ମହାନଦୀ ଉପରେ ଆଜି ପୁଣି ଆଲୋଚନା

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଉପରେ ଚାପ ସୃଷ୍ଟି ଲାଗି ଆସନ୍ତାକାଲି ବିଧାନସଭାରେ ପୁଣି ଏକ ମୋସନ ଆଣିବେ ସରକାର। ‘ମହାନଦୀ ଅନ୍ତଃରାଜ୍ୟ ଜଳବିବାଦରେ କାଳବିଳମ୍ବ ନ କରି କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରନ୍ତୁ’ ଶୀର୍ଷକରେ ଆସୁଥିବା ଏହି ମୋସନ ଉପରେ ୪ ଘଣ୍ଟା ଧରି ଆଲୋଚନା ହେବ। ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏହି ମୋସନ ଆଗତ କରିବେ। ଆଜି ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟପରାମର୍ଶଦାତା କମିଟି ବୈଠକରେ ସବୁ ଦଳର ନେତାଙ୍କ ଉପସ୍ଥିତିରେ ଏ ନେଇ ଆଲୋଚନା ହୋଇ ସମୟ ଧାର୍ଯ୍ୟ ହୋଇଥିଲା। ଆସନ୍ତାକାଲି ମୁଲତବୀ ପ୍ରସ୍ତାବ ନିଆଯିବ ନାହିଁ ବରଂ ୧୨ଟାରୁ ହିଁ ଏହି ମୋସନ ଆଲୋଚନାକୁ ଆସିବ। ଶେଷରେ ମହାନଦୀ ପ୍ରସଙ୍ଗରେ ସର୍ବସମ୍ମତ ସଂକଳ୍ପ ଆସିବା ସମ୍ଭାବନା ଅଧିକ ବୋଲି ସୂଚନା ମିଳୁଛି।

ଉଲ୍ଲେଖଯୋଗ୍ୟ, ବିଧାନସଭାର ଶୀତ ଅଧିବେଶନରେ ସରକାରଙ୍କ ପକ୍ଷରୁ ମହାନଦୀ ପ୍ରସଙ୍ଗରେ ଏହା ଦ୍ୱିତୀୟ ମୋସନ ହେବ। ପ୍ରଥମ ମୋସନ ଉପରେ ଆଲୋଚନା ପରଦିନ ଗୃହ କମିଟି ଗଠନ ପାଇଁ ସ୍ଥିର ହୋଇଥିଲା ଓ ଏହି ପ୍ରସଙ୍ଗରେ ଆଗକୁ ମୁଖ୍ୟମନ୍ତ୍ରୀ ସବୁ ଦଳକୁ ନେଇ ଆଲୋଚନା ବଢିବେ ବୋଲି ସୂଚନା ଦେଇଥିଲେ। ତେବେ ଗୃହ କମିଟିରେ କିଏ ରହିବେ ସେ ନେଇ ବାଚସ୍ପତି ଏଯାଏ ତାଙ୍କ ରୁଲିଂ ଶୁଣାଇନାହାନ୍ତି।

ସମ୍ବନ୍ଧିତ ଖବର