ଟିଏମ୍‌ସି ଖର୍ଚ୍ଚ: ବ୍ଲକ୍ ଓ ପଞ୍ଚାୟତ ତଥ୍ୟରେ ଅମେଳ

ଗୋଳନ୍ଥରା : କୋଭିଡ୍ ପରିଚାଳନା ପାଇଁ ଟିଏମ୍‌ସିରେ ଖର୍ଚ୍ଚ ହିସାବରେ ବ୍ୟାପକ ଅନିୟମିତତା ଓ ଗୋଳମାଳିଆ ସ୍ଥିତି ଦେଖିବାକୁ ମିଳିଛି। ସୂଚନା ଅଧିକାର ଆଇନ୍ ଆଧାରରେ ବ୍ଲକ୍ ଓ ପଞ୍ଚାୟତରୁ ଯେଉଁ ତଥ୍ୟ ମିଳିଛି ସେଥିରେ ତାଳମେଳ ରହୁନାହିଁ। ଫଳରେ ଅର୍ଥ ଆତ୍ମସାତ୍‌ର ଗନ୍ଧ ବାରି ହୋଇପଡ଼ୁଛି। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି।

କରୋନା ମହାମାରୀର ପ୍ରଥମ ଲହରରେ ବ୍ଲକ୍‌କୁ କେତେ ସଂଖ୍ୟାରେ ପ୍ରବାସୀ ଆସିଥି‌‌ଲେ, କେତୋଟି ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିଏମ୍‌ସି) ଖୋଲା ଯାଇଥିଲା ଓ ପ୍ରବାସୀଙ୍କ ଖାଦ୍ୟ ବାବଦରେ କେତେ ଖର୍ଚ୍ଚ ହୋଇଥିଲା ଏଭଳି ବହୁ ତଥ୍ୟ ସୂଚନା ଅଧିକାର ଆଇନ୍ ବଳରେ ମଗା ଯାଇଥିଲା। ବ୍ଲକ୍ ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ୩୨ଟି ପଞ୍ଚାୟତରେ ୮୯ଟି କ୍ୱାରାଣ୍ଟିନ୍‌ ସେଣ୍ଟର୍ ଖୋଲା ଯିବା ସହ ୫ ହଜାର ୮୮୨ଜଣ ପ୍ରବାସୀ ରହିଥିଲେ। ବେଡ୍‌ସିଟ୍ ଓ ତକିଆ ବାବଦରେ ୪ ଲକ୍ଷ ୫୫ ହଜାର ୮୩୩ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସଫେଇ ଏବଂ ସାନିଟେସନ୍ ପାଇଁ ପ୍ରଥମ ପର୍ଯ୍ୟାୟରେ ୭ ଲକ୍ଷ ୧୪ ହଜାର ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୧ ଲକ୍ଷ ୮୯ ହଜାର ୪୪ ଟଙ୍କା ଖର୍ଚ୍ଚ କରାଯାଇଛି। ହାଇଜେନିକ୍ କିଟ୍ ୭ ଲକ୍ଷ ୫୩ ହଜାର ୩ ଶହ ଟଙ୍କାର କିଣା ଯାଇଥିବା ବେଳେ ଖାଦ୍ୟ ବାବଦରେ ତିନିଟି ପର୍ଯ୍ୟାୟରେ ୭୩ ଲକ୍ଷ ୮୩ ହଜାର ୫୪୨ ଟଙ୍କା ଖର୍ଚ୍ଚ ହୋଇଛି।

କିନ୍ତୁ ଆଶ୍ଚର୍ଯ୍ୟର କଥା, ପଞ୍ଚାୟତକୁ ମଗା ଯାଇଥିବା ତଥ୍ୟ ଓ ବ୍ଲକ୍ ପ୍ରଶାସନର ପ୍ରଦତ୍ତ ତଥ୍ୟ ଭିତରେ ତାଳମେଳ ରହୁନି। ଗୋଳନ୍ଥରା ପଞ୍ଚାୟତରେ ୪ଟି ଟିଏମ୍‌ସି ଖୋଲାଯାଇ ୪୯୮ ପ୍ରବାସୀଙ୍କୁ ରଖାଯାଇଥିଲା। ବ୍ଲକ୍ ଦେଇଥିବା ତଥ୍ୟ ଅନୁସାରେ, ଏଠାରେ ଦୁଇଟି ପର୍ଯ୍ୟାୟରେ ସଫେଇ ଏବଂ ସାନିଟେସନ୍ ସହ କିଟ୍ କିଣା ବାବଦରେ ୨ ଲକ୍ଷ ୬୫ ହଜାର ୯ ଶହ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ପଞ୍ଚାୟତ ସୂଚନା ଅନୁସା‌ରେ, ଖର୍ଚ୍ଚ ବାବଦ ମୂଲ୍ୟ ୨ ଲକ୍ଷ ୧୦ ହଜାର ୩ ଶହ ବୋଲି କୁହାଯାଉଛି। ସେହିପରି ଖାଦ୍ୟ ବାବଦରେ ବ୍ଲକ୍ ସୂଚନା ଅନୁଯାୟୀ ୭ ଲକ୍ଷ ୪୯ ହଜାର ୨୦ ଟଙ୍କା ଓ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କ ସୂଚନାନୁସା‌ରେ ୭ ଲକ୍ଷ ୭୮ହଜାର ୨୭୦ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଇଛି। ତଥ୍ୟରେ ତାଳମେଳ ନଥିବାରୁ ପ୍ରକୃତ ସତ୍ୟ କ’ଣ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିପରି କୋଠାରସିଂ ପଞ୍ଚାୟତରେ ୩୬୪ ଜଣ ପ୍ରବାସୀଙ୍କ ପାଇଁ ଖାଦ୍ୟ ବାବଦରେ ତିନିଟି ପର୍ଯ୍ୟାୟରେ ୪ ଲକ୍ଷ ୪୨ ହଜାର ୪୪୪ ଟଙ୍କା ଖର୍ଚ୍ଚ ହୋଇଥିବା ବ୍ଲକ୍ ପ୍ରଶାସନ କହୁଥିବା ବେଳେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ୫ ଲକ୍ଷ ୫୦ ହଜାର ୫୪୦ ଟଙ୍କା ବୋଲି ତଥ୍ୟ ପ୍ରଦାନ କରିଛନ୍ତି। ସଫେଇ ଏବଂ ସାନିଟେସନ୍ ବାବଦରେ ଏକ ଲକ୍ଷ ୭୮ହଜାର ୬୭୫ ଟଙ୍କା ଖର୍ଚ୍ଚ ହୋଇଥିବା ବ୍ଳକ୍ ପ୍ରଶାସନ ଦର୍ଶାଇଥିବା ବେଳେ ପଞ୍ଚାୟତ ପକ୍ଷରୁ ୨ ଲକ୍ଷ ୧୬ ହଜାର ୬୦ ଟଙ୍କା ବୋଲି କୁହାଯାଉଛି। ଫଳରେ ପଞ୍ଚାୟତ ସତ କହୁଛି ନା ବ୍ଲକ୍‌ ସତ କହୁଛି, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧିତ ଖବର