ସେଠାରୁ ଯେପରି କୌଣସି ଶ୍ରମିକ ଖସି ନ ପଳାଇବେ ସେଥିପାଇଁ ‌ସେମାନଙ୍କ ଉପରେ ନଜର ରଖିବାକୁ ସିସିଟିଭି କ୍ୟାମେରା ସହ ଡ୍ରୋନ କ୍ୟାମେରାର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା। ଟ୍ରେନରୁ ଜିଲ୍ଲାୱାରୀ ଶ୍ରମିକଙ୍କୁ ଓହ୍ଲାଇ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଯାଇଥିଲା। ପରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟପେୟର ପ୍ୟାକେଟ ନେଇ ସେମାନେ ନିଜ ଜିଲ୍ଲାରୁ ଆସିଥିବା ବସ୍‌ରେ ଚଢ଼ିଥିଲେ।

ସମ୍ବନ୍ଧିତ ଖବର