ଆରମ୍ଭ ହେଲା ଟିଏମ୍‌ସି ଖର୍ଚ୍ଚ ତନାଘନା, ବିଡିଓ ଟିମ୍ କରି ଅନୁଧ୍ୟାନ କରିବେ

ଭୁବନେଶ୍ବର : କୋଭିଡ଼୍ ସାମଗ୍ରୀ କିଣାରେ କେଳେଙ୍କାରୀ ଅଭିଯୋଗକୁ ବିରୋଧୀ କଂଗ୍ରେସ ଜୋରଦାର କରିଛି। ସମାନ୍ତରାଳ ଭାବେ ବିଭିନ୍ନ ପଞ୍ଚାୟତରେ ଖୋଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗକୁ ନେଇ ବିଜେପି ତମ୍ବିତୋଫାନ କରୁଛି। ଠିକ୍ ଏମିତି ଏକ ସମୟରେ ରାଜ୍ୟ ସରକାର ଜିଲ୍ଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଓ ବିଡ଼ିଓଙ୍କ ବିରୋଧରେ ଅସନ୍ତୋଷ ଝା଼ଡ଼ିବା ସହିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (ଟିଏମ୍‌ସି) ଖର୍ଚ୍ଚ ହିସାବ ମାଗିଛନ୍ତି। କେବଳ ସେତିକି ନୁହେଁ, ପ୍ରତି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବିକଳ କେତେ ଖର୍ଚ୍ଚ ହୋଇଛି ବିଡ଼ିଓ ନେତୃତ୍ବରେ ଏକ ଟିମ୍ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରି ୧୯ ତାରିଖ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦେବାକୁ ନିର୍ଦେଶ ଯାଇଛି। ସରକାରଙ୍କ ଏହି ନିର୍ଦେଶକୁ ନେଇ ଏବେ ପ୍ରତି ପଞ୍ଚାୟତରେ ହଇଚଇ ସୃଷ୍ଟି ହେଲାଣି।

ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଦେଓରଂଜନ ସିଂହ ଏକ ଚିଠି ଲେଖିଛନ୍ତି ଯେ ମେ’ ୩୧ ତାରିଖ ସୁଦ୍ଧା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ହୋଇଥିବା ନିର୍ମାଣ ଠାରୁ ଆରମ୍ଭ କରି ଯାହା ଖର୍ଚ୍ଚ ହୋଇଛି, ତାର ଟିକିନିଖି ହିସାବ ଦିଅ। ଶ୍ରୀ ଦେଓ କହିଛନ୍ତି, ବାରମ୍ବାର ଚିଠି କରିବା ପରେ ବି ପଞ୍ଚାୟତରେ ଖୋଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖର୍ଚ୍ଚ ହିସାବ ମିଳିପାରୁନାହିଁ। ଫଳରେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କୁ ଏକ ବିସ୍ତୃତ ରିପୋର୍ଟ ଦେବା ସମ୍ଭବ ହେଉନାହିଁ କି ପରବର୍ତୀ ପର୍ଯ୍ୟାୟ ପାଣ୍ଠି ମଗାଯାଇପାରୁନାହିଁ।

Twitter

ପଞ୍ଚାୟତିରାଜ ବିଭାଗ କହିଛି ଯେ ଏବେ ଯାଏ ୪୮ କୋଟି ଟଙ୍କା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଦିଆଯାଇଛି। ଏପ୍ରିଲ ୨୨ ତାରିଖରେ କେନ୍ଦ୍ରୀୟ ଅର୍ଥ କମିସନ ବା ରାଜ୍ୟ ଅର୍ଥ କମିସନରୁ ପାଞ୍ଚଲକ୍ଷ ଟଙ୍କା ଲେଖାଁଏ ଖର୍ଚ୍ଚ ପାଇଁ କୁହାଯାଇଥିଲା। ଯାହା ଜଣାପଡ଼ିଛି ରାଜ୍ୟରେ ୧୬ ହଜାର ୮୧୩ଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗଠନ ହୋଇଛି। ବିଭାଗର ଅନୁମତି ବିନା ଆଉ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିପାରିବନି।

ପଞ୍ଚାୟତିରାଜ ବିଭାଗ କହିଛି, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ହୋଇଥିବା ନିର୍ମାଣ କାମ, ବିଦ୍ୟୁତକରଣ, ଶଯ୍ୟା, ବାଥରୁମ୍, ପାଇଖାନା, ପିଇବା ପାଣି ଆଦି ବାବଦରେ ଯେତେ ଟଙ୍କା ଖର୍ଚ୍ଚ ହୋଇଛି, ସାତଦିନ ମଧ୍ୟରେ ସେ ତଥ୍ୟ େଗାଟି େଗାଟି କରି ବିଭାଗ ଜାରି କରିଥିବା ଫର୍ମରେ ଭରଣା କରି ଦେବାକୁ ହେବ। ବ୍ଲକସ୍ତରରେ ବିଡ଼ିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ବା ଜିପିଟିଏ, ଜିପିଇଓ ଓ ସରପଞ୍ଚଙ୍କୁ ନେଇ ଏକ ଟିମ୍ ଗଠନ କରି ପ୍ରତ୍ୟକ୍ଷ ଭାବେ ଅନୁସନ୍ଧାନ କରିବା ସହିତ ପ୍ରକୃତରେ କେତେ ଖର୍ଚ୍ଚ ହୋଇଛି ଆକଳନ କରି ବିଭାଗକୁ ଜଣାଇବାକୁ କୁହାଯାଇଛି। ସେହିଭଳି ଖାଦ୍ୟ, ପରିମଳ, ସୁରକ୍ଷା, ଦୁଇଟି ବେଡ଼ସିଟ୍, ତକିଆ ଆଦି ନେଇ ମେ’ ୩୧ ତାରିଖ ସୁଦ୍ଧା ଯେତିକି ଖର୍ଚ୍ଚ ହୋଇଛି ତାହା ସ୍ବତନ୍ତ୍ର ତାଲିକାରେ ଦେବାକୁ ବିଭାଗ କହିଛି।

ସମ୍ବନ୍ଧିତ ଖବର