‘ହାତୀ ବୁଡ଼ି ଯାଉଛି; ମେଣ୍ଢା ପଚାରୁଛି ପାଣି କେତେ’?… କରୋନାର ଭୟାବହତା ବୁଝାଇବାକୁ ଯାଇ ଶେଷରେ ଏପରି କହିବାକୁ ବାଧ୍ୟ ହେଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର ( ପୁଷ୍ପମିତ୍ର ମହାନ୍ତି) : ସମଗ୍ର ବିଶ୍ୱର ୧୯୮ଟି ରାଷ୍ଟ୍ରରେ କରୋନା ଭାଇରସ୍‌ କୋଭିଡ୍‌-୧୯ ବିଶ୍ୱ ମହାମାରୀର ରୂପ ନେଇ ଆଜି ସନ୍ଧ୍ୟା ସୁଦ୍ଧା ୪,୮୮,୪୪୭ ଜଣଙ୍କୁ ଆକ୍ରାନ୍ତ କରିବା ସହ ୨୨,୦୬୭ ଜଣଙ୍କର ଜୀବନ ନେଇ ସାରିଲାଣି। ୨୪ ଘଣ୍ଟା ତଳେ, ଅର୍ଥାତ୍‌ ଗତକାଲି ଏହି ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୨,୪୬୮ ଥିଲାବେଳେ ମୃତକଙ୍କ ସଂଖ୍ୟା ଥିଲା ୧୮,୯୦୭। ଏହି ସଂଖ୍ୟାକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ ଶୁଖିଲା ଜଙ୍ଗଲରେ ଦାବାଗ୍ନି ବ୍ୟାପିବା ପରି କୋଭିଡ୍‌-୧୯ ବା କରୋନା ଭାଇରସ୍‌ ଏବେ ବିଶ୍ୱ ମହାମାରୀର ରୂପ ଧାରଣ କରିବା ସହ ତମାମ୍‌ ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚି ବିଭୀଷିକାର କାରଣ ପାଲଟିିଛି।

ସେଥିରେ ପୁଣି କରୋନା ବା କୋଭିଡ୍‌-୧୯ ନାମକ ଏହି ମହାରାରୀରେ ବିଶ୍ୱର ଯେଉଁ ସମସ୍ତ ରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ବା ଆକ୍ରାନ୍ତ ହୋଇଛନ୍ତି, ସେ ତାଲିକାର ସର୍ବାଗ୍ରରେ ଆଜି (ଗୁରୁବାର) ସନ୍ଧ୍ୟା ସୁଦ୍ଧା ରହିଛନ୍ତି ଚୀନ୍‌ (ଆକ୍ରାନ୍ତ ୮୧,୨୬୫/ ମୃତ ୩,୨୮୭), ଇଟାଲି (ଆକ୍ରାନ୍ତ ୭୪,୩୮୬/ ମୃତ ୭,୫୦୩), ଯୁକ୍ତରାଷ୍ଟ୍ର ଆମେରିକା (ଆକ୍ରାନ୍ତ ୬୮,୫୯୪/ ମୃତ ୧,୦୩୬), ସ୍ପେନ୍‌ (ଆକ୍ରାନ୍ତ ୫୬,୧୮୮/ ମୃତ ୪,୦୮୯), ଜର୍ମାନୀ (ଆକ୍ରାନ୍ତ ୩୯,୫୦୨/ ମୃତ ୨୨୨), ଇରାନ୍‌ (ଆକ୍ରାନ୍ତ ୨୯,୪୦୬/ ମୃତ ୨,୨୩୪), ଫ୍ରାନ୍ସ (ଆକ୍ରାନ୍ତ ୨୫,୨୩୩/ ମୃତ ୧.୩୧୩)।

ଉଲ୍ଲେଖ ନିଷ୍ପ୍ରୟୋଜନ, ଉପରୋକ୍ତ ସମସ୍ତ ରାଷ୍ଟ୍ର ହେଉଛନ୍ତି ଭାରତ ତୁଳନାରେ ଅଧିକ ବିକଶିତ, ଅଧିକ ଅତ୍ୟାଧୁନିକ ଏବଂ ଉପରୋକ୍ତ ସମସ୍ତ ରାଷ୍ଟ୍ରର ସ୍ୱାସ୍ଥ୍ୟ ସେବା ଭାରତ ତୁଳନାରେ ଅଧିକ ଆଧୁନିକ, ଅଧିକ ସୁଦୃଢ଼ ଓ ଅଧିକ ବ୍ୟବସ୍ଥିିତ। ଖାଲି ଏତିକି ନୁହେଁ; ଉପରୋକ୍ତ ସମସ୍ତ ରାଷ୍ଟ୍ର ଭାରତ ଠାରୁ ବହୁ ଅଧିକ ଗୁଣରେ ବିତ୍ତଶାଳୀ ମଧ୍ୟ। ତଥାପି, କରୋନା ଭାଇରସ୍‌ ଏସମସ୍ତ ରାଷ୍ଟ୍ରରେ ମହାମାରୀର ଯେଉଁ ତାଣ୍ଡବ ରଚିଛି, ସେଥିରେ ସେମାନେ ଛାରଖାର ହୋଇ ଯାଇଛନ୍ତି।

ତେବେ, ଈଶ୍ୱରଙ୍କର ଅଶେଷ କରୁଣା ଓ ଆଶୀର୍ବାଦରୁ ଆମଦେଶ ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାରେ ୬୫୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ମାତ୍ର ୧୬ ଜଣ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆମ ରାଜ୍ୟ ଓଡ଼ିଶାରେ ମାତ୍ର ୨ ଜଣ ଆକ୍ରାନ୍ତ ଥାଇ ଏବେ ଚିକିତ୍ସା ପରେ ଆରୋଗ୍ୟ ଲାଭ କରୁଥିବା ବେଳେ ଓଡ଼ିଶାରେ କରୋନାରେ କହାରି ମୃତ୍ୟୁ ଘଟିନାହିଁ। ଅନ୍ୟପକ୍ଷରେ କରୋନା ଭାଇରସ୍‌ ପାଇଁ କୌଣସି ପ୍ରକାରର ପ୍ରତିଷେଧକ ଟୀକା ବା ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଔଷଧ ବାହାରି ନାହିଁ। କରୋନାରୁ ବଞ୍ଚିବା ବା ରକ୍ଷା ପାଇବାର ଏକମାତ୍ର ଉପାୟ ହେଲା ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ସହ ସାମାଜିକ ଦୂରତ୍ୱ ଓ ସଙ୍ଗରୋଧ ପାଳନ କରିବା।

ଏହାକୁ ଦୃଷ୍ଟିରେ ରଖି ଏସବୁକୁ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ବିଭିନ୍ନ ପ୍ରକାରେ ଓ ବିଭିନ୍ନ ବାଗରେ ପରାମର୍ଶ ଦେଲେ। କିନ୍ତୁ, ରାଜ୍ୟବାସୀ ଏହାକୁ ଅଣଦେଖା କରିବାରୁ ରାଜ୍ୟବାସୀ ଓ ସେମାନଙ୍କ ପରିବାରକୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର କଠୋର ନିଷ୍ପତ୍ତି ନେଇ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କଲେ, ଏବଂ ବର୍ତ୍ତମାନ ପାଇଁ ନିଜ ନିଜ ଘର ଭିତରେ ରହିବା ପାଇଁ କହିବା ସହ ସେଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କଲେ। ତଥାପି ରାଜ୍ୟବାସୀ ଘଟଣାର ଗୁରୁତ୍ୱକୁ ନବୁଝି ଏହାକୁ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିବା ଓ ଲକ୍‌ଡାଉନ୍‌ ଉଲ୍ଲଂଘନ କରି ବାହାରେ ବୁଲିବା ଅତ୍ୟନ୍ତ କ୍ଷୋଭ ଓ ପରତାପର ବିଷୟ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ଏଥିସହ ରାଜ୍ୟବାସୀଙ୍କୁ କରୋନାର ଭୟାବହତା ସଂପର୍କରେ ସରଳ ଭାଷାରେ ଚେତାଇ ଦେବାକୁ ଯାଇ ଶ୍ରୀ ବାଗ୍‌ଚୀ କହିଛନ୍ତି, ‘ହାତୀ ବୁଡ଼ି ଯାଉଛି; ମେଣ୍ଢା ପଚାରୁଛି ପାଣି କେତେ’? ଉଭୟ ରାଜ୍ୟ ଓ ଦେଶବାସୀ ଜାଣି ରଖିବା ଉଚିତ୍‌ ଯେ ଏବେବି କରୋନା ଦେଶରେ ଷ୍ଟେଜ୍‌-୨ରେ ସିମୀତ ହୋଇ ରହିଛି। ଏହା ଷ୍ଟେଜ୍‌-୩କୁ ଅର୍ଥାତ୍‌ ଗୋଷ୍ଠୀ ସମାଜ ଭିତରେ ପ୍ରବେଶ କରିପାରି ନାହିଁ। ଆଉ ଥରେ ଯଦି କରୋନା ଗୋଷ୍ଠୀ ସମାଜ ଭିତରେ ପଶି ଷ୍ଟେଜ୍‌-୩କୁ ଚାଲିଗଲା, ତେବେ ଷ୍ଟେଜ୍‌-୪କୁ ଯିବା ପାଇଁ ତାକୁ ବେଶି ଡେରି ଲାଗିବ ନାହିଁ। କିନ୍ତୁ ଷ୍ଟେଜ୍‌-୪କୁ ଥରେ ଚାଲିଯିବା ପରେ କରୋନା ଭୟଙ୍କର ମହାମାରୀର ରୂପ ଧାରଣ କରି ମୃତ୍ୟୁର ଯେଉଁ ତାଣ୍ଡବ ରଚିବ, ତାହାର କଳ୍ପନା ସୁଦ୍ଧା କେହି କରି ପାରିବେ ନାହିଁ ବୋଲି ବେଶ୍‌ ଶାଣିତ ଓ ସ୍ପଷ୍ଟ ଭାବେ ଆଜି ଆଉଥରେ ବୁଝାଇଦେବା ସହ ଘରର ଲକ୍ଷ୍ମଣ ରେଖା ନ ଟପିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧିତ ଖବର