ଅନୁଗୁଳ: ଜାତୀୟ ରାଜପଥ ନମ୍ବର ୫୫ର ଶୋଚନୀୟ ଅବସ୍ଥାକୁ ନେଇ ଉଭୟ ଢେଙ୍କାନାଳ ଓ ଅନୁଗୁଳି ଜିଲ୍ଲାରେ ଜୋରଦାର ବିରୋଧ ହେଉଛି। ଶୁକ୍ରବାର ଢେଙ୍କାନାଳ ଜିଲ୍ଲାରେ ବନ୍ଦ ପାଳନ ସଫଳ ହୋଇଥିବା ବେଳେ ରବିବାର ଅନୁଗୁଳରେ ବନ୍ଦ ପାଳନ କରାଯାଉଛି। ଢେଙ୍କାନାଳ ଓକିଲ ସଂଘ ପରେ ଏବେ ଅନୁଗୁଳ ଓକିଲ ସଂଘ ଏଥିପାଇଁ ଅଣ୍ଟା ଭିଡିଛି। ଆସନ୍ତାକାଲି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଯାଏ ଅନୁଗୁଳ ଜିଲ୍ଲାର ଜାତୀୟ ରାଜପଥକୁ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏ ବନ୍ଦ ପାଳନ କେବଳ ଜାତୀୟ ରାଜପଥରେ କରାଯିବ, ବଇଣ୍ଡାଠାରୁ ଆରମ୍ଭ କରି ବଅଁରପାଳ ଯାଏ ୫୫ନମ୍ବର ଜାତୀୟ ରାଜପଥକୁ ଅଚଳ କରାଯିବ। କେବଳ ଅନୁଗୁଳ କି ବଅଁରପାଳ ନୁହେଁ, ଏ ବନ୍ଦରେ ତାଳଚେର, ଛେଣ୍ଡିପଦା, ପାଳଲହଡ଼ା, ଆଠମଲ୍ଲିକ ଓକିଲ ସଂଘ ସହିତ, ଟ୍ରକ୍ ମାଲିକ ସଂଘ, ବସ୍ ମାଲିକ ସଂଘ, ବିଭିନ୍ନ ଶ୍ରମିକ ସଂଗଠନ, ବିଭିନ୍ନ ରାଜନୈତିକ ଦଳ ସାମିଲ୍ ହେବାକୁ ଅନୁରୋଧ କରାଯାଇଛି। ମରଣଯନ୍ତା ପାଲଟିଥିବା ଏ ରାସ୍ତା ସମସ୍ୟା ନେଇ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ(ଏନ୍ଏଚ୍ଏଆଇ)ଙ୍କ ସହିତ ଆଲୋଚନା କରିଥିଲେ। ତୁରନ୍ତ ରାସ୍ତା ମରାମତି କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ତଦନୁସାରେ, ଆସନ୍ତାକାଲି ଏନ୍ଏଚ୍ଏଆଇର ଏକ ଉଚ୍ଚସ୍ତରୀୟ କମିଟି ଅନୁଗୁଳକୁ ଆସିବେ ବୋଲି କୁହାଯାଉଛି। ଏହି ସମୟରେ ଏ ପ୍ରକାର ବନ୍ଦ ପାଳନ ସରକାରୀ କଳ ଉପରେ ଆହୁରି ଚାପ ପକାଇବ ବୋଲି କୁହାଯାଉଛି। ଏଥିରେ ବିରୋଧୀ ବିଜେପି ସହିତ ସରକାରୀ ଦଳ ବିଜେଡିର ସମର୍ଥନ ରହିବ ବୋଲି ଜଣାପଡ଼ିଛି।
ଅନୁଗୁଳ ବାର୍ ଆସୋସିଏସନ୍ ପ୍ରେକ୍ଷାଳୟରେ ସଂଘ ସଭାପତି ଦିଲୀପ କୁମାର ସାହୁଙ୍କ ନେତୃତ୍ବରେ ଏ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ଲାଇଫ୍ ଲାଇନ୍ କୁହାଯାଉଥିବା ୫୫ନମ୍ବର ଜାତୀୟ ରାଜପଥର ଯେମିତି ଅବସ୍ଥା ହୋଇଛି, ତାହା ଅକଥନୀୟ। ରାସ୍ତାରେ ଥରେ ଯିଏ ଯାଇଛି, ସେ ଅଙ୍ଗେ ନିଭାଇଛି। ଏହାକୁ ବିରୋଧ କରି ଢେଙ୍କାନାଳରେ ଗତକାଲି ବନ୍ଦ ପାଳନ ସଫଳ କରାଯାଇଥିଲା। ଆସନ୍ତାକାଲି ଅନୁଗୁଳ ଓକିଲ ସଂଘ ଆହ୍ବାନ କ୍ରମେ ଦିଆଯାଇଥିବା ଆନ୍ଦୋଳନ ଡାକରାକୁ ଜିଲ୍ଲାର ରାଜନୈତିକ ଦଳଗୁଡ଼ିକ ସମର୍ଥନ ଦେଇଛନ୍ତି। ବନ୍ଦ ପାଳନ ପାଇଁ ଜିଲ୍ଲାର ଅନ୍ୟାନ୍ୟ ବାର୍ ଆସୋସିଏସନ୍କୁ ଅନୁରୋଧ କରାଯାଇଛି। ନିଜ ନିଜ ଅଞ୍ଚଳର ଜାତୀୟ ରାଜପଥକୁ ସେଠାରେ ଅବରୋଧ କରାଯିବ ବୋଲି ସଂଘ ସଭାପତି ଶ୍ରୀ ସାହୁ କହିଛନ୍ତି। ଏ ବନ୍ଦ ପାଳନ କେବଳ ଜାତୀୟ ରାଜପଥରେ କରାଯିବ। ଦୋକାନ ବଜାର ବନ୍ଦ ପାଇଁ ବାଧ୍ୟ କରାଯିବ ନାହିଁ। ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି। ବନ୍ଦ ପାଳନ ପରେ ସୋମବାର ଦିନ ଏକ ସାଧାରଣ ବୈଠକ ବସିବ। ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ ଏ ଦିଗରେ ତ୍ବରିତ ପଦକ୍ଷେପ ନ ନେଲେ ଆଗାମୀ ଏହା ବିରୋଧରେ କି’ ପ୍ରକାର ପଦକ୍ଷେପ ନିଆଯିବ, ତାହା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସଂଘ ସାଧାରଣ ସମ୍ପାଦକ ଧୃବଚରଣ ସାହୁ, କୋଷାଧ୍ୟକ୍ଷ ଗୋପାଳ ପ୍ରସାଦ ଅଗ୍ରୱାଲା ଉପସ୍ଥିତ ଥିଲେ।
ଏ ବନ୍ଦ ପାଳନ ପାଇଁ ଶାସକ ବିଜେଡି ସଜବାଜ ହୋଇଛି। ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ କହିଛନ୍ତି, ମାଟି ଆମ ପାଇଁ ବଡ଼। ରାସ୍ତା ସମସ୍ୟା ପାଇଁ ଓକିଲ ସଂଘ ଦେଇଥିବା ଡାକରାକୁ ଆମେ ସମର୍ଥନ ଦେଉଛୁ। ଅନ୍ୟ ପକ୍ଷରେ ଆନ୍ଦୋଳନକୁ ନେଇ ବିଜେପି ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ କହିଛନ୍ତି, ଏ ରାସ୍ତା ହେଉଛି ଜନତାଙ୍କର। ଯାହା ମରାମତି ନିହାତି ଜରୁରୀ। ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏ ଆନ୍ଦୋଳନକୁ ବିଜେପି ସମର୍ଥନ କରୁଛି। ରାସ୍ତାର ଏ ପ୍ରକାର ଅବସ୍ଥା ପାଇଁ ଯିଏ ଦାୟୀ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/17-20.jpg)