ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ଜାତୀୟ ଉଦ୍ୟାନ ସହ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର, ଅଧିଷ୍ଟାତ୍ରୀ ଦେବୀ କୀଚକେଶ୍ବରଙ୍କ ମନ୍ଦିର, ମା ଅମ୍ବିକା ମନ୍ଦିର ଆଦି ଧର୍ମପୀଠ, ଐତିହ୍ୟସ୍ଥଳୀ ଓ ପର୍ଯ୍ୟଟନସ୍ଥଳୀ ରହିଛି। ହେଲେ ଏହି ପର୍ଯ୍ୟଟନସ୍ଥଳୀଗୁଡିକର ଭିତ୍ତିଭୂମିର ବିକାଶ ହୋଇ ପାରୁନଥିବାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି।
ଶିମିଳିପାଳ, ଦେବକୁଣ୍ଡ, ବରେହିପାଣି, ଜରନ୍ଦା ଜଳ ପ୍ରପାତର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ବର୍ଷତମାମ ଆକୃଷ୍ଟ କରିଥାଏ। ଦେଶ ବିଦେଶର ପର୍ଯ୍ୟଟକ ମୟୂରଭଞ୍ଜକୁ ଆସିଥାନ୍ତି। ହେଲେ ଏସବୁ ପର୍ଯ୍ୟଟନସ୍ଥଳୀଗୁଡିକର ବିକାଶ ପାଇଁ କାହାର ନଜର ନାହିଁ। କେଉଁଠି ସ୍ଥାନକୁ ଭଲ ରାସ୍ତାଟିଏ ନାର୍ହି, ତ କେଉଁଠି ପିଇବା ପାଇଁ ପାନୀୟ ଜଳର ସୁବିଧା ନାହିଁ। ବିଶ୍ରାମଗାର, ଶୌଚାଳୟ କଥା ନକହିବା ଭଲ। ରାତିରେ ରହିବା ନିମନ୍ତେ କୌଣସି ସୁବିଧା ନାହିଁ। ଫଳରେ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାକାର ଅବ୍ୟବସ୍ଥା ଦେଖି ନାକ ଟେକୁଛନ୍ତି।
ଏହି କାରଣରୁ ବର୍ଷକୁ ବର୍ଷ ପର୍ଯ୍ୟଟକ ସଂଖ୍ୟା କମିବାରେ ଲାଗିଛି ଓ ସରକାରଙ୍କ ରାଜସ୍ବ କ୍ଷତି ହେଉଛି। ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧି ହୁଅନ୍ତା। ଶତାଧିକ ବେରୋଜଗାର ଲୋକ ରୋଜଗାରକ୍ଷମ ହୁଅନ୍ତେ। ହେଲେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିରେ ଅଟକିଛି।
ଜିଲ୍ଲାରେ ପର୍ଯ୍ୟଟକ ଶିଳ୍ପର ବିକାଶ ପାଇଁ ସରକାର ଆଖି ବୁଜି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନା କହିଛନ୍ତି। ରାଜ୍ୟର ବିଭିନ୍ନ ମନ୍ଦିରର ଉନ୍ନତୀକରଣ ନିମନ୍ତେ ସରକାର କୋଟିକୋଟି ଟଙ୍କାର ଅନୁଦାନ ଦେଉଥିବା ବେଳେ ବାରିପଦା ଜଗନ୍ନାଥ ମନ୍ଦିର ପାଇଁ ମାତ୍ର ୫ କୋଟି ଟଙ୍କା ଦେବା ସରକାରୀ ଅବହେଳାର ଉଦାହରଣ ବୋଲି ସେ କହିଛନ୍ତି। ଏ ନେଇ ଜିଲ୍ଲାର ନିର୍ବାଚିତ ଜନ ପ୍ରତିନିଧିମାନେ ସ୍ବର ଉଠାଉନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/29-21.jpg)