ବାତ୍ୟା ପ୍ରଭାବିତ ଜିଲ୍ଲାରେ ୧୫୪ଟି ସ୍ବାସ୍ଥ୍ୟାନୁଷ୍ଠାନ କ୍ଷତିଗ୍ରସ୍ତ

ଭୁବନେଶ୍ବର : ରାଜ୍ୟର ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୧୫୪ଟି ସ୍ବାସ୍ଥ୍ୟାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟ ଜିଲ୍ଲାରୁ ୫୪ଜଣ ଡାକ୍ତରଙ୍କୁ ପ୍ରଭାବିତ ଜିଲ୍ଲାରେ ମୁତୟନ କରାଯାଇଛି। ଏବେସୁଦ୍ଧା ୨୯ହଜାର ୧୫ଜଣଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିବା ବେଳେ ନିରାପଦ ପ୍ରସବ ଲାଗି ୨୭୨ଜଣ ଗର୍ଭବତୀଙ୍କୁ ମା’ଗୃହ ଓ ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ୧୯୩ଟି ସ୍ବାସ୍ଥ୍ୟ ସହାୟତା କେନ୍ଦ୍ର ବା ଏମ୍‌ଆରସିରେ ୮୬ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଟିମ୍ କାର୍ଯ୍ୟ କରୁଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକଙ୍କୁ ତୁରନ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗୁରୁତ୍ବ ଦେଇଛନ୍ତି।

ଆଜି ସଚିବାଳୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ‌ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଭାବିତ ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ତ୍ବରାନ୍ବିତ କରିବା ଉପରେ ଜୋର ଦିଆଯାଇଥିଲା। ବର୍ତମାନ ସୁଦ୍ଧା ୫୪୫୦ ପ୍ୟାକେଟ୍ ବ୍ଲିଚିଂ ପାଉଡର୍‌, ୧୨ଲକ୍ଷ ୩୦ ହଜାର ପ୍ୟାକେଟ୍ ଓଆରଏସ୍, ୮ଲକ୍ଷ ୫୮ହଜାର ୩୨ ହାଲୋଜେନ୍ ବଟିକା, ୨୫ଶହ ସାପକାମୁଡ଼ା ଇଞ୍ଜେକସନ୍ ଓ ୮୦ହଜାର ସାଲାଇନ୍ ପ୍ରଭାବିତ ଜିଲ୍ଲାକୁ ପଠାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। କୌଣସିଠାରେ ଯେପରି ମହାମାରୀ ନ ବ୍ୟାପେ ସେଥିପାଇଁ ଆବଶ୍ୟକ ପରିମାଣର ଔଷଧ ଓ ଇଞ୍ଜେକସନ୍ ଯୋଗାଇ ଦିଆଯାଇଛି।
ଏବେସୁଦ୍ଧା ୮୯ହଜାର ୨୮୨ହଜାର ଖୋଲା ପାନୀୟ ଜଳଉତ୍ସ ବିଶୋଧନ କରାଯାଇଥିବା ବେଳେ ୪୦୩୫ରୁ ଅଧିକ ଗ୍ରାମରେ ସଫେଇ କାର୍ଯ୍ୟ ହୋଇଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଗାଁଗୁଡ଼ିକୁ ସଫା କରିବା ଲାଗି ଗାଁ କଲ୍ୟାଣ ସମିତିଗୁଡ଼ିକ ସହଯୋଗ କରିବା ଲାଗି ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ରାଜ୍ୟସ୍ତରୀୟ ଅଧିକାରୀମାନେ ପ୍ରଭାବିତ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଅନୁଧ୍ୟାନ କରୁଛନ୍ତି।

ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମ‌ାର ମେହେର୍ଦା, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ସ୍ବତନ୍ତ୍ର ସଚିବ ଡା.ବି.କେ ବ୍ରହ୍ମା, ଡା.ମିର୍ଜା ନଇମ ବେଗ୍, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ହରପ୍ରସାଦ ପଟ୍ଟନାୟକ ଓ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ସ୍ବ‌ପ୍ନେଶ୍ବର ଗଡ଼ନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର