ଢେଙ୍କାନାଳ: ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ ଦକ୍ଷତା ବିକାଶ କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ଯୁବପିଢିଙ୍କୁ ଏକବିଂଶ ଶତାବ୍ଦୀର ଦକ୍ଷତା ଶିଖିବାରେ ସହାୟତା ହେବ। ଏହା ଯୁବପିଢିଙ୍କ ଆକାଂକ୍ଷା ପୂରଣ କରିବ। ନାଗରିକ, ବିଶେଷ କରି ଯୁବବର୍ଗଙ୍କୁ ସଶକ୍ତ କରିବ ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ। ଆଜି ଢେଙ୍କାନାଳ ସହରରେ ସ୍କିଲ୍ ଇଣ୍ଡିଆ ସେଣ୍ଟର (ଏସ୍‌ଆଇସି) ଉଦ୍‌ଘାଟନ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଏହି ‘ସ୍କିଲ୍‌ ଇଣ୍ଡିଆ ସେଣ୍ଟର’ ଭାରତକୁ ବିଶ୍ୱ ଦକ୍ଷତା ରାଜଧାନୀରେ ପରିଣତ କରିବାକୁ ଦିଆଯାଇଥିବା ‘ମୋଦୀ ଗ୍ୟାରେଣ୍ଟି’ ପୂରଣ ଦିଗରେ ଏକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Advertisment

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଆଇଆଇଏମ୍‌ସି ଢେଙ୍କାନାଳକୁ ଡିମଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଛି। ଆଜି ଉଦ୍‌ଘାଟିତ ହୋଇଥିବା ସ୍କିଲ୍ ଇଣ୍ଡିଆ ସେଣ୍ଟର୍‌ ଯଦି ଆଇଆଇଏମ୍‌ସି ଢେଙ୍କାନାଳ ସହ ସଂଯୁକ୍ତ ହୁଏ, ତେବେ ଆଗାମୀଦିନରେ ଏହା ଆଧୁନିକ ଯୋଗାଯୋଗର ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ। ଅନେକ ଛାତ୍ରଛାତ୍ରୀ ସ୍କିଲ୍ ଇଣ୍ଡିଆ ସେଣ୍ଟର୍‌ର ଲାଭ ଉଠାଇ ପାରିବେ। ନୂଆପିଢ଼ିର ଯୁବକମାନେ ଦକ୍ଷତା ଏବଂ ଉନ୍ନତି ମାଧ୍ୟମରେ ନିଜକୁ ସଶକ୍ତ କଲେ ହିଁ ଆମେ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିପାରିବବୋଲି ଶ୍ରୀ ପ୍ରଧାନ କହିଥିଲେ। କାର୍ଯ୍ୟକ୍ରମରେ ଏନ୍‌ଏସଡିସିର ସିଇଓ ତଥା ଏନ୍‌ଏସ୍‌ଡିସି ଇଣ୍ଟରନ୍ୟାସନାଲ୍‌ର ଏମ୍‌ଡି ବେଦମଣି ତିୱାରୀ, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲା ସଭାପତି ନରେଶ ମହାପାତ୍ର, ପୂର୍ବତନ ନଗରପାଳ ସୁନିଲ ଶର୍ମା ପ୍ରମୁଖ ମଂଚାସୀନ ଥିଲେ।