ଆଜି ୧୫ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ବର: ରାଜ୍ୟ‌ରେ କାଳବୈଶାଖୀ ପ୍ରକୋପ ଜାରି ରହିଥିବା ବେଳେ ଆସନ୍ତାକାଲି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ସମଗ୍ର ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଅଞ୍ଚଳରେ ବୁଧବାର ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ଓ ରାୟଗଡ଼ା ଆଜି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

ଅନ୍ୟପଟେ ଆଜି ପଶ୍ଚିମ ଓଡ଼ିଶାର ୪ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ବୌଦ୍ଧଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବଲାଙ୍ଗୀରରେ ୪୨.୨ ଡିଗ୍ରି, ଟିଟିଲାଗଡ଼ରେ ୪୧.୬ ଡିଗ୍ରି ଓ ଭବାନୀପାଟଣାରେ ୪୧ ଡିଗ୍ରି ତାପମା‌ତ୍ରା ରେକର୍ଡ ‌ହୋଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରା‌ଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ କିଛି ଅଞ୍ଚଳର ତାତି ୨ରୁ ୩ ଡିଗ୍ରି ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଆଜି ସକାଳେ ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଏଥିସହ ଆସନ୍ତା ୪୮ ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ଆରବ ସାରଗରର କିଛି କିଛି ଅଞ୍ଚଳ, ଦକ୍ଷିଣ-ପୂର୍ବ ଆରବ ସାଗରର ଆଉ କିଛି ଅଞ୍ଚଳ ଏବଂ ଦକ୍ଷିଣ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋସାଗର ଓ ଉତ୍ତରପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଯିବ।

ସମ୍ବନ୍ଧିତ ଖବର