ଶିଶୁଙ୍କ ପାଇଁ ଲେଖିବାକୁ ହେଲେ ନିଜକୁ ଶିଶୁ ହେବାକୁ ପଡ଼େ: ଜୟରାମ ଟୁଡୁ

ଭୁବନେଶ୍ୱର: ପ୍ରଖ୍ୟାତ ସାନ୍ତାଳୀ ଲେଖକ ଜୟରାମ ଟୁଡୁ ରବିବାର ଦିନ କେନ୍ଦ୍ର ସାହିତ୍ୟ ଅକା‌ଦେମି ପକ୍ଷରୁ ସାନ୍ତାଳୀ ଭାଷାରେ ‘ବାଲ୍‌ ସାହିତ୍ୟ ପୁରସ୍କାର’ରେ ପୁରସ୍କୃତ ହୋଇଛନ୍ତି। ଓଡ଼ିଶାର ପ୍ରଥମ ଆଦିବାସୀ ମନ୍ତ୍ରୀ ସୁନାରାମ ସୋରେନ୍‌ଙ୍କ ଜୀବନୀ ଉପରେ ଆଧାରିତ ଆତ୍ମଜୀବନୀ ‘ଭଞ୍ଜ କୁଲ୍‌ ଭୁର୍‌କା: ଇପିଲ ସୁନାରାମ ସୋରେନ୍‌’ ପାଇଁ ଶ୍ରୀ ଟୁଡୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୧୯୬୪ ମସିହା ଅକ୍ଟୋବର ୧୨ ତାରିଖରେ ମୁଣ୍ଡାବନୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଟୁଡ଼ୁ ସାନ୍ତାଳୀ ଭାଷାରେ ସ୍ନାତକୋତ୍ତର କରିଥିବା ବେଳେ ଏଲ୍‌ଏଲ୍‌ବି ଶିକ୍ଷା ମଧ୍ୟ ଶେଷ କରିଛନ୍ତି। ୧୯୮୩ ମସିହାରୁ ସେ କଲେଜରେ ପଢ଼ୁଥିବା ସମୟରୁ ନାଟକ ଲେଖିବା ଆରମ୍ଭ କରିଥିଲେ।

ରବିବାର ଦିନ ପୁରସ୍କାର ଗ୍ରହଣ ପରେ ଖୁସିବ୍ୟକ୍ତ କରି ସେ କହିଛନ୍ତି, ହାଇସ୍କୁଲରେ ପଢ଼ିବା ସମୟରୁ ହିଁ ମୁଁ ଲେଖିବା ଆରମ୍ଭ କରିଛି। ପିଲାଦିନୁ କିଛି କିଛି ଲେଖା ମୋର ପତ୍ରପତ୍ରିକାରେ ପ୍ରକାଶ ପାଉଥିଲା। ଏହାପରେ ୨୦୧୨ ମସିହାରେ ବିଧିବଦ୍ଧ ଭାବେ ଲେଖାଲେଖି ଆରମ୍ଭ କରିଥିଲି। ପିଲାଙ୍କ ଜୀବନ, ସେମାନଙ୍କ ରୁଚି, ମନକୁ ବୁଝି ଶିଶୁ ସାହିତ୍ୟ ଲେଖିବାକୁ ହୁଏ। ଶିଶୁ ସାହିତ୍ୟ ଲେଖିବା ବେଳେ ନିଜକୁ ଶିଶୁଟିଏ ହେବାକୁ ପଡ଼େ। ବଡ଼ମାନଙ୍କ ପାଇଁ ଲେଖିବା ବେଳେ ଏସବୁର ଆବଶ୍ୟକତା ପଡ଼େନାହିଁ। ଶିଶୁ ଲେଖା ପାଇଁ ଶିଶୁ ନ ହେ‌ଲେ ଏହା ପିଲାଙ୍କୁ ସ୍ପର୍ଶ କରିପାରିବନି ବୋଲି ସେ ଏହି ଅବସରରେ କହିଥିଲେ।

ସମ୍ବନ୍ଧିତ ଖବର