ଭୁବନେଶ୍ବର: ବଲାଙ୍ଗୀରରେ ଆଜି ଦ୍ବିତୀୟ ଥର ଲାଗି ନିର୍ବାଚନୀ ସଭା କରିଛନ୍ତି ରାହୁଲ। ଆସନ୍ତାକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍‌ଗେ ଓଡ଼ିଶା ଗସ୍ତରେ ଆସିବା ସହ କନ୍ଧମାଳରେ ସଭା କରିବେ। ଓଡ଼ିଶାର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳକୁ କେନ୍ଦ୍ରୀୟ କଂଗ୍ରେସ ନେତାଙ୍କ ଓଡ଼ିଶାରେ ଭିଡ଼ ଜମିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Advertisment

ଶ୍ରୀ ଖଡ଼୍‌ଗେ ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବା ପରେ ମେ’ ଫେୟା‌ରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ। ଅପରାହ୍‌ଣ ୩ଟାରେ ଫୁଲବାଣୀରେ ଏକ ସାଧାରଣ ସଭାରେ ଯୋଗ ଦେବେ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭିତରେ କଂଗ୍ରେସର କୌଣସି ଶୀର୍ଷ ନେତୃତ୍ବ ଓଡ଼ିଶାକୁ ପ୍ରଚାର ପାଇଁ ଆସି ନ ଥିଲେ। ଏବେ ଦ୍ବିତୀୟ ପର୍ଯ୍ୟାୟ ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି। ଓଡ଼ିଶାରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳକୁ ବହୁ ସଂଖ୍ୟାରେ କଂଗ୍ରେସ ନେତା ଓଡ଼ିଶା ଗସ୍ତରେ ଆସିବେ ପ୍ରଚାର କରିବେ। କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତି କହିଛନ୍ତି, ଖୁବଶୀଘ୍ର ରାହୁଲ ଗାନ୍ଧୀ ପୁଣିଥରେ ଓଡ଼ିଶାକୁ ପ୍ରଚାର ପାଇଁ ଆସିବେ। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳକୁ ବହୁ ସଂଖ୍ୟାରେ କଂଗ୍ରେସ ନେତା ଭିନ୍ନ ଭିନ୍ନ ନିର୍ବାଚନୀ କ୍ଷେତ୍ରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବହୁ କାର୍ଯ୍ୟକ୍ରମ କରାଯିବ।

ଅପରପକ୍ଷରେ ମାସେ ତଳେ ସାଲେପୁର ସଭାରେ ରାହୁଲ ଗାନ୍ଧୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ। କିନ୍ତୁ ଆଜିର ବଲାଙ୍ଗୀର ସଭାରେ କେବଳ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ୍‌ କରିଥିଲେ। ‌ବିଜେଡି ବିରୋଧରେ କିଛି କହି ନ ଥିଲେ। ଓଡ଼ିଶାରେ ରାଜ୍ୟ କଂଗ୍ରେସ ନିଜକୁ ଏକମାତ୍ର ବିକଳ୍ପ ବୋଲି କହିଆସୁଛି। ବିଜେପି-ବିଜେଡିର ବାହାଘରଠାରୁ ଆରମ୍ଭ କରି ‘ପାନ୍’ ବିକ୍ରି କରିବା ଭଳି କାର୍ଯ୍ୟକ୍ରମ କରୁଛି। ଏଭଳି ପରିସ୍ଥିତିରେ ରାହୁଲ ବିଜେଡି ବିରୋଧରେ ଆଜି ଚୁପ୍ ରହିବା କଂଗ୍ରେସ ଶିବିରକୁ ନିରାଶ କରିଛି। ଏ ପ୍ରସଙ୍ଗରେ ଶ୍ରୀ ମହାନ୍ତି କହିଛନ୍ତି, ସାଲେପୁର ସଭାରେ ବିଜେପି ଓ ବିଜେଡି ବିରୋଧରେ ରାହୁଲ ସମାଲୋଚନା କରିଥିଲେ। ଯେହେତୁ ଓଡ଼ିଶାକୁ ଲଗାତାର ଭାବେ ବିଜେପିର ନେତାମାନେ ଆସୁଛନ୍ତି ଓ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି ତେଣୁ ଏହାର ବିରୋଧରେ ଆଜି ରାହୁଲ ମୁହଁ ଖୋଲିଛନ୍ତି। ଏହା ପଛରେ ଅନ୍ୟ କିଛି କାରଣ ନାହିଁ ବୋଲି ସେ କହିଛନ୍ତି।