ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର୍ ଟିଟୋ ଆଜି କ୍ରାଇମ୍ବ୍ରାଞ୍ଚ ସ୍ପେସାଲ ଟାସ୍କଫୋର୍ସ (ଏସ୍ଟିଏଫ) ଆଗରେ ବିସ୍ଫୋରକ ତଥ୍ୟ ରଖିଛି। ତା’ ଅପରାଧ ସାମ୍ରାଜ୍ୟର କଳା ଟଙ୍କା ଓଲିଉଡ୍ ଚଳଚ୍ଚିତ୍ର ଓ କିଛି ଧାରାବାହିକ ନିର୍ମାଣରେ ବିନିଯୋଗ ହୋଇଛି ବୋଲି ସେ କହିଛି।
ଓଲିଉଡ୍ ଚଳଚ୍ଚିତ୍ର ‘ବିଶ୍ୱନାଥ’ ନିର୍ମାଣରେ ଟିଟୋ ଟଙ୍କା ନିବେଶ କରିଥିବା ଜଣାଯାଇଛି। ଏହି ଘଟଣା ଆଜି ପ୍ରଘଟ ହେବା ପରେ ଏହି ଚଳଚ୍ଚିତ୍ରର ସୁଟିଂ ବନ୍ଦ ହୋଇଯାଇଥିବା ବେଳେ ଏହାର ସହ ପ୍ରଯୋଜକ ଓ ଟେକ୍ନିସିଆନ୍ ଟିମ୍ ଚେନ୍ନାଇ ଫେରି ଯାଇଛନ୍ତି। ତେବେ ଏହି ଚଳଚ୍ଚିତ୍ରରେ କାର୍ଯ୍ୟରତ କଳାକାରମାନେ ଏ ସଂପର୍କରେ (ଟିଟୋ ଟଙ୍କା ନିବେଶ) କିଛି ଜାଣିନାହାନ୍ତି ବୋଲି ମତ ଦେଇଛନ୍ତି।
୪ ମାସ ପୂର୍ବେ କେନ୍ଦ୍ରାପଡ଼ା ବଡ଼ହାଟର ଏକ ଶିବ ମନ୍ଦିରରେ ଚଳଚ୍ଚିତ୍ର ‘ବିଶ୍ୱନାଥ’ର ମହୁରତ୍ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ନାୟକ/ନାୟିକା ସମ୍ବିତ, ଅବିନାଶ, ସମ୍ଭାବନା, ଓ ସଂଗୀତାଙ୍କ ସମେତ ବରିଷ୍ଠ କଳାକାର ମିହିର ଦାସ, ପଥ୍ଵୀରାଜ, ପ୍ରତିଭା, ସଂଳାପକାର ରଜନୀ ରଂଜନ, ସଂଗୀତ ନିର୍ଦେଶକ ଅଭିଜତ୍ ମଜୁମଦାର ଓ ଆଇଟମ୍ ଗାର୍ଲ ରେସମା ପ୍ରମୁଖ ଯୋଗ ଦେଇଥିଲେ। ଚୌଧୁରୀ ବିକାଶ ଦାସ ଓ ଅଭିନେତା ପିଣ୍ଟୁ ନନ୍ଦ ଏହି ଫଲ୍ମରେ ଅତିଥି କଳାକାର ଭାବେ କାର୍ଯ୍ୟ କରୁଛନ୍ତି। ଏଚ୍ଏମ୍ଟି ପ୍ରଡକ୍ସନ୍ର ପ୍ରଥମ ଅବଦାନ କୁହାଯାଉଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଥିଲେ ଜାଭିରୁଦ୍ଦିନ୍ (ଟିଟୋର ଭାଇ)।
ସେହିପରି ଏହି ଫିଲ୍ମ ଦୁଇଟି ଭାଷାରେ ନିର୍ମାଣ ହେଉଥିବାରୁ ତେଲୁଗୁ ଭାଷା ପାଇଁ ପ୍ରଯୋଜନା କରୁଥିଲେ ବିନ୍ଦୁଶଙ୍କର ଗୌଡ଼ ଓ ନିର୍ଦେଶନା ଦେଉଥିଲେ ଟଲିଉଡ୍ ନିର୍ଦେଶକ କିରନ୍। ଆସନ୍ତା ଗଣେଶ ପୂଜାରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥାଆନ୍ତା। ଖାଲି ଓଡ଼ିଶା ନୁହେଁ, ରାଜ୍ୟ ବାହାର ଚଳଚ୍ଚିତ୍ର ଜଗତରେ ମଧ୍ୟ ଟିଟୋ ପୁଞ୍ଜିନିବେଶ କରିଥିବା ଏସଟିଏଫକୁ ସୁରାକ୍ ମିଳିଛି। ଟିଟୋର
ଅନ୍ୟତମ ବନ୍ଧୁ ପ୍ରବୀର୍ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ପ୍ରବୀର୍ ପ୍ରଡ଼କ୍ସନ୍ ନାମକ ଏକ ଚଳଚ୍ଚିତ୍ର ସଂସ୍ଥା କରି ୩/୪ ବର୍ଷ ପୂର୍ବେ ଟିଟୋ ଅର୍ଥରେ ୨ଟି ଦୁଇଭାଷୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ସୁଟିଂ ସେଟ୍ରେ ଟିଟୋର ଭାଇ ଜାଭିରୁଦିନ୍ ମଧ୍ୟ କିଛି ମାସ ରହି ଓଡ଼ିଶାରେ ଫିଲ୍ମ ନିର୍ମାଣ କରିବାକୁ ଉତ୍ସାହିତ ହୋଇଥିଲା। ସେଠାରୁ ଜାଭିରୁଦିନ୍ ଟଲିଉଡ୍ ରେସମା ପ୍ରଡକ୍ସନ୍ ପ୍ରଯୋଜକ ବିନ୍ଦୁଶଙ୍କରଙ୍କ ଗୌଡ଼ଙ୍କ ସହ ମିଶି ଓଡ଼ିଆ ଚଳଚ୍ଚିତ୍ର କରିବା ପାଇଁ ଯୋଜନା କରିଥିଲା। ଟିଟୋ ଲିଙ୍କରେ ଥିବା କିଛି ଗ୍ୟାଙ୍ଗଷ୍ଟର୍ ପ୍ରଯୋଜକ ଜାଭିରୁଦିନ୍ ସହ ଅର୍ଥ ବିନିମୟ କରି ଗୁଜୁରାଟରେ ଗୁଜୁରାଟୀ ଓ ଚେନ୍ନାଇରେ ତାମିଲ ଚଳଚ୍ଚିତ୍ର କରିଥିବା ଜଣାପଡ଼ିଛି। ଏହାବ୍ୟତୀତ ଓଡ଼ିଆ ଅଭିନେତା ସମ୍ବିତକୁ ନେଇ ଟିଟୋ ଭାଇର ଏଚ୍ଏମ୍ଟି ପ୍ରଡ଼କ୍ସନ୍ ଏକ ୫ମିନିଟ୍ର ବଲିଉଡ୍ ଭିଡିଓ ଆଲବମ୍ ତିଆରି କରିଛନ୍ତି।
ଘରୋଇ ଚ୍ୟାନେଲ୍ ଧାରାବାହିକରେ ବି ଲାଗିଛି ଟିଟୋ ଟଙ୍କା
ଟିଟୋର କଳା ଟଙ୍କାକୁ ଧଳା କରିବାରେ ମାହିର୍ ଟିଟୋର ଭାଇ ଜାଭିରୁଦିନ୍ ଛୋଟ ଛୋଟ ମ୍ୟୁଜିକ୍ ଭିଡିଓ ଆଲବମ୍ ଓ ଅଣଓଡ଼ିଆ ଚଳଚ୍ଚିତ୍ରରେ ସହପ୍ରଯୋଜନା କରି ଅର୍ଥ ଲଗାଉଥିଲା। ଏହାସହ ରାଜ୍ୟ ବାହାରକୁ ଦୁଇ ଅନାମଧେୟ ଅଭିନେତ୍ରୀଙ୍କୁ ନେଇ ଅନେକ କାମ ଦେଉଥିଲା। ଓଡ଼ିଶାର ଏକ ଘରୋଇ ମନୋରଂଜନ ଚ୍ୟାନେଲ୍ ଧାରାବାହିକରେ ତା’ର ଅର୍ଥ ଲାଗିଥିବା ମଧ୍ୟ ସୁରାକ୍ ମିଳିଛି, ଏନେଇ ପୁଲିସ୍ ତଦନ୍ତ ଜାରି ରଖିଛି।
ରାଜଧାନୀ ବିଲଡର୍ଙ୍କ ସହ ବି ଅଛି ଲିଙ୍କ
ରାଜଧାନୀ ଉପକଣ୍ଠର ବିଭିନ୍ନ ସ୍ଥାନରେ ଜମି କିଣି ସେଠାରେ ଡୁପ୍ଲେକ୍ସ୍ ଓ ଆପାର୍ଟମେଣ୍ଟ ତିଆରି କରି ବିକ୍ରି କରୁଥିବା ଜଣେ ବିଲଡର୍ ମଧ୍ୟ ଟିଟୋ ବଳରେ ବାହୁବଳୀ ସାଜିଥିଲେ। କିନ୍ତୁ ଟିଟୋର ଗିରଫ ପରଠାରୁ ସେ ଆଉ ରାଜଧାନୀରେ ନାହାନ୍ତି। ମଞ୍ଚେଶ୍ୱର ଥାନା ଅଧୀନରେ ରହୁଥିବା ଏହି ବିଲଡର୍ ଜଣଙ୍କ ବିଭିନ୍ନ ସମୟରେ ପାର୍ଟି ଆୟୋଜନ କରି ଚଳଚ୍ଚିତ୍ର କଳାକାରମାନଙ୍କୁ ଏକାଠି କରୁଥିଲେ। ସେଠାରେ ଗ୍ରାହକମାନଙ୍କୁ ମନୋରଂଜନ କରାଇ ପ୍ଲଟ୍ ବିକ୍ରି କରୁଥିଲେ ବୋଲି ଏସ୍ଟିଏଫ୍କୁ ଖବର ମିଳିଛି। ଏ ସଂପର୍କରେ ଟିଟୋକୁ ଅଧିକ ପଚରାଉଚରା କରାଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।