ଆଜି ବିଶ୍ବ ହସ୍ତୀ ଦିବସ: ଜୀବନ ଯାଉଛି… ଜୀବନ ନେଉଛି…

ହାତୀ-ମଣିଷ ଲଢ଼େଇ: ୬ ବର୍ଷରେ ମଲେଣି ୧୪୬ ହାତୀ, ୧୯୨ ମଣିଷ

ଆଜି ବିଶ୍ବ ହସ୍ତୀ ଦିବସ…। ମଣିଷ-ହାତୀ ଲଢ଼େଇରେ କେତେବେଳେ ମଣିଷର ଜୀବନ ଯାଉଛି ତ କେବେ ହାତୀର..। ପ୍ରକୃତିର ଅବକ୍ଷୟ ବି ହାତୀକୁ ମରଣ ମୁହଁକୁ ଠେଲିଦେଇଛି। ହାତୀର ସୁରକ୍ଷା ପାଇଁ ଯୋଜନା ହେଉଛି, ଏହା କେତେ ଫଳପ୍ରଦ ହେଉଛି ତାହା ବି ଏକ ପ୍ରଶ୍ନ। ଆଜିର ସ୍ବତନ୍ତ୍ର ଦିବସରେ ଏହି ବନ୍ୟପ୍ରାଣୀ ପାଇଁ ଚିନ୍ତା କରିବାର ସମୟ ଆସିଛି…
‘ସମ୍ବାଦ’ର ସ୍ବତନ୍ତ୍ର ପ୍ରତିବେଦନ…

ଅନୁଗୁଳ: ଦିନକୁ ଦିନ ବଢିବାରେ ଲାଗିଛି ହାତୀ-ମଣିଷ ଲଢେଇ। ମହାନଦୀ ହାତୀ କରିଡ଼ର ଅଂଚଳରେ ଆସୁଥିବା ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ହାତୀ-ମଣିଷର ଏ ଲଢ଼େଇ କ୍ରମଶଃ ତୀବ୍ର ହୋଇଛି। ଗତ ୬ ବର୍ଷ ଆଉ ୪ ମାସ ମଧ୍ୟରେ ଏହି ଦୁଇ ଜିଲ୍ଲାରେ ୧୪୬ଟି ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୧୯୨ ଜଣଙ୍କର ପ୍ରାଣହାନି ଘଟିଛି। ଅନୁଗୁଳ ତୁଳନାରେ ଢେଙ୍କାନାଳ ଜିଲ୍ଲାରେ କିନ୍ତୁ ହାତୀ-ମଣିଷର ସଂଘର୍ଷ ଅଧିକ ଉଦବେଗଜନକ ରହିଥିବା ତଥ୍ୟ କହୁଛି। ଅନୁଗୁଳ ଜିଲ୍ଲାରେ ୨୦୧୪-୧୫ ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ବିଭିନ୍ନ କାରଣରୁ ୫୯ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ହାତୀ ଆକ୍ରମଣରେ ୭୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଢେଙ୍କାନାଳ ଜିଲ୍ଲାରେ ଏହି ଅବଧି ମଧ୍ୟରେ ୮୭ଟି ହାତୀ ମରିଥିବା ବେଳେ ୧୧୬ ଜଣ ଲୋକଙ୍କୁ ହାତୀମାନେ ମାରିଥିବା ଜଣାପଡ଼ିଛି।

ମହାନଦୀ ହାତୀ କରିଡର ପରିସୀମା ବୃଦ୍ଧି ଯୋଜନା

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ ୨୦୧୪-୧୫ ବର୍ଷରେ ୫ଜଣ ଲୋକ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହି ବର୍ଷ ୫ଟି ହାତୀ ମରିଥିଲେ। ହାତୀ-ମଣିଷ ଲଢ଼େଇର ପରିଣାମସ୍ବରୂପ ୨୦୧୫-୧୬ ବର୍ଷରେ ୯ଟି ହାତୀ ଓ ୧୦ ଜଣ ଲୋକ, ୨୦୧୬-୧୭ ମସିହାରେ ଯଥାକ୍ରମେ ୧୦ଟି ହାତୀ, ୧୨ ଜଣ ଲୋକ , ୨୦୧୭-୧୮ରେ ୧୧ଟି ହାତୀ ଓ ୧୫ ଜଣ ଲୋକ ମରିଥିଲେ। ସେହିଭଳି, ୨୦୧୮-୧୯ରେ ୧୩ ହାତୀ ଓ ୫ ଜଣ ଲୋକ, ୨୦୧୯-୨୦ ବର୍ଷରେ ୮ଟି ହାତୀ ଓ ୨୨ ଜଣ ଲୋକ ପ୍ରାଣ ହରାଇଥିଲାବେଳେ ୨୦୨୦-୨୧ ଆର୍ଥିକ ବର୍ଷର ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ୩ଟି ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲାରେ ଏହି ଅନୁପାତ ଅଧିକ ରହିଛି। ୨୦୧୪-୧୫ ବର୍ଷରେ ୧୪ଟି ହାତୀ ଓ ୧୨ ଜଣ ମଣିଷ ମରିଥିଲେ। ସେହିପରି ହାତୀ ଓ ମଣିଷଙ୍କ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୨୦୧୫-୧୬ ବର୍ଷରେ ୧୧ ଓ ୧୫, ୨୦୧୬-୧୭ ବର୍ଷରେ ୯ ଓ ୧୫, ୨୦୧୮-୧୯ ବର୍ଷରେ ୧୮ ଓ ୨୭ ଏବଂ ୨୦୧୯-୨୦ ବର୍ଷରେ ୧୬ ଓ ୨୧ ରହିଛି। ୨୦୧୭-୧୮ ବର୍ଷରେ ୧୯ଟି ହାତୀ ମରିଥିବା ବେଳେ ମଣିଷ ମୃତ୍ୟୁ ସଂଖ୍ୟା ବି ସମାନ ରହିଥିଲା। ୨୦୨୦-୨୧ ବର୍ଷର ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ଗୋଟିଏ ହାତୀ ଓ ୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ହାତୀମାନଙ୍କ ସୁରକ୍ଷା ପାଇଁ ୩ଟି ହାତୀ କରିଡର ଗଠନ କରାଯାଇଥିଲା। ମହାନଦୀ ହାତୀ କରିଡର ପରିସୀମା ବୃଦ୍ଧି କରାଗଲେ ହାତୀ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର