କାନ୍ଥ ପଡ଼ି ୧୦ ମାସର ପୁଅ ମୃତ; ଜେଜିମା, ବାପା, ମାଆ ଓ ଭଉଣୀ ଆହତ

ଦିଗପହଣ୍ଡି: ଶୁକ୍ରବାର ପାହାନ୍ତାରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଗୌଡ଼ଗାଁ ଗ୍ରାମ ପଞ୍ଚାୟତ ଅଞ୍ଚଳର ବଜ୍ରଗୁମା ଗାଁରେ ଗୋଟାଏ ମାଟିଘରର କାନ୍ଥ ଭାଙ୍ଗି ପଡ଼ିବାରୁ ଜଣେ ୧୦ ମାସର ପୁଅର ମୃତ୍ୟୁ ଘଟିଛି ଏବଂ ସେ ପରିବାରର ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

ମୃତ ବାଳକ ହେଉଛି ସତ୍ୟ ନାୟକ। ଏହି ଘଟଣାରେ ଆହତ ହୋଇଛନ୍ତି ତା’ର ବାପା ୩୦ ବର୍ଷିୟ ସନ୍ତୋଷ ନାୟକ, ୨୫ ବର୍ଷୀୟ ମାଆ ବନୀତା, ୬୫ ବର୍ଷୀୟ ଜେଜିମା ରାହାସ ଏବଂ ୫ ବର୍ଷୀୟ ଭଉଣୀ ପ୍ରିୟଙ୍କା।

ଲଘୁଚାପ ପ୍ରକୋପରୁ ଅନବରତ ବର୍ଷା ଯୋଗୁଁ ସେମାନେ ଶୋଇଥିବା ମାଟିଘରର କାନ୍ଥ ବତୁରି ଯାଇଥିଲା ଏବଂ ରାତି ପ୍ରାୟ ୪: ୩୦ରେ ତାହା ଭାଙ୍ଗି ସେମାନଙ୍କ ଉପରେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ସତ୍ୟର ମୃତ୍ୟୁ ଘଟିଥିଲା।

ଗାଁ ଲୋକେ ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇଛନ୍ତି।

ସମ୍ବନ୍ଧିତ ଖବର