ଟିଟୋ ଲିଙ୍କ୍: ବଟକୃଷ୍ଣ ପାଣିଙ୍କ ଜାମିନ ଖାରଜ

କଟକ : କ୍ରାଇମବ୍ରାଞ୍ଚ ଏସଟିଏଫ୍ ଦ୍ବାରା ଗିରଫ ହୋଇଥିବା ଟିଟୋର ସହଯୋଗୀ ବଟୁ ଓରଫ ବଟକୃଷ୍ଣ ପାଣିଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବଟକୃଷ୍ଣଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଖାରଜ କରିଛନ୍ତି। ପୂର୍ବରୁ ୨୦୧୮, ଡିସେମ୍ବର ୧୭ରେ ବଟକୃଷ୍ଣଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା। ଏହାପରେ ପରିବର୍ତ୍ତିତ ପରିସ୍ଥିତିରେ ସେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଯେ ସହଅଭିଯୁକ୍ତ ସରୋଜକାନ୍ତ ପତିଙ୍କୁ ୨୦୧୯, ଜାନୁଆରି ୧୧ରେ ହାଇକୋର୍ଟ ଜାମିନ ମଞ୍ଜୁର କରି ସାରିଛନ୍ତି। ଏଥି ସହିତ ତାଙ୍କ ବିରୋଧରେ ବିଚାରାଧୀନ ମାମଲାରେ ନିମ୍ନ ଅଦାଲତରେ ୬ଜଣଙ୍କ ସାକ୍ଷ୍ୟ ଗ୍ରହଣ ସରିଛି ଓ ତାଙ୍କ ବିରୋଧରେ କିଛି ବୟାନରେ କିଛି ତଥ୍ୟ ନାହିଁ। ଏପରି ପରିସ୍ଥିତିରେ ତାଙ୍କୁ ଜାମିନ ପ୍ରଦାନ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଜାମିନ ଆବେଦନକୁ ବିରୋଧ କରାଯାଇ ସାକ୍ଷୀମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଦର୍ଶାଯାଇଥିଲା। ଏଥି ସହିତ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଡିଏସପି ଲେଖିଥିବା ଚିଠି ଉପସ୍ଥାପନ କରାଯାଇଥିଲା। ଆବେଦନକାରୀଙ୍କ ବିରୋଧରେ ଟେଣ୍ଡର ଫିକ୍ସିଂ ଓ ଷଡଯନ୍ତ୍ର ଅଭିଯୋଗ କରିଥିବା ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସରି ନାହିଁ ବୋଲି ଏସଟିଏଫ୍ ଚିଠିରେ ଉଲ୍ଲେଖ କରାଯାଇଥିଲା। ଏଥି ସହିତ ବେଗୁନିଆ ଥାନାର ଏକ ମାମଲାରେ ଆବେଦନକା‌ରୀଙ୍କ ବିରୋଧରେ ଆଇପିସିର ଦଫା ୪୫୮, ୨୯୪, ୩୨୩, ୩୫୪-ଖ, ୪୨୭, ୩୭୯, ୩୦୭, ୫୦୬ରେ ଚାର୍ଜସିଟ ଦାଖଲ ସରିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏସଟିଏଫ୍ ଆଇପିସର ଦଫା ୩୮୭, ୫୦୬, ୫୦୭, ୧୨୦-ଖ ଓ ଆର୍ମସ ଆକ୍ଟର ଧାରା ୨୫, ୨୬ରେ ମାମଲା ରୁଜୁ କରି ଟିଟୋର ବେଆଇନ କାରବାର ଓ ଟେଣ୍ଡର ଫିକ୍ସିଂରେ ସହଯୋଗ କରୁଥିବା ଅଭିଯୋଗରେ ବଟକୃଷ୍ଣ ଓ ସରୋଜଙ୍କୁ ୨୦୧୮, ଅଗଷ୍ଟ ୨୩ରେ ଗିରଫ କରିଥିଲା।

ସମ୍ବନ୍ଧିତ ଖବର