ଭୁବନେଶ୍ୱର : ହାଇଦ୍ରାବାଦର ଏଆଇଜି ହସ୍ପିଟାଲର କନଫରେନ୍ସ ହଲରେ ତେଲେଙ୍ଗାନା ଓଡ଼ିଶା ଡାକ୍ତର ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ‘ଟୋଡାକନ୍-୨୦୨୩’ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ, ଏଠାରେ ରହୁଥିବା ଓଡ଼ିଶାର ଡାକ୍ତରଙ୍କ ମଧ୍ୟରେ ଏକତା ରହିବା ଅପରିହାର୍ଯ୍ୟ। ଡାକ୍ତରମାନଙ୍କ ଏହି ସଂଗଠନ ସମୃଦ୍ଧ ଓଡ଼ିଆ ସଂସ୍କୃତିକୁ ବାହାରେ ପରିଚିତ କରିବା ପାଇଁ ଏକ ପ୍ଲାଟ୍ଫର୍ମ ଯୋଗାଇଛି। ମେଡିକାଲ ସାଇନ୍ସ କ୍ଷେତ୍ରରେ ଏହି ସଂଗଠନ ଆଗକୁ ପ୍ରମୁଖ ଭୂମିକା ନିର୍ବାହ କରୁ ବୋଲି ସେ କାମନା କରିଥିଲେ।
ତେଲେଙ୍ଗାନା ଏନ୍ଏଚ୍ଏମ୍ ମିସନ୍ ନିର୍ଦ୍ଦେଶିକା ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କମିସନର୍ ଶ୍ବେତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଆଇଜି ହସ୍ପିଟାଲ୍ ଅଧ୍ୟକ୍ଷ ଡା. ନାଗେଶ୍ୱର ରେଡ୍ଡୀ, ଉପାଧ୍ୟକ୍ଷ ପି.ଭି ରାଜୁ ଓ ନିର୍ଦ୍ଦେଶକ ଡା. ଜିଭି ରାଓ, ଟୋଡାକନ୍ ସଭାପତି ସୁନୀଲ ସ୍ବାଇଁଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ।