ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ଆଜି

ସମ୍ବଲପୁର: ଆଜି ସୋମବାର ୧୮ ତାରିଖ ଦିନ ୧୧ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ୨୦୨୧ ମସିହା ଜୁଲାଇ ୧୧ ତାରିଖ ଦିନ ଗତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା। ସେହି ସମୟରେ ଜଳଭଣ୍ଡାର ଜଳସ୍ତର ୬୧୧ ଫୁଟ୍ ରହିଥିଲା। ୧୮ ତାରିଖ ଦିନ ଜଳଭଣ୍ଡାର ଜଳସ୍ତର ୬୧୫ ଫୁଟ୍‌ରେ ପହଂଚିବ ବୋଲି ଆକଳନ କରାଯାଇଛି।

ରବିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨.୧୦ ଫୁଟ୍ ରହିଥିବା ବେ‌ଳେ ଜଳଭଣ୍ଡାରକୁ ୧ ଲକ୍ଷ ୩୯ ହଜାର ୪୩୦ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ସେହି ସମୟରେ ଜଳଭଣ୍ଡାରରୁ ୩୯ ହଜାର ୧୨୧ କ୍ୟୁସେକ ଜଳ ବିଭିନ୍ନ କେନାଲ ଓ ପାୱାର ଚାନେଲ ଦେଇ ନିଷ୍କାସିତ ହେଉଥିଲା। ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେବା ଦ୍ବାରା ମହାନଦୀ ଓ ତାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ, ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଳମ୍ବନ କରିବାକୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର