ପ୍ରଚଳିତ କୃଷି ଇନ୍‌ପୁଟ୍‌ ସହାୟତାରେ ପରିବର୍ତନ କରାଯାଉ : କିଷାନ କଂଗ୍ରେସ

ଭୁବନେଶ୍ବର : ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ବନ୍ୟା ଦ୍ୱାରା ୩୫ ଲକ୍ଷ ହେକ୍ଟର ଧାନ ଚାଷ ଜମିରୁ ପ୍ରାୟ ୧୫ ଲକ୍ଷ ଜମି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହାସହ ୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଅଣଧାନ ଓ ପନିପରିବା ଚାଷ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାଷୀ ବିପନ୍ନ ଓ ଦୁର୍ଦ୍ଦିନରେ ଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ସରକାର ଯଦି ବର୍ତ୍ତମାନ ପ୍ରଚଳିତ କୃଷି ଇନପୁଟ୍ ସହାୟତା ଚିରାଚରିତ ଢଙ୍ଗରେ ଚାଷୀଙ୍କୁ ଦିଅନ୍ତି ତହିଁରେ ଚାଷୀର କ୍ଷତି ଭରଣା ହେବନାହିଁ। ପ୍ରଚଳିତ ରିଲିଫ୍ କୋଡ୍‌ ସଂଶୋଧନ କରାଯାଇନାହିଁ। ତେଣୁ ପ୍ରଚଳିତ କୃଷି ଇନ୍‌ପୁଟ ସହାୟତାରେ ପରିବର୍ତନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, ଚାଷୀ ବୀମା କରିଥିଲେ ବି ଫସଲ ବୀମା ସହାୟତା ପାଉନାହିଁ। ଚାଷୀର ପ୍ରିମିୟମ ଟଙ୍କାରେ କମ୍ପାନି ଓ ସରକାର ମାଲାମାଲ। କାଳିଆ, ବଳିଆ ଓ ପିଏମ୍ କିଷାନ ନିଧି ଯୋଜନା ପ୍ରହସନ ପାଲଟିଛି। ମୋଟ ୭୫ ଲକ୍ଷ ଚାଷୀ ପରିବାରରୁ ୨୫ ଲକ୍ଷ ଚାଷୀ କାଳିଆ ସହାୟତା ଓ ୪୩ ଲକ୍ଷ ଚାଷୀ ପିଏମ୍ କିଷାନ ସହାୟତାରୁ ବଞ୍ଚିତ। ସରକାରଙ୍କ ପାଖରେ ପ୍ରକୃତ ଚାଷୀଙ୍କ ହିସାବ ନାହିଁ। ସରକାରଙ୍କ ବିଭିନ୍ନ ଯୋଜନା କେବଳ ପ୍ରଚାର ଓ ପ୍ରସାର ସର୍ବସ୍ୱ ହୋଇଛି। ଜାତୀୟସ୍ତରରେ ଚାଷୀର ମାସିକ ଆୟ ୧୦ ହଜାର ଟଙ୍କାରୁ ଅଧିକ ଥିବା ବେଳେ ଆମ ରାଜ୍ୟର ଚାଷୀର ମାସିକ ଆୟ ୫୧୧୨ଟଙ୍କା। ନବୀନ ଓ ମୋଦୀ ସରକାରଙ୍କ କୃଷି ଓ କୃଷକ ବିକାଶର ଏହା ହେଉଛି ବାସ୍ତବ ଚିତ୍ର। ସେ ଆହୁରି ମଧ୍ୟ କହିଥିଲେ ଯେ ଚାଷୀକୁଳର ଏଭଳି ସଙ୍ଗିନ ପରିସ୍ଥିତିରେ ସରକାର କାଳ ବିଳମ୍ବ ନ କରି ଫସଲ କ୍ଷୟ କ୍ଷତିର ଠିକ୍ ଆକଳନ କରନ୍ତୁ। ଚାଷଜମିରୁ ଜଳ ନିଷ୍କାସନ, ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସଅଳ କିସମ ଧାନ ଓ ଡାଲିଜାତୀୟ ବିହନ, ଚିନାବାଦାମ ମଞ୍ଜି ଓ ଧାନ ତଳି ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇ ଦିଆଯାଉ। ରବିଚାଷ ପାଇଁ ଯଥେଷ୍ଟ ପୂର୍ବରୁ ବିହନ ଓ ପନିପରିବା ମଞ୍ଜି ଯୋଗାଇବା, ୯୦ ପ୍ରତିଶତ ରିହାତିରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସାର, କୀଟନାଶକ ଔଷଧ ଯୋଗାଣ, ସମସ୍ତ ଚାଷୀଙ୍କଠାରୁ କୃଷି ଋଣ ଛାଡ଼, ରବି ଚାଷ ପାଇଁ ବିନା ସୁଧରେ କୃଷି ଋଣ ପ୍ରଦାନ, ଧାନ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଛା ୩୦ ହଜାର ଟଙ୍କା ଓ ପନିପରିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଛା ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଉ। ଯେଉଁ ଅଞ୍ଚଳରେ ଚାଷୀ ଫସଲ ବୀମାଭୁକ୍ତ କରିଛନ୍ତି, ଚାଷର ୧ମାସ ମଧ୍ୟରେ ସେମାନଙ୍କର ଫସଲ (ତଳି) ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ସେହି କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କମ୍ପାନି ପ୍ରଧାନମନ୍ତ୍ରୀ ଫସଲବୀମା ସର୍ତ୍ତାବଳୀ ଅନୁଯାୟୀ ଅଗ୍ରୀମ ବୀମା କ୍ଷତିପୂରଣ ସହାୟତା ରାଶି ଯୋଗାଇ ଦେବାକୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ବିଭୁତି ମିଶ୍ର, ଚାଷୀନେତା ଧ୍ରୁବ ଚରଣ ପରିଡ଼ା, ଭଗବାନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର