ନୟାଗଡ଼: କୁହାଯାଏ ଗୋଟିଏ ସୁସ୍ଥ ମଣିଷ ପାଇଁ ପ୍ର‌ତ୍ୟେକ ଦିନ ପ୍ରଚୁର ପରିମାଣର ବାୟୁ ଆବଶ୍ୟକ ପଡ଼ିଥାଏ। ସେଥିମଧ୍ୟରୁ ୫୫୦ ଲିଟର ଶୁଦ୍ଧ ଅମ୍ଳଜାନ ଆବଶ୍ୟକ ହୋଇଥାଏ। ଯେତେବେଳେ ସଭ୍ୟତା ବଢ଼ିନଥିଲା ସେତେବେଳେ ୬ ଟ୍ରିଲିଅନ ଗଛ ରହିଥିବା ବେଳେ ଏବେ ତାହାର ଅଧା ବି ନାହିଁ। ଯାହାର ପ୍ରଭାବ ବାୟୁମଣ୍ଡଳ ଉପରେ ପଡ଼ୁଛି ଓ ଏହାର ପରିଣାମ ଆମେ ସମସ୍ତେ ଭୋଗୁଛେ ବୋଲି ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ।

Advertisment

ନୟାଗଡ଼ସ୍ଥିତ ଶାଳଭଞ୍ଜ ତୋଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ଶ୍ରୀ ସାହୁ ଆହୁରି କହିଲେ ଯେ, ପ୍ରଥମେ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇବା ଆବଶ୍ୟକ। ଅନେକ ଲୋକ ସଚେତନ ଥିଲେ ମଧ୍ୟ ପରିବେଶ ପ୍ରତି ସ୍ବତନ୍ତ୍ର ଭାବେ ଦୃଷ୍ଟି ନେଉନାହାନ୍ତି। ପୃଥିବୀ ପୂର୍ବରୁ ଯେଉଁ ଅବସ୍ଥାରେ ଥିଲା ପୁନର୍ବାର ସେହି ଅବସ୍ଥାକୁ ଆଣିବା ପାଇଁ ହେଲେ ବ୍ୟାପକ ବୃକ୍ଷରୋପଣ, ପ୍ଲାଷ୍ଟିକ ବର୍ଜନ ଓ ଘରେ ଘରେ ସମସ୍ତେ ସଚେତନ ହେବା ଆବଶ୍ୟକ। ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶିଷ୍ଟ ପରିବେଶବିତ ତଥା ପୂର୍ବତନ ସହକାରୀ ବନ ସଂରକ୍ଷକ ସୁରେଶ ହୋତା କହିଲେ ଯେ, ଋତୁଗୁଡ଼ିକ ମଧ୍ୟରେ ତାଳମେଳ ରହୁ ନାହିଁ। ଛଅଟି ଋତୁକୁ ଖୋଜି ପାଇବା ଆଜି ସମ୍ଭବ ହେଉନାହିଁ। ଚାଷବାସ ସବୁକିଛି ପ୍ରଭାବିତ ହେଲାଣି।

ଏମିତିକି ବଦଳୁଥିବା ଜଳବାୟୁ ଯୋଗୁ ପରିବାରରେ ମଧ୍ୟ ଶାନ୍ତି ବଜାୟ ରଖିବା ସମ୍ଭବ ହେଉନାହିଁ। ବୋଧହୁଏ ଗଛଠାରୁ ମଣିଷର ଭଲ ବନ୍ଧୁ କେହି ନାହାନ୍ତି। ରାସାୟନିକ ସାର ବଦଳରେ ଜୈବିକ ସାର ବହୁଳ ଭାବରେ ବ୍ୟବହାର କରିବା ଉପରେ ଉକ୍ତ ବୈଠକରେ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପରିବେଶବିତ୍ ପ୍ର‌ମୋଦ ପଟ୍ଟନାୟକ, ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବେଶ୍ ପ୍ରଶଂସା କରିବା ସହ କେବଳ ନିର୍ବାଚନ ମଣ୍ଡଳୀରେ ନୁହେଁ ଗାଁ ଗାଁରେ ଏହାକୁ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ପରିବେଶବିତ୍ ଅନାଦି ମହାନ୍ତି ରାସ୍ତା ସଂପ୍ରସାରଣ ଆ‌ଳରେ ହେଉ ଅବା କଳକାରଖାନା ପାଇଁ ଶହ ଶହ ସଂଖ୍ୟାରେ ଗଛ କଟାଯାଉଥିବା ଏବଂ ଜଳବାୟୁ ସମ୍ପୂର୍ଣ୍ଣ ବିଗିଡ଼ିଯାଉଥିବା କଥା ଉଲ୍ଲେଖ କରି ଚଳିତ ବର୍ଷର ତାପମାତ୍ରା ରେକର୍ଡ ଭାଙ୍ଗିଥିବା ମତ ରଖିଥିଲେ। ପରିବେଶବିତ୍ ଶ୍ରୀଧର ସାହୁ ସମାଜ ସମ୍ପର୍କରେ ଚିନ୍ତା କରିବା ପୂର୍ବରୁ ନିଜକୁ ପରିବର୍ତ୍ତନ କରିବା ପାଇଁ ମତ ରଖିଥିବା ବେଳେ ମନୋଜ ସାହୁ ବ୍ୟାପକ ପରିମାଣରେ ତାଳଗଛ ଲଗାଇବା ଉପରେ ଜୋର୍‌ ଦେଇଥିଲେ।