ଭୁବନେଶ୍ବର/ଲାଞ୍ଜିଗଡ: କଳାହାଣ୍ଡିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ, ସବୁଠି ଜଙ୍ଗଲ ଜଳୁଛି। ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଆଁ ବ୍ୟାପୁଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି। ବନ କର୍ମଚାରୀଙ୍କ ସହ ଓଡ୍ରାଫ୍ ଟିମ୍ର ଉଦ୍ୟମ ପରେ ମଧ୍ୟ ଅଧିକାଂଶ ସ୍ଥାନରେ ବନାଗ୍ନି ନିୟନ୍ତ୍ରଣ ଭିତରକୁ ଆସିପାରୁ ନାହିଁ। ଆଜି ଦିନରେ ଓଡ଼ିଶାର ୨୪୫ଟି ବନାଗ୍ନି ଚିହ୍ନଟ କରାଯିବା ପରେ ତାହାକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ତେବେ ୨୬ଟି ସ୍ଥାନରେ ଲାଗିଥିବା ବଡ଼ଧରଣର ବନାଗ୍ନିକୁ ଆୟତ୍ତ କରାଯାଇପାରି ନ ଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି। ଦେଶର ୧୭୬ଟି ସ୍ଥାନରେ ବଡ଼ଧରଣର ଜଙ୍ଗଲ ଜଳୁଛି। ସେଥିମଧ୍ୟରୁ ଉତ୍ତରାଖଣ୍ଡରେ ସର୍ବାଧିକ ୭୭ଟି ଥିବା ବେଳେ ଓଡ଼ିଶାରେ ୨୬, ଛତିଶଗଡ଼ରେ ୨୪, ଝାଡ଼ଖଣ୍ଡରେ ୨୨ରେ ରହିଛି। କଳାହାଣ୍ଡି ଜିଲ୍ଲାର କେଗାଁଓ, ବରଗଡ଼ର ନୃସିଂହନାଥ, କନ୍ଧମାଳର ବେଲଘର, ବାଲିଗୁଡ଼ା, ସୋରଡ଼ା, ସମ୍ବଲପୁରର ନାକଟିଦେଉଳ, ଅନୁଗୁଳର ଆଠମଲ୍ଲିକ, ଦେବଗଡ଼ର ବାରକୋଟେ, ବୌଦ୍ଧର ପୁରୁଣା କଟକ, ସୁନ୍ଦରଗଡ଼ର ଜର୍ଦ୍ଦା, ବରସୁଆଁ, କୋଇରା, କୁଆରମୁଣ୍ଡା, ବାଙ୍ଗିରିପୋଷି, ପିଠାବଟା, ଡୁକୁରା ଓ ମହିପୁର ରେଞ୍ଜରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। ୨୪୫ଟି ସ୍ଥାନରେ ଛୋଟ ଓ ମଧ୍ୟମଧରଣର ନିଆଁ ଲାଗିଛି। ଆଜି ନିଆଁ ସାମାନ୍ୟ କମ୍ ରହିଥିଲେ ମଧ୍ୟ ବ୍ରହ୍ମପୁର ଓ ବାରିପଦା ରେଞ୍ଜରେ ଅଧିକ ସଂଖ୍ୟକ ଜଙ୍ଗଲ ନିଆଁ ଲାଗିଛି।
ଚଳିତ ସିଜିନ୍ର ବନାଗ୍ନିରେ ଓଡ଼ିଶା ଏବେ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୯ହଜାର ୩୫୨ଟି ଓ ଓଡ଼ିଶାରେ ୧୯ହଜାର ୧୨୪ଟିରେ ନିଆଁ ଲାଗିଲାଣି। ୧୬ ହଜାର ୬୦୭ଟି ବନାଗ୍ନି ସହ ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ଯେଉଁଭଳି ଜଙ୍ଗଲ ନିଆଁ ବଢ଼ୁଛି ଖୁବ୍ଶୀଘ୍ର ଓଡ଼ିଶା ଶୀର୍ଷ ସ୍ଥାନରେ ପହଞ୍ଚିଯିବ। ଗତ ୭ ଦିନ ମଧ୍ୟରେ ଉତ୍ତରାଖଣ୍ଡରେ ସର୍ବାଧିକ ୪,୩୯୬ ଓ ଓଡ଼ିଶାରେ ୩,୫୧୭ଟି ନିଆଁ ଲାଗିଛି। ସେପଟେ କଳାହାଣ୍ଡି ଜିଲ୍ଲାର ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ବନାଞ୍ଚଳ ଅଧୀନରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ନିଆଁର ଆଁରେ ହେକ୍ଟର ହେକ୍ଟର ଜଙ୍ଗଲ ଜଳିଯାଉଛି। ମୂଲ୍ୟବାନ ଗଛ ସାଙ୍ଗକୁ ବହୁ ସଂଖ୍ୟାରେ ବନ୍ୟପ୍ରାଣୀଙ୍କ ଜୀବନ ବିପଦରେ ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/barunei-reserve-forest-fire-1.jpeg)