ଆଜି ମହାସପ୍ତମୀ ପୂଜା, ସ୍ମାର୍ଟସିଟିରେ ଝଲସୁଛି ପୂଜାମଣ୍ଡପ

ରାଉରକେଲା: ମହାମାରୀ କରୋନା ଯୋଗୁ ଦୁଇ ବର୍ଷ ପରେ ବେଶ୍‌ ଜାକଜମକ ପାଳନ ହେଉଛି ମା’ ଦୁର୍ଗାପୂଜା। ଆସନ୍ତାକାଲି (ରବିବାର) ମହାସପ୍ତମୀ ପୂଜା। ମାସ ମାସ ଧରି ପୂଜା କମିଟିଗୁଡ଼ିକ ଚାଲିଥିବା ପ୍ରସ୍ତୁତି ଶେଷ ହୋଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳରେ ଝଲସୁଛି ପୂଜା ମଣ୍ଡପ। ରାଉରକେଲା ଷ୍ଟିଲ ଟାଉନସିପ୍‌, ଫର୍ଟିଲାଇଜର ଟାଉନସିପ୍‌ ଓ ସିଭିଲଟାଉନସିପ୍‌ରେ ମୋଟ ୧୦୭ ପୂଜାମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଇସ୍ପାତ ସହରାଞ୍ଚଳର ପ୍ରମୁଖ ପୂଜାପେଣ୍ଡାଲ। ହାଇବଜେଟ୍‌ରେ ପୂଜା ପାଳନ ହେଉଥିବାରୁ ପୂଜା କମିଟିର କର୍ମକର୍ତ୍ତାମାନେ ନିଜ ନିଜ ମଣ୍ଡପର ତୋରଣକୁ ବେଶ୍‌ ଆକର୍ଷଣୀୟ କରିଛନ୍ତି। ସେକ୍ଟର-୧ ପୁରୁଣା ଦୁର୍ଗାପୂଜା କମିଟିର ରାଷ୍ଟ୍ରପତି ଭବନ, ସେକ୍ଟର-୨ର ସ୍ବାମୀ ନାରାୟଣ ମନ୍ଦିର, ସେକ୍ଟର-୨୦ର ରାଜସ୍ଥାନର ଆମେର ଦୁର୍ଗ, ସେକ୍ଟର-୮ର ଅଯୋଦ୍ଧା ରାମ ମନ୍ଦିର, ସେକ୍ଟର-୬ର ରୋମାନିଆର ବୌଦ୍ଧ ସ୍ତୂପ, ସେକ୍ଟର-୧୬ ବରଫ ଗୁମ୍ଫା ସହ ପେଣ୍ଡାଲ ସମ୍ମୁଖରେ ବିରାଟକାୟ ପକ୍ଷୀ ଶ୍ରଦ୍ଧାଳୁମାନଙ୍କୁ ବେଶ୍‌ ଆକୃଷ୍ଟ କରୁଛି।

କେବଳ ଏତିକି ନୁହେଁ ସେକ୍ଟର-୬ କୋଲାକାତାର ମନ୍ଦିର ରୂପର ତୋରଣ, ସେକ୍ଟର-୪ର ଜଳ ମଧ୍ୟରେ ନୌକା ରୂପରେ ତୋରଣ ମଧ୍ୟ ବେଶ୍‌ ଆକର୍ଷୀୟ ହୋଇଛି। ସେକ୍ଟର-୧୭, ଇସ୍ପାତ ସେଣ୍ଟ୍ରାଲ ମାର୍କେଟ,  ସେକ୍ଟର-୬ ଏଚ୍‌ ବ୍ଲକ, ସିଭିଲଟାଉନସିପ୍‌, ଫଟିଲାଇଜର ଓ ବନ୍ଧମୁଣ୍ଡାରେ କିଛି ପୂଜା ପେଣ୍ଡାଲରେ ନିର୍ମାଣ ହୋଇଥିବା କିଛି ଭିନ୍ନ ରୂପର ତୋରଣ ଅନ୍ୟ ପୂଜାମଣ୍ଡପ ଠାରୁ ମଧ୍ୟ କିଛି କମ୍‌ ନୁହେଁ। ପୂଜାରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ, ସୁରକ୍ଷା ଓ ଶ୍ରଦ୍ଧାଳୁମାନଙ୍କ ଅସୁବିଧା ଦୂରକୁ  ଉଭୟ ପୂଜା କମିଟି ଓ ଜିଲ୍ଲା ପୁଲିସ ପ୍ରାଥମିକତା ଦେଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅସାମାଜିକ ଯୁବକଙ୍କ ଦୌରାତ୍ମକୁ ରୋକିବାକୁ ଜିଲ୍ଲା ପୁଲିସ ପକ୍ଷରୁ ମୋଟ ୨୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଏଥିସହ ଶୃଙ୍ଖଳା ଦାୟିତ୍ବରେ ୫୦୦ ଗୃହରକ୍ଷୀଙ୍କ ସହ ଅତିରିକ୍ତ ଏସ୍‌ପି, ଡିଏସ୍‌ପି, ଥାନା ଅଧିକାରୀ, ଏଏସ୍‌ଆଇ ପ୍ରମୁଖ ପୂଜାମଣ୍ଡପର ସୁରକ୍ଷା ଦାୟିତ୍ବ ତଦାରଖ କରୁଛନ୍ତି। ରାତିକାଳୀନ ପେଟ୍ରୋଲିଂକୁ କଡାକଡି କରାଯାଇଛି। ସହରର ପ୍ରମୁଖ ଛକ, ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ପ୍ରମୁଖ ପୂଜାମଣ୍ଡପରେ ସମ୍ଭାବ୍ୟ ଚୋରି ରୋକିବାକୁ ସାଧାପୋଷାକଧାରୀ ପୁଲିସ ମୁତୟନ କରାଯାଇଛି। ଆସନ୍ତା ୫ରେ ସେକ୍ଟର-୧୩ ମେଲଣ ପଡିଆରେ ରାବଣପୋଡି ଉତ୍ସବ ପାଳନ ହେବ। ଏଥିପାଇଁ ସେକ୍ଟର-୧୩ ମେଲଣ ପଡିଆରେ ଆତସବାଜି କାର୍ଯ୍ୟ ପାଇଁ ଜୋର‌ସୋରରେ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର