ବରଗଡ଼: ୨୦୧୮ ମସିହାରୁ ମହାନଦୀ ଜଳ ବିବାଦକୁ ନେଇ ଉଭୟ ଓଡ଼ିଶା ଏବଂ ପଡ଼ୋଶୀ ଛତିଶଗଡ଼ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଛି। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଚଳିତ ବର୍ଷ ମଧ୍ୟଭାଗରେ ଟ୍ରିବ୍ୟୁନାଲ୍‌ ସରଜମିନ୍‌ ତଦନ୍ତ କରି ଫେରିଛନ୍ତି। କିନ୍ତୁ ଏହାର ଫଳାଫଳ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏବେ ଛତିଶଗଡ଼ରେ କଂଗ୍ରେସକୁ ଗାଦିଚ୍ୟୁତ କରି ପୁଣି ବିଜେପି କ୍ଷମତାକୁ ଫେରିଛି। ନୂଆ ରାଜନୈତିକ ସମୀକରଣରେ ମହାନଦୀ ପ୍ରସଙ୍ଗକୁ ନେଇ ଉଭୟ ପଡ଼ୋଶୀ ରାଜ୍ୟର କିଭଳି ଆଭିମୁଖ୍ୟ ରହିବ, ତାହା ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ହିଁ ପ୍ରତିଫଳିତ ହେବ ବୋଲି ଜଣାପଡ଼ୁଛି। ୨୦୧୯ ମସିହା ପୂର୍ବରୁ ଓଡ଼ିଶା ନେତା ଛତିଶଗଡ଼ ଉପରେ ଏହି ପ୍ରସଙ୍ଗ ନେଇ ଜୋର୍‌ଦାର୍‌ ଆକ୍ରମଣ କରୁଥିଲେ।

Advertisment

ନିର୍ବାଚନ ବେଳେ ଏହା ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। କିନ୍ତୁ ତତ୍କାଳୀନ ବିଜେପି ଶାସିତ ଛତିଶଗଡ଼ ଏହାକୁ ଭ୍ରୂକ୍ଷେପ କରିନଥିଲା। ବରଂ ମହାନଦୀର ଜଳ ପରିଚାଳନା ମନମୁଖୀ ଭାବେ ଚଳାଇଥିଲା। ଏହା ଏକ ଜାତୀୟ ପ୍ରସଙ୍ଗ ଥିଲେ ହେଁ ଛତିଶଗଡ଼ ସୀମା ସଂଲଗ୍ନ ବରଗଡ଼ ଜିଲ୍ଲାରେ ମାହୋଲ ସରଗରମ ରହିଥିଲା। କିନ୍ତୁ ୨୦୧୯ରେ ଛତିଶଗଡ଼ରେ ସରକାର ପରିବର୍ତ୍ତନ ପରେ ମହାନଦୀ ପ୍ରସଙ୍ଗରେ ସବୁ ଦଳର ନିରବତା ଦେଖିବାକୁ ମିଳିଥିଲା। ଓଡ଼ିଶାରେ ମହାନଦୀର ପ୍ରବେଶ ବରଗଡ଼ ଜିଲ୍ଲାରୁ ହୋଇଥିବାରୁ ଅମ୍ବାଭୋନା ବ୍ଲକ୍‌ ଚିଖିଲିରୁ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମହାନଦୀ ବଞ୍ଚାଅ ବିଗୁଲ ଫୁଙ୍କିଥିଲେ। ସମୟର ସୁଯୋଗ ଉଠାଇ ରାଜ୍ୟ କଂଗ୍ରେସ ମଧ୍ୟ ‘ମହାନଦୀରେ ହାତ ଧୋଇଥିଲା। ବରଗଡ଼ର ସ୍ଥାନୀୟ ନେତୃବୃନ୍ଦ ଏହି ପ୍ରସଙ୍ଗ
ନେଇ ଜୋରଦାର ଅଭିଯାନ ଚଳାଇଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉଠାରୁ ଆରମ୍ଭ କରି ପ୍ରତି ବ୍ଲକ୍‌ରେ ଆନ୍ଦୋଳନ ଚାଲିଥିଲା। କିନ୍ତୁ ସେତେବେଳ ସ୍ବାଭାବିକ କାରଣରୁ ବିଜେପି ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଥିଲା। ‘ମହାନଦୀ ଉପରେ ଦଳ କୌଣସି ମତମନ୍ତବ୍ୟ ଦେଇନଥିଲା।

ଏପରିକି ଉଭୟ ବିଜେଡି ଏବଂ କଂଗ୍ରେସ ପୃଥକ୍ ପୃଥକ୍ ଭାବେ ବିଜେପିକୁ ସମାଲୋଚନା କରିଥିଲେ ହେଁ ପଦ୍ମଦଳର କୌଣସି ନେତା ଏଥିର ପ୍ରତିକ୍ରିୟା ଦେଖାଇ ନଥିଲେ। ସଦ୍ୟସମାପ୍ତ ଛତିଶଗଡ଼ ନିର୍ବାଚନର ପ୍ରଭାବ ବରଗଡ଼ ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଥିଲା। ଏଠାକାର ବିଜେପି ନେତା ପଡ଼ୋଶୀ ରାଜ୍ୟକୁ ଯାଇ ପ୍ରଚାର ମଧ୍ୟ କରିଛନ୍ତି। ଛତିଶଗଡ଼ରେ ବିଜେପି ଶାସନ ଆରମ୍ଭ ହୋଇଥିବାରୁ ମହାନଦୀ ପ୍ରସଙ୍ଗ ନେଇ ପୁନର୍ବାର ଦ୍ବନ୍ଦ୍ବପୂର୍ଣ୍ଣ ବାତାବରଣ ରହିଛି। ମହାନଦୀ ଜଳ ମାମଲାରେ ଛତିଶଗଡ଼ର ନୂଆ ସରକାରଙ୍କ ଆଭିମୁଖ୍ୟ ଉପରେ ସବୁ ଦଳର ଭିତିରିଆ ନଜର ରହୁଛି। ଛତିଶଗଡ଼ରେ ଅଦଳବଦଳ କରି କଂଗ୍ରେସ ଓ ବିଜେପି କ୍ଷମତାକୁ ଆସିଥିବାରୁ ଦ୍ବନ୍ଦ୍ବରେ ରହି ଚୁପ୍‌ ରହିବା ଶ୍ରେୟସ୍କର ମନେ କରୁଛନ୍ତି। ଅନ୍ୟ ପକ୍ଷରେ ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ପାଖରେ ସୁଯୋଗ ରହିବ ବୋଲି କୁହାଯାଉଛି। ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ବିଜେଡି ଛତିଶଗଡ଼ର ପୁରୁଣା କଂଗ୍ରେସ ସରକାର ଏବଂ ନବଗଠିତ ବିଜେପି ସରକାରକୁ ଆକ୍ରମଣ କରିବାକୁ ବ୍ୟାକୁଳ ରହିବ। ତେବେ ତିନୋଟି ଯାକ ଦଳ ନେଡ଼ିଗୁଡ଼ କହୁଣୀକୁ ବହିଯିବା ପରେ ଯାଇ ସକ୍ରିୟ ହୋଇଥିବାରୁ କୋଉ ଦଳ ଆଗାମୀ ଲୋକସଭା ନିର୍ବାଚନରେ ଏହି ପ୍ରସଙ୍ଗରେ ଫାଇଦା ନେଉଛି ତାହା ଦେଖିବାକୁ ବାକି ରହିଲା।