ବିଧାନସଭାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଗୃହରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାହା ସହ ବାଜପେୟୀଙ୍କ ସମ୍ମାନାର୍ଥେ ଗୃହରେ ଆଜି କୌଣସି କାର୍ଯ୍ୟ କରାଯାଇ ନାହିଁ। ଗତକାଲିର କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଅନୁଯାୟୀ ୫ ତାରିଖରେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରାଯିବ। ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୭-୧୮ ମସିହାର ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବେ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ। ବାଜପେୟୀଙ୍କ ସମେତ ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧି, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସମହାପାତ୍ର, ପୂର୍ବତନ ବିଧାୟକ ସୂର୍ଯ୍ୟମଣି ଜେନା, ବ୍ରଜକିଶୋର ମହାନ୍ତି, ମୂରଲୀଧର କୁଅଁର ଓ ପୁଲିସ୍‌ କନେଷ୍ଟବଳ ସଞ୍ଜୟ ମାଝୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବାଜପେୟୀଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ବାଜପେୟୀଙ୍କ ପରଲୋକ ଦେଶ ପାଇଁ ଏକ ବଡ଼ କ୍ଷତି ଓ ମୋର ମଧ୍ୟ ବ୍ୟକ୍ତିଗତ କ୍ଷତି। ରାଜନୈତିକ ଜୀବନ ପ୍ରାରମ୍ଭରେ ବାଜପେୟୀଙ୍କ ସହ ମୋର ସମ୍ପର୍କକୁ ମୁଁ ଭୁଲିପାରିବି ନାହିଁ। ରାଜନୀତିରେ ସହିଷ୍ଣୁତା, ଆଦର୍ଶବାଦ ତାଙ୍କ ପାଖରେ ଦେଖିବାକୁ ମିଳୁଥିଲା। ସେ ଏପରି ଜଣେ ରାଷ୍ଟ୍ରନୀତିଜ୍ଞ ଥିଲେ, ଯାହାଙ୍କୁ କି ଦଳ, ମତ ନିିର୍ବିଶେଷରେ ପ୍ରଶଂସା କରାଯାଉଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ବାଜପେୟୀଙ୍କ ବ୍ୟକ୍ତିତ୍ୱ, ବ୍ୟବହାର ଓ ମାନବିକତା ମୋତେ ବେଶ୍‌ ପ୍ରଭାବତି କରିଥିଲା। ଦଳ, ମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ। ତାଙ୍କ ବିୟୋଗରେ ଦେଶ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି। ସ୍ୱର୍ଗତ ଚାଟାର୍ଜୀଙ୍କ ସମେତ ଅନ୍ୟ ଦିବଂଗତମାନଙ୍କର ମଧ୍ୟ ସେ ସ୍ମୃତିଚାରଣ କରିଥିଲେ।

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଥିଲେ, ବାଜପେୟୀ ଜଣେ ମହାନ ରାଷ୍ଟ୍ରନୀତିଜ୍ଞ, କବି, ଦାର୍ଶନିକ, ଚିନ୍ତାନାୟକ, ସୁବକ୍ତା ଥିଲେ। ତାଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଣୟନ କରାଯାଇଥିଲା, ଯାହାର ସୁଫଳ ଦେଶବାସୀ ସବୁବେଳେ ପାଉଛନ୍ତି। ତାଙ୍କୁ ମଧ୍ୟ ଆଧୁନିକ ଭାରତୀୟ ଅର୍ଥନୀତିର ପ୍ରତିଷ୍ଠାତା କୁହାଯାଏ। ବିଜେପିର ଉତ୍‌ଥାନ ପଛରେ ତାଙ୍କ ଅବଦାନ ଅତୁଳନୀୟ। ଓଡ଼ିଶା ପ୍ରତି ତାଙ୍କ ଅବଦାନକୁ ମଧ୍ୟ ଶ୍ରୀ ସିଂହଦେଓ ମନେ ପକାଇଥିଲେ। ବାଚସ୍ପତି ପ୍ରଦୀପ ଅମାତ କହିଥିଲେ, ବାଜପେୟୀ ଏକାଧାରାରେ ଜଣେ ବଳିଷ୍ଠ ଦେଶପ୍ରେମୀ, ବିଶିଷ୍ଟ ରାଜନୀତିଜ୍ଞ, ସୁଲେଖକ ଓ ଲୋକପ୍ରିୟ ନେତା ଥିଲେ। ତାଙ୍କର ନେତୃତ୍ୱ ଅସାଧାରଣ। ସେ ୧୦ ଥର ଲୋକସଭାକୁ ଓ ୨ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଭାରତର ରାଜନୀତିରେ ନିଶ୍ଚିତ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ସ୍ୱର୍ଗତ ଚାଟାର୍ଜୀ ଓ ସ୍ୱର୍ଗତ କରୁଣାନିଧିଙ୍କ ସମେତ ଅନ୍ୟମାନଙ୍କର ମଧ୍ୟ ବାଚସ୍ପତି ସ୍ମୃତିଚାରଣ କରିଥିଲେ। ଏହା ପରେ ଅମର ଆତ୍ମାମାନଙ୍କ ସଦ୍‌ଗତି ନିମନ୍ତେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର