ଭବାନୀପାଟଣା : ନୀତିଆୟୋଗ ପକ୍ଷରୁ ଚିହ୍ନଟ ଦେଶର ୧୧୦ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ଭାରତ ସଞ୍ଚାର ନିଗମ ଲିମିଟେଡ଼ ଦ୍ୱାରା ସ୍ୱଳ୍ପ ଡାଟା ବ୍ୟବହାର ହେଉଥିବା ଦର୍ଶାଇ ୧୭ଟି ସ୍ଥାନରୁ ୪ଜି ସେବା ପ୍ରତ୍ୟାହାର କରିନେବାକୁ ନିଷ୍ପତି ନିଆଯାଇଛି । ଆଜି ଏହାର ପ୍ରତିବାଦ କରି କଳାହାଣ୍ଡିର ସାଂସଦ ସୁଜିତ କୁମାର ରାଜ୍ୟସଭାରେ ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପୁର୍ବରୁ ସେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଭେଟି ଏହାର ପୁର୍ନବିଚାର ପାଇଁ ଲିଖିତ ଅଭିଯୋଗ କରିଥିଲେ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ମିଳିଥିବା ସୂଚନା ଅନୁସାରେ ଓଡିଶା ଟେଲିକମ୍ ସର୍କଲର ଜେନେରାଲ୍ ମ୍ୟାନେଜର ଭବାନୀପାଟଣା, ବଲାଙ୍ଗୀର ଓ ଫୁଲବାଣୀ ଟିଡିଇଙ୍କୁ ଏକ ପତ୍ର ଲେଖିଥିଲେ । ଏହି ପତ୍ର ସଂଖ୍ୟା(ଜି.ଏମ୍/ଏନ ୟୁପି-ସିଏମ/ପି ଏଚ ୮-୪/କମପ୍ଲିମେଣ୍ଟେସନ୍/୨୦୧୭-୧୮/୪୨-୨୮/୦୭/୨୦୨୦) ଅନୁସାରେ ଭବାନୀପାଟଣା ଓ ବଲାଙ୍ଗୀର ଏସ୍ଏସ୍ଏରୁ ୧୭ଟି ଜେଟିଇ ୪ଜି ଉପକରଣ ନେଇ ଫୁଲବାଣୀ ଏସ୍ଏସ୍ଏରେ ଖଞ୍ଜିବା ପାଇଁ କୁହାଯାଇଥିଲା । ୧୭ଟି ସ୍ଥାନରୁ ଉପକରଣ ହଟାଇ ନିଆଯାଇ ସେଠାରେ ୪ଜି ସେବା ବଦଳରେ ଗ୍ରାହକ ୨ଜି ସେବା ଉପଲବ୍ଧ ହେବ। ଏହା ଫଳରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଆମପାଣି, ବେହେରା, ବିଜମରା, ଚିଚୈଗୁଡା, ଚିଲିଗୁଡା, ଗୋଲାମୁଣ୍ଡା, ଘୁଗୁରପଲା, ହାତିବନ୍ଧା, ଜାରିଙ୍ଗ, କାଉଡୋଲା, କୁଲିଆବନ୍ଧ,ଲଡୁଗାଁ, ମହିଚଲା, ମୋଟେର, ପାଷ୍ଟିକୁଡି, ସରବଙ୍ଗ, ତରବୋଡ଼, ଥୁଆପଦର ଆଦି ଅଞ୍ଚଳରେ ନେଟୱାର୍କ ପ୍ରଭାବିତ ହେବ ।
ବର୍ତ୍ତମାନ ପୁରୁଣା ବେଟେରୀ ଗୁଡିକରେ ହିଁ ଉକ୍ତ ନେଟୱର୍କ ସବୁ ସଂଚାଳିତ ହେବା ଯୋଗୁଁ ଆବଶ୍ୟକ ମୁତାବକ ସେବା ମିଳିପାରୁନାହିଁ। ଏହି ବେଟେରୀ ବଦଳରେ ଜେନେରେଟର ସବୁ କିଣାଯାଇ ନେଟୱର୍କର ସୁବିତରଣ ଦିଗରେ ଦୃଷ୍ଟି ଦେଲେ ବେଶୀ ଡାଟା ବ୍ୟବହାର ହେବା ସହ ସେହି ଅଂଚଳମାନଙ୍କର ଲୋକେ ଉପକୃତ ହେବେ। ଏହାର ପ୍ରତିବାଦରେ ରାଜ୍ୟସଭା ସାଂସଦ ସୁଜିତ କୁମାର କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଲିଖିତ ଅଭିଯୋଗ କରି ଏହାର ପୁନର୍ବିଚାର ପାଇଁ ଚିଠି ଲେଖିଥିଲେ । ଆଜି ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରେ ଶୂନ୍ୟକାଳରେ ଏହାର ପୁନର୍ବିଚାର ପାଇଁ ଦାବୀ ଉପସ୍ଥାପନ କରିଥିଲେ । ଏନେଇ ସାଂସଦ ସୁଜିତ କୁମାରଙ୍କୁ ପଚାରିବାରୁ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କୁ ଏ ବିଷୟରେ ଲିଖିତ ଭାବେ ଜଣାଇଥିଲି । ଆଜି ପ୍ରଶ୍ନ ଉପସ୍ଥାପନ ପରେ ବିଭାଗ ପକ୍ଷରୁ ନିଶ୍ଚିତ ଭାବରେ ଏହାର ପୁନଃବିଚାର କରିବେ ବୋଲି ମୁଁ ଆଶାବାଦୀ ଅଛି ବୋଲି କହିଥିଲେ ।