ଗୋପାଳପୁରରେ ତିତ୍‌ଲିର ତାଣ୍ଡବ : ୧୪୦ କିଲୋମିଟର ବେଗରେ ପବନ ବହୁଛି; ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ବ୍ରହ୍ମପୁର-ଗୋପାଳପୁର ରାସ୍ତା ବିଚ୍ଛିନ୍ନ

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ତିତ୍‌ଲି ଭୋର ୫ଟା ୨୫ ମିନିଟ୍‌ ସମୟରେ ଦକ୍ଷିଣ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ ମଧ୍ୟରେ ସ୍ଥଳଭାଗରେ ମାଡ଼ ହୋଇଛି। ପ୍ରବଳ ବର୍ଷା ଓ ୧୪୦ କିଲୋମିଟର ବେଗରେ ପବନ ସହ ତିତ୍‌ଲି ଗୋପାଳପୁରରେ ତାଣ୍ଡବ ଆରମ୍ଭ କରିଛି। ଯଦିଓ ପ୍ରଶାସନ ପକ୍ଷରୁ ପ୍ରବଳ ସର୍ତକତାମୂଳକ ଅବଲମ୍ବନ କରାଯାଇଛି ତଥାପି ଗଛ ଉପୁଡି ଗୋପାଳପୁର-ବ୍ର୍ରହ୍ମପୁର ରାସ୍ତା ବିଚ୍ଛିନ୍ନ ହୋଇଯାଇଛି। ଏହା ଆଗାମୀ ୨ ଘଣ୍ଟ ମଧ୍ୟରେ ସ୍ଥଳଭାଗକୁ ସମ୍ପୂର୍ଣ୍ଣ ଆସିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏହାର ବେଗ ୧୪୦ରୁ ୧୫୦ କିଲୋମିଟର ବେଗରେ ଥିବା ବେଳେ ଏହା ଆହୁରି ବଢ଼ି ୧୬୫ କିଲୋମିଟର ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି।

ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ପରେ ସାମୁଦ୍ରିକ ଝଡ଼ ତିତ୍‌ଲିର ରୂପ ନେଇଥିଲା। ତିତ୍‌ଲି କ୍ରମଶଃ ଜଳଭାଗରେ ଅଧିକ ସମୟ ରହି ଶକ୍ତି ସଂଗ୍ରହ କରିବା ସହ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଥିଲା। ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ଗୋପାଳପୁରଠାରେ ସ୍ଥଳଭାଗରେ ମାଡ଼ ହୋଇଛି। ଏବେ ଏହା ଏକ କର୍‌ର୍ଭ ନେଇ ଗାଙ୍ଗୀୟ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବ ବୋଲି ପାଣିପାଗ ବିଭାଗ କହିଥିବାରୁ ଏହା ସମଗ୍ର ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି କରିବ ବୋଲି କୁହାଯାଇଛି। ଆଜି ସକାଳେ ତିତ୍‌ଲି ଭୋର ୫ଟା ୨୫ ମିନିଟ୍‌ ସମୟରେ ଗୋପାଳପୁରଠାରେ ସ୍ଥଳଭାଗ ଛୂଇଁଛି। ସାମୁଦ୍ରିକ ଝଡ଼ ତିତ୍‌ଲିର ଆଖିର ଚତୁଃପାର୍ଶ୍ୱ ଅଞ୍ଚଳ ସ୍ଥଳଭାଗ ଛୁଇଁଥିବା ବେଳେ ସମଗ୍ର ତିତ୍‌ଲି ଜଳଭାଗ ଛାଡ଼ି ସମ୍ପୂର୍ଣ୍ଣ ସ୍ଥଳଭାଗକୁ ଆସିବା ପାଇଁ ଆହୁରି ୨ ଘଣ୍ଟା ଲାଗିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷେ ତିତ୍‌ଲି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାରେ ଲାଗିଛି।

ସେହିପରି ଗୋପାଳପୁର ଅଞ୍ଚଳରେ କେତେକ ଆଜବେଷ୍ଟ ଓ ଚାଳଛପର ଘରର ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ସେହିପରି ହାଇମାଷ୍ଟ ଲାଇଟ୍‌ ପୋଷ୍ଟ ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର