ଆଜି ଗଜପତି ମହାରାଜଙ୍କ ଝିଅ ବାହାଘର

ପୁରୀ:‌ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ତୃତୀୟ କନ୍ୟା ଦେବେଶୀ ଦେବୀଙ୍କ ଆସନ୍ତାକାଲି(ବୁଧବାର) ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ହରିୟାନା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହ ଗଜପତି ମହାରାଜଙ୍କ କନ୍ୟାଙ୍କ ବିବାହ ହେଉଥିବା ଜଣାପଡ଼ିଛି। ଏହି ଉପଲକ୍ଷେ ବ୍ୟାପକ ଆୟୋଜନ କରାଯାଇଛି। ଏହା ଗଜପତି ମହାରାଜାଙ୍କ ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ରାଜପରିବାର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବାକୁ ପୁରୀରେ ଉପସ୍ଥିତ ଅଛନ୍ତି। ସୂଚନା ଅନୁସାରେ, କୋଭିଡ୍‌ ପାଇଁ ସେତେ ଆଡ଼ମ୍ବର ସହକାରେ ବିବାହ କାର୍ଯ୍ୟ ଆୟୋଜନ କରାଯାଇନଥିଲେ ବି ଝିଅ ଦେବେଶୀଙ୍କ ବିବାହ ଉପଲକ୍ଷେ ଗଜପତି ମହାରାଜା ପୁରୀ ରାଜନଅର ଓ ଭୁବନେଶ୍ବର ମେ’ ଫେୟାରଠାରେ ବିବାହ ଭୋଜି ଦେଉଛନ୍ତି।

ଆସନ୍ତାକାଲି ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଭୁବନେଶ୍ବର ଓ ଅନ୍ୟ ସ୍ଥାନର ପରିଚିତଙ୍କ ପାଇଁ ଭୁବ‌ନେଶ୍ବରସ୍ଥିତ ହୋଟେଲ ମେ’ ଫେୟାରରେ ଭୋଜିର ଆୟୋଜନ କରାଯାଇଛି। କିନ୍ତୁ ବିବାହ କାର୍ଯ୍ୟ ଶ୍ରୀନଅରରେ ଆୟୋଜନ କରାଯାଉଥିବା ଜଣାପଡ଼ିଛି। ଏଣୁ ଆଜିଠାରୁ ବରପକ୍ଷ ପୁରୀରେ ଆସି ପହଞ୍ଚିଛନ୍ତି। ବର୍ଦ୍ଧମାନ ରାଜ ପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟମାନେ ଆଜି ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରାୟ ସାଢ଼େ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ପାର୍ଶ୍ବ ଦେବାଦେବୀ ଦର୍ଶନ ‌ପରେ ଶ୍ରୀନଅରକୁ ଫେରି ଯାଇଛନ୍ତି। ପୁରୀରେ ବରପକ୍ଷଙ୍କ ରହଣିର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବଡ଼କଥା ହେଉଛି, ବରପକ୍ଷରୁ ଆସିଥିବା ଏହି ରାଜ ପରିବାର କୋଭିଡ୍‌ ନିୟମ ଅନୁସରଣ ପୂର୍ବକ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଆଜି ସାଢ଼େ ୫ଟାରେ ସିଂହଦ୍ବାରଠାରେ ପହଞ୍ଚିବା ପରେ ରାଜ ପରିବାର ସଦସ୍ୟମାନେ କୋଭିଡ୍‌ ପ୍ରମାଣପତ୍ର ଯାଞ୍ଚ ପାଇଁ ଖୋଲିଥିବା କିଓସ୍କରେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଓ ଡବଲ୍‌ ‌ଡୋଜ୍‌ ଟିକା ପ୍ରମାଣପତ୍ର ଦେଖାଇଥିଲେ। ପରେ ଭକ୍ତଙ୍କ ପାଇଁ ଥିବା ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର