ଗୋତି ଶ୍ରମିକଙ୍କ ମୁକ୍ତି ଓ ଥଇଥାନ ପ୍ରସଙ୍ଗ, ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଗୋତି ଶ୍ରମିକଙ୍କ ମୁକ୍ତି ଓ ଥିଇଥାନ ପ୍ରସଂଗ ନେଇ ଦାୟର ଜନସ୍ବ‌ାର୍ଥ ମାମଲାରେ ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେଉଁସ୍ଥାନରେ ନିର୍ଦ୍ଦିଷ୍ଟ ଭାବେ କେତେ ଗୋତି ଶ୍ରମିକ ରହିଛନ୍ତି ସେମାନଙ୍କ ସଂକ୍ରାନ୍ତରେ ବିବରଣୀ ଅତିରିକ୍ତ ସତ୍ୟପାଠ ମାଧ୍ୟମରେ ଦେବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଘାମ୍ବର ପଟ୍ଟନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଢେଙ୍କାନାଳ ଜିଲ୍ଲାରେ ଗୋତି ଶ୍ରମିକ ରହିଛନ୍ତି। ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଦାଖଲ ପାଇଁ ୧୫ ଦିନ ସମୟ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ।

ହାଇକୋର୍ଟ ଏଥି ପାଇଁ ଅନୁମତି ପ୍ରଦାନ କରିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୨କୁ ଧାର୍ଯ୍ୟ କରିଛନ୍ତି।
ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ ଗୋତି ଶ୍ରମିକଙ୍କ ମୁକ୍ତି ପାଇଁ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ କେତେକ ସ୍ଥାନରେ ଏବେ ମଧ୍ୟ ଲୋକମାନେ ବେଠି ଖଟୁଛନ୍ତି। ଗୋତି ଶ୍ରମିକ ପ୍ରଥାର ଏମାନେ ଶିକାର। ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ ହୋଇ ସାରିଥିବା ବେଳେ ଏବେ ବି ଏପରି ସ୍ଥିତି ଲାଗି ରହିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ ମାମଲା ପରିଚାଳନା କରୁଥିବାବେଳେ ଜୟନ୍ତୀ ନାୟକ, ସୁରେନ୍ଦ୍ର କୁମାର ରାଉତ, ସରୋଜ ଭୂୟାଁ ସହୟତା କରୁଛନ୍ତି।

ସମ୍ବନ୍ଧିତ ଖବର