ଆଜି ଏକକ ଷାଣ୍ମାସିକ ପରୀକ୍ଷା: ପହଞ୍ଚିନି ପ୍ରଶ୍ନପତ୍ର, ଜେରକ୍ସ ଯୋଗାଇବାକୁ ନିର୍ଦେଶ

ଭୁବନେଶ୍ବର: ପ୍ରଥମ ଥର ଲାଗି ପ୍ରାଥମିକ ବିଦ୍ୟାଳୟ ପରୀକ୍ଷାରେ ରାଜ୍ୟ ସରକାର ସଂସ୍କାର ଆଣି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକକ ଷାଣ୍ମାସିକ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୮ଟି ଶ୍ରେଣୀର ୪୬ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୩ ଲକ୍ଷ ୬୦ ହଜାର ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ତେ‌ବେ ପରୀକ୍ଷା ନ ହେଉଣୁ ବିବାଦ ମୁଣ୍ଡ ଟେକିଛି। ନଭେମ୍ବର ୧ ତଥା ଆସନ୍ତକାଲିଠାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ସବୁଠି ପ୍ରଶ୍ନପତ୍ର ପହଞ୍ଚି ପାରିନାହିଁ। କେଉଁଠି ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଅଟକି ରହିଛି ତ ଆଉ କେଉଁଠି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଯାଇଥିବା ଅଭିଯୋଗ ଆସିଲାଣି। ଫଳରେ ପରୀକ୍ଷାର ସ୍ବଚ୍ଛତା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତରବରିଆ ନିଷ୍ପତ୍ତିକୁ ନେଇ ଶିକ୍ଷକ ସଙ୍ଗଠନଗୁଡ଼ିକ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ନଭେମ୍ବର ୨୦ ଭିତରେ ଷାଣ୍ମାସିକ ପରୀକ୍ଷାର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତାହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୯ରୁ ଏକକ ପରୀକ୍ଷା ଆରମ୍ଭ ହେବ ବୋଲି ଗତ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଭୁବନେଶ୍ବରରୁ ପ୍ରଶ୍ନପତ୍ର ସଂଗ୍ରହ କରିବାକୁ ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ କୁହାଯାଇଥିଲା। ସେହି ଅନୁଯାୟୀ ସେମାନେ ପ୍ରଶ୍ନପତ୍ର ସଂଗ୍ରହ କରିବା ସହ ବ୍ଲକ ଓ ପରେ ସ୍କୁଲକୁ ପଠାଇବା କଥା। ତେବେ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବାରୁ ବହୁ ସ୍କୁଲରେ ପ୍ରଶ୍ନପତ୍ର ପହଞ୍ଚିପାରି ନଥିଲା। ଯେଉଁଥିପାଇଁ ୨୯ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା। ନଭେମ୍ବର ୨୯ରୁ ୩୧ ଯାଏ ହେବାକୁ ଥିବା ପରୀକ୍ଷା ନଭେମ୍ବର ୩ରୁ ୬ ତାରିଖ ମଧ୍ୟରେ କରିବାକୁ ସ୍ଥିର ହୋଇଛି। ଅର୍ଥାତ୍‌ ନଭେମ୍ବର ୧ରୁ ୬ ତାରିଖ ଯାଏ ପରୀକ୍ଷା ଚାଲିବ।

ତେବେ ସୁନ୍ଦରଗଡ଼, ଅନୁଗୁଳ, ମାଲକାନଗିରି ପରି ଜିଲ୍ଲାର କେତେକ ସ୍କୁଲରେ ଏପର୍ଯ୍ୟନ୍ତ ପ୍ରଶ୍ନପତ୍ର ପହଞ୍ଚି ପାରିନାହିଁ। ଆଉ କିଛି ବିଦ୍ୟାଳୟର ସବୁ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଶ୍ନପତ୍ର ପହଞ୍ଚି ନ ଥିବା ଜଣାପଡ଼ିଛି। ଏଭଳି ଅଭିଯୋଗ ଆସିବା ପରେ ସ୍ଥିତିକୁ ଗୁରୁତ୍ବର ସହ ବିଚାର କରି ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଯେଉଁ ବିଦ୍ୟାଳୟରେ ଆବଶ୍ୟକୀୟ ପ୍ରଶ୍ନପତ୍ର ପହଞ୍ଚିପାରିନି ସେଠାରେ ପ୍ରଶ୍ନପତ୍ରର ଜେରକ୍ସ ଯୋଗାଇ ଦେବାକୁ କୁହାଯାଇଛି। ଏଥିପାଇଁ ହେବାକୁ ଥିବା ଅର୍ଥ ଖର୍ଚ୍ଚକୁ ଭରଣା କରାଯିବ ବୋଲି ଓପେସା ଯୁଗ୍ମ ନିର୍ଦେଶକ ସୂର୍ଯ୍ୟ ନାରାୟଣ ମିଶ୍ର ଆଜି ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ନିକଟକୁ ପତ୍ର ଲେଖିଛନ୍ତି।

ଅନ୍ୟପକ୍ଷରେ ପ୍ରାଥମିକ ଶିକ୍ଷାରେ ଏକକ ପରୀକ୍ଷା ଲୋକଦେଖାଣିଆ ବୋଲି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନ୍‌ସନ ଯୋଜନାଭୁକ୍ତ) ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ ତରବରିଆ ଓ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଏକକ ଷାଣ୍ମାସିକ ପରୀକ୍ଷା ବିଫଳ ହେବାକୁ ଯାଉଛି। ବହୁ ସ୍ଥାନରେ ପ୍ରଶ୍ନପତ୍ର ପହଞ୍ଚି ନାହିଁ। ତେଣୁ ଶିକ୍ଷକମାନଙ୍କୁ କଳାପଟାରେ ପ୍ରଶ୍ନପତ୍ର ଲେଖିବାକୁ ପଡ଼ିବ। ଏକକ ପରୀକ୍ଷା ଦ୍ବାରା ସବୁ ପିଲାଙ୍କ ଲାଗି ସମାନ ପ୍ରଶ୍ନପତ୍ର ଆସିବ। ତେବେ ସେହି ଅନୁଯାୟୀ ସବୁ ବିଦ୍ୟାଳୟରେ ଏପର୍ଯ୍ୟନ୍ତ ସମାନ ପାଠପଢ଼ା ହୋଇନି। ଫଳରେ ପିଲା ପରୀକ୍ଷାରେ ଭଲ କରିପାରିବେ ନାହିଁ। ଏହାଦ୍ବାରା ଶିକ୍ଷକମାନେ ବଦନାମ ହେ‌ବେ। ଏଭଳି ପରିଚାଳନାଗତ ତ୍ରୁଟିକୁ ସୁଧାରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକୀୟ ସଂଖ୍ୟକ ପ୍ରଶ୍ନପତ୍ର ଯୋଗାଇ ଦେବାକୁ ସଂଘର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ଦାବି କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଜ୍ଞାନ ଜାଣିବା ପାଇଁ ଏହି ପରୀକ୍ଷା କରାଯାଉଛି। ସମସ୍ତ ଜିଲ୍ଲାକୁ ପ୍ରଶ୍ନପତ୍ର ପଠା ସରିଛି। ଗୋଟିଏ ଦୁଇଟି ସ୍ଥାନରେ ଅସୁବିଧା ହୋଇଥିବା ଅଭିଯୋଗ ଆସିଛି। ତେଣୁ ବିକଳ୍ପ ବ୍ୟବସ୍ଥା ଭାବେ ପ୍ରଶ୍ନପତ୍ରର ଜେରକ୍ସ କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ ୨୯ତାରିଖ ସୁଦ୍ଧା କେତେକ ସ୍ଥାନରେ ପ୍ରଶ୍ନପତ୍ର ପହଞ୍ଚି ପାରି ନ ଥିଲା। ତେଣୁ ପରୀକ୍ଷାକୁ ତିନି ଦିନ ଘୁଞ୍ଚାଇ ଦିଆଯାଇଥିଲା। ପିଲାମାନେ ଖରାପ ପ୍ରଦର୍ଶନ କଲେ କେତେକ ଶିକ୍ଷକ ଅସୁବିଧାରେ ପଡ଼ିବେ। ସେଥିପାଇଁ ଭୁଲ୍‌ ଧାରଣା ସୃଷ୍ଟି କରାଯାଉଛି।

ସମ୍ବନ୍ଧିତ ଖବର