ଛତ୍ରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ୧୯୫୨.୮୯ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ସେହିପରି ୨୨ହଜାର ୨୦୦ ସ୍ବୟଂ ସହାୟିକା ଗୋଷ୍ଠୀର ୨.୨୪ ଲକ୍ଷ ମିସନ୍ ଶକ୍ତି ମହିଳାଙ୍କୁ ଋଣ ଓ ସହାୟତା ଏବଂ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଟକ ଘରଡିହ ପଟ୍ଟା ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ କବିସୂର୍ଯ୍ୟନଗର ଓ ସେଠାରୁ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା ପରେ ଅପରାହ୍ଣରେ ଜିଲ୍ଲା ସଦରମହକୁମା ଛତ୍ରପୁରରେ ପହଞ୍ଚିବେ। ଛତ୍ରପୁର ଷ୍ଟାଡ଼ିୟମରେ ଆୟୋଜିତ ସଭାରେ ଯୋଗ ଦେଇ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଅନ୍ୟପକ୍ଷରେ ଆଜି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ଷ୍ଟାଡ଼ୟମରେ ପ୍ରସ୍ତୁତି ତଦାରଖ କରିଛନ୍ତି। ସେହିପରି ବ୍ରହ୍ମପୁର ଏସ୍.ପି.ଡା.ଶରବଣା ବିବେକ ଏମ୍, ଗଞ୍ଜାମ ଏସ୍.ପି.ଜଗମୋହନ ମୀନା, ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍, ବିଏମ୍ସି କମିସନର୍ ଜେ.ସୋନାଲ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଛତ୍ରପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଡିଆଇବି ଡିଏସ୍ପି ଅଜୟ କୁମାର ମିଶ୍ର, ଛତ୍ରପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ରାଜକିଶୋର ବଲ୍ଲଭଙ୍କ ସମେତ ବହୁ ଅଧିକାରୀ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ଛତ୍ରପୁରରେ ୧୪ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୫୦ ଜଣ ଅଫିସର ନିୟୋଜିତ ରହିବେ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/3-18.jpg)