ପୁରୀ: ଶ୍ରୀମନ୍ଦିର ଛାଡ଼ି ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି। ସାଙ୍ଗରେ ଭାଇ-ଭଉଣୀଙ୍କୁ ଧରି ଚାଲି ଆସିଥିବାରୁ ବିରହିଣୀ ମା’ ମହାଲକ୍ଷ୍ମୀ ଠାକୁରାଣୀ ଚିନ୍ତାରେ ଅଛନ୍ତି। ୪ ଦିନର ବିରହ ବେଦନା ମା’ଙ୍କୁ ଅସହ୍ୟ କଲାଣି। ବିରହ ବେଦନାକୁ ବଖାଣିବା ପରେ ମା’ ମହାଲକ୍ଷ୍ମୀଙ୍କୁ ଗୁଣ୍ଡିଚାବାଡ଼ିକୁ ଗୋପନରେ ଯାତ୍ରା କରିବା ପାଇଁ ପରାମର୍ଶ ମିଳିଛି। ପରମ୍ପରା ମୁତାବକ ଆସନ୍ତାକାଲି ଲକ୍ଷ୍ମୀ ଠାକୁରାଣୀ ଶ୍ରୀଜିଉଙ୍କୁ ଭେଟିବାକୁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିବେ। ଏହି ପରମ୍ପରା ଆଧାରରେ ଆସନ୍ତାକାଲି ହେରାପଞ୍ଚମୀ ନୀତି ପାଳନ ହେବ।
ଅନ୍ୟପକ୍ଷରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ଗୋପନଯାତ୍ରା ଖବର ମହାପ୍ରଭୁ ପାଇବା ପରେ ନିଜେ ସଜେଇ ହେବା ଆରମ୍ଭ କରିଛନ୍ତି। ଆଜି ରାତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଛି। ବିଳମ୍ବିତ ରାତିରେ ଦତ୍ତମହାପାତ୍ର ସେବକମାନେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ କରିବା ପରେ ଆଡ଼ପ ମଣ୍ଡପରେ ଅଧିଷ୍ଠିତ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ସେବା ବନକଲାଗି ନୀତି ସମ୍ପନ୍ନ କରିଛନ୍ତି।
ବଡଦେଉଳ ସ୍ୱତ୍ତ୍ଵଲିପି ମୁତାବକ ଭଣ୍ଡାର ଘରେ ବିଜେ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକ ମାଜଣା କରିବେ। ଏହା ପରେ ବନକ ଲାଗି, ପାଟଶାଢ଼ୀ, ଅଳଙ୍କାର ଆଭୂଷଣ ହୋଇ ପୂଜାପଣ୍ଡା ସେବକ ପନ୍ତି ଭୋଗ କରିବେ। ବଟବୃକ୍ଷ ତଳେ ଠିଆ ହୋଇଥିବା ବିମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ବଡ଼ଦାଣ୍ଡ ଦେଇ ଘଣ୍ଟଛତା ପଟୁଆରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସାକ୍ଷାତ କରିବାକୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରୁ ଆରମ୍ଭ ହୋଇ ନାକଚଣା ଦ୍ଵାର ନିକଟରେ ଶେଷ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଏଥିପାଇଁ ଆସନ୍ତାକାଲି ଭୋର ୪ଟାରେ ଦ୍ଵାରଫିଟା, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ ଓ ତଡ଼ପଲାଗି, ୬ଟାରେ ଅବକାଶ, ସାଢ଼େ ୬ଟାରୁ ସାଢ଼େ ୭ଟା ସାହାଣମେଲା ଦର୍ଶନ, ୮ରୁ ୧୦ଟା ଭିତରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବେଶ ଶେଷ ଓ ଗୋପାଳବଲ୍ଲଭ, ପୂର୍ବାହ୍ଣ ୧୦ରୁ ସାଢ଼େ ୧୧ଟା ସକାଳ ଧୂପ, ପୂର୍ବାହ୍ଣ ୧୧ରୁ ମଧ୍ୟାହ୍ନ ସାଢ଼େ ୧୨ଟା ଭୋଗମଣ୍ଡପ, ମଧ୍ୟାହ୍ନ ୧୨ଟା୪୫ରେ ମଇଲମ, ଅପରାହ୍ଣ ସାଢ଼େ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନାନ, ୨ଟାରେ ଘଣ୍ଟଛତା ସର୍ବାଙ୍ଗ, ସାଢ଼େ ୨ଟାରେ ନୂଆଲୁଗା ଲାଗି ବେଶ, ଅପରାହ୍ଣ ୩ଟାରୁ ସାଢ଼େ ୪ଟା ମଧ୍ୟାହ୍ନ ଧୂପ, ୪ରୁ ସାଢ଼େ ୫ଟା ଦ୍ଵିତୀୟ ଭୋଗମଣ୍ଡପ, ସଂଧ୍ୟା ୬ଟାରେ ମଇଲମ, ସାଢ଼େ ୬ଟାରେ ଶାଢ଼ ଖଣ୍ଡୁଆ ଲାଗି, ସଂଧ୍ୟା ଆଳତି, ରାତି ୭ଟାରେ ମହାପ୍ରଭୁଙ୍କ ବାଡ଼େ ମହାସ୍ନାନ, ସାଢ଼େ ୭ଟାରେ ତିନି ବାଡ଼େ ଘଣ୍ଟଛତା ସର୍ବାଙ୍ଗ, ରାତି ୮ଟାରେ ନୂଆଲୁଗା ଲାଗି ଓ ଛଅ ମୂର୍ତି, ଅଳଙ୍କାର ଲାଗି ବେଶ, ସାଢ଼େ ୮ଟାରୁ ୯ଟା ସଂଧ୍ୟା ଧୂପ ଡାକିଯିବା, ସଂଧ୍ୟାଧୂପ ଛେକ ଓ ସଂଧ୍ୟାଧୂପ ପୂଜା ନୀତି ପରେ ସାଢ଼େ ୯ଟାରେ ରଥତଳ ନୀତି ସାରି ମା ଲକ୍ଷ୍ମୀ ଜଗମୋହନକୁ ବିଜେ କରିବେ। ରାତି ୯ଟା ୩୫ରେ ମା ଲକ୍ଷ୍ମୀଙ୍କ ଅଜ୍ଞାମାଳ ଲାଗି ଓ ଅନ୍ୟାନ୍ୟ ନୀତି ପରେ ରାତି ଗୋଟାଏରେ ପହୁଡ଼ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/jayjaganath-6.jpg)