ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଗୁରୁବାର ରାତିରେ କାର୍ଯ୍ୟରତ ଡାକ୍ତର ଦିଲୀପ ପଟ୍ଟନାୟକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଗୁରୁବାର ରାତି ସାଢ଼େ ୯ଟାରେ ସ୍ଥାନୀୟ ସ୍ୱାଧୀନପଡ଼ା କିଛି ଯୁବକ ଜଣେ ଆସନ୍ନପ୍ରସବା ମହିଳାଙ୍କୁ ଡାକ୍ତରଖାନା ଆଣିଥିଲେ। ସେତେବେଳେ ଆଉଟଡୋରରେ ଡା. ଦିଲୀପ ପଟ୍ଟନାୟକ ଡ୍ୟୁଟିରେ ଥିଲେ। ସେ ମହିଳାଙ୍କ ବିପି ପରୀକ୍ଷା କରିବା ସହ ଅବସ୍ଥା ଠିକ ନଥିବା କହି ଡାକ୍ତରଖାନା ଭିତରକୁ ରୋଗୀଙ୍କୁ ନେବାକୁ କହି ନିଜେ ମଧ୍ୟ ରୋଗୀ ସହ ଯାଇଥିଲେ। ନର୍ସ ଡ୍ୟୁଟି ରୁମ୍ ନିକଟରେ ରୋଗୀଙ୍କ ସଂପର୍କୀୟମାନେ ତାଙ୍କ ସହ ଏଠାରେ ଠିକ୍ ଚିକିତ୍ସା କାହିଁକି ଦିଆଯାଉ ନାହିଁ, ଏଠାରେ ଅପରେସନ କାହିଁକି କରଯାଉ ନାହିଁ ବୋଲି ଡାକ୍ତରଙ୍କ ସହ ଯୁକ୍ତିତର୍କ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଉତ୍ତ୍ୟକ୍ତ ହୋଇ ଡାକ୍ତରଙ୍କ ଉପରକୁ ହାତ ଉଠାଇଥିଲା। ଏଥିରେ ଡା. ପଟ୍ଟନାୟକ ପିନ୍ଧିଥିବା ଚଷମା ତାଙ୍କ ନାକ କଡ଼ାରେ ବାଜି କ୍ଷତ ସୃଷ୍ଟି ହୋଇଥିଲା। ଏହା ପରେ ରୋଗୀଙ୍କ ସଂପର୍କୀୟମାନେ ରୋଗୀଙ୍କୁ ନେଇ ବଲାଙ୍ଗୀର ଚାଲି ଯାଇଥିଲେ। ଶ୍ରୀ ପଟ୍ଟନାୟକ ତାଙ୍କ ଉପରେ ଆକ୍ରମଣ ହୋଇଥିବା ବିଷୟରେ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଜାରି ରଖିଛି ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି। ଏନେଇ ବୁଦ୍ଧିଜୀବୀ ମହଲରୁ ମତ ଆସିଛି ଯେ, ଗୋଟିଏ ପଟେ ଟିଟିଲାଗଡ଼ ଡାକ୍ତରଖାନାରେ ପ୍ରଥମରୁ ଡାକ୍ତରଙ୍କ ସଂଖ୍ୟା ଅତି କମ ରହିଛି। ଅନ୍ୟପଟେ ଏପରି ଘଟଣା ଯୋଗୁଁ ଏହି ସହରକୁ ଅନ୍ୟ ଡାକ୍ତର ଆସିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି। ଏମିତିରେ ସହରବାସୀ ସଂଯମ ରକ୍ଷା କରି ଭଲ ଆଚରଣ ପ୍ରଦର୍ଶନ ନକଲେ ଆଗାମୀ ଦିନରେ ସହରର ସ୍ୱାସ୍ଥ୍ୟସେବାରେ ଆହୁରି ମଧ୍ୟ ବିଭ୍ରାଟ ସୃଷ୍ଟି ହେବା ଆଶଙ୍କା ରହିଛି।
ଟିଟିଲାଗଡ଼: କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ, ଥାନାରେ ମାମଲା
/sambad/media/post_attachments/wp-content/uploads/2019/10/gth5gd1h4874984ghdghdghdtghththgdhdghdghdgh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)