ପାଖେଇ ଆସିଲା ତିତଲି, ଗୋପାଳପୁର ଠାରୁ ଆଉ ୧୮୦ କିଲୋମିଟର ଦୂରରେ ରହିଛି
ନୂଆଦିଲ୍ଲୀ : ପାଖେଇ ଆସୁଛି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି। ଏହା ଏବେ ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରରେ ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହା ବର୍ତ୍ତମାନ ଘଣ୍ଟାକୁ ୧୫ କିଲୋମିଟର ବେଗରେ ସୁମୁଦ୍ର ଉପରେ ଗତି କରୁଛି। ତିତଲି ଆସନ୍ତାକାଲି ସକାଳ ୫.୩୦ ମିନିଟରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ କିଲୋମିଟର ଟପିପାରେ ବୋଲି ସ୍କାଇମେଟ କହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଉ ଏସବୁ ଭିତରେ ବାତ୍ୟାର କେନ୍ଦ୍ରସ୍ଥଳ ବା ‘ଆଖି’ ଦୃଶ୍ୟମାନ ହେଲାଣି । ତିତଲି ଆଖିର ପରିଧି ୧୫ କିଲୋମିଟର ରହିଛି । ଯଦିଓ ଏହି ଆଖି ପରିସର ସମ୍ପୂର୍ଣ୍ଣ ଶାନ୍ତ ରହିଛି ତେବେ ଏହାର ପ୍ରଭାବରେ ୨୫ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳ ପବନ ବହୁଛି । ତିତଲି ଆଖିର ୧୫ କିମି ପରିଧି ବାହାରେ ଭୟଙ୍କର ପବନ ବହୁଛି। ତେଣୁ ଏହା ଯେତେବେଳେ ଉପକୂଳ ଛୁଇଁବ ସେତେବେଳେ ଏହା ଭୟଙ୍କର ରୂପ ନେବ । ତେବେ ବାତ୍ୟାର ଆଖି ଉପକୂଳ ଛୁଇଁବା ବେଳେ କିଛି ସମୟ ପାଇଁ ଏହା ଶାନ୍ତ ରହିବ । ଗୁରୁବାର ସକାଳ ୫ଟା ୩୦ରେ ତିତଲି ଗୋପାଳପୁର ଠାରେ ଉପକୂଳ ଛୁଇଁବ ବୋଲି ଜଣାପଡ଼ିଛି।
ଏହି ଅତି ଭୟଙ୍କର ସାମୁଦ୍ରିକ ଝଡ଼କୁ ଦ୍ଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।