ପୁରୀ/ସାକ୍ଷୀଗୋପାଳ: ବୁଧବାର ପବିତ୍ର ଅଁଳା ନବମୀ। ଦୁଇବର୍ଷର କୋଭିଡ୍ଜନିତ କଟକଣା ପରେ ପୁଣିଥରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧାରାଣୀଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ଅର୍ଜିବେ ଭକ୍ତ। ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମନ୍ଦିରରେ ଦ୍ବାରଫିଟା ସହ ଅନ୍ୟାନ୍ୟ ନୀତିକାନ୍ତି ପରେ ବଡ଼ି ଭୋର୍ରୁ ମା’ ରାଧାଙ୍କ ପାଦ ଦର୍ଶନ ଆରମ୍ଭ ହେବ। କିନ୍ତୁ, ଚଳିତବର୍ଷ ଜିଲ୍ଲା ପ୍ରଶାସନ କେବଳ ରାଧାପାଦ ଦର୍ଶନକୁ ଅନୁମତି ଦେଇଛି। ରାଧାପାଦ ସ୍ପର୍ଶ ଉପରେ କଟକଣା ଲଗାଯାଇଛି। କେହି ବି ଭକ୍ତ ଶ୍ରୀ ରାଧାଙ୍କ ପାଦକୁ ଛୁଇଁ ପାରିବେନାହିଁ ବୋଲି କଡ଼ାକଡ଼ି ନିର୍ଦ୍ଦେଶ ରହିଛି।
ଅନ୍ୟପଟେ ସାକ୍ଷୀଗୋପାଳ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଇନଶୃଙ୍ଖଳା ଉପରେ ନଜର ରଖିବା ପାଇଁ ୩ଜଣ ମାଜିଷ୍ଟ୍ରେଟ୍ଙ୍କ ସହ ୮୯ଜଣ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସ୍ଡିପିଓ ଦେବଦତ୍ତ ବରାଳ ପ୍ରମୁଖ ଆଜି ଘଟଣାସ୍ଥଳ ପରିଦର୍ଶନ ସହ ସ୍ଥିତି ସମୀକ୍ଷା କରିଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ଆଗରେ ବାରିକେଡିଂ କରାଯାଇଛି। ସିଂହଦ୍ବାର ଦେଇ ଭକ୍ତଙ୍କ ପ୍ରବେଶ ଓ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।
ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି, ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ ହୋଇନଥିଲେ ବି ରାଧାପାଦ ଦର୍ଶନ ପାଇଁ ବଡ଼ି ଭୋରରୁ ମନ୍ଦିର ଭିତରକୁ ଭକ୍ତଙ୍କୁ ଛାଡ଼ିବାର ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ସାକ୍ଷୀଗୋପାଳ କଲେଜ ପାଖ ପଡ଼ିଆଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକଙ୍କ ପାଇଁ କୋଟ ଉପର ପଡ଼ିଆଠାରୁ ସାକ୍ଷୀଗୋପାଳ ମନ୍ଦିର ଦୋଳବେଦି ପର୍ଯ୍ୟନ୍ତ ୪ଟି ବ୍ୟାଟେରି ଗାଡ଼ିର ବ୍ୟବସ୍ଥା କରାଯାଇଛି। ଏହି ଗାଡ଼ି ବରିଷ୍ଠ ନାଗରିକଙ୍କୁ ନେବାଆଣିବା କରିବ। ପ୍ରଥମଥର ଦୁର୍ଘଟଣାଜନିତ ସମସ୍ୟାର ତତ୍କାଳ ସମାଧାନ ଓ ବେଆଇନ୍ ପାର୍କିଂ ଉପରେ ନଜର ରଖିବା ପାଇଁ କ୍ରେନ୍ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।