ଆଜି ହୀରାକୁଦ ଛାଡ଼ିବ ପାଣି

ସମ୍ବଲପୁର: ବୁଧବାର ହୀରାକୁଦରୁ ମହାନଦୀକୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେବ। ବୁଧବାର ଦିନ ୧୧ଟା ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ହୀରାକୁଦ ଡ୍ୟାମ୍‌ ଗେଟ୍‌ ଖୋଲିବ। ତେବେ ତଳ ମୁଣ୍ଡରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ କେବଳ ଔପଚାରିକତା ଦୃଷ୍ଟିରୁ ଗେଟ୍‌ ଖୋଲାଯିବ। ପୂର୍ବରୁ ଘୋଷଣା ହୋଇ ସାରିଥିବାରୁ ଓ ହୀରାକୁଦ ଗେଟ୍‌ ଖୋଲିବାର ଏକ ବିଧି ରହି ଆସି ଥିବାରୁ କିଛି ସମୟ ପାଇଁ ଗୋଟିଏ ଗେଟ୍‌ ଖୋଲାଯିବ। କିଛି ଘଣ୍ଟା ପାଣି ଛାଡ଼ିବା ପରେ ଗେଟ୍ ପୁଣି ବନ୍ଦ କରି ଦିଆଯିବ। ମହାନଦୀ ତଳମୁଣ୍ଡରେ ବନ୍ୟା ପାଣି ସଂପୂର୍ଣ୍ଣ ଭାବେ ସମୁଦ୍ରକୁ ନିଷ୍କାସିତ ହୋଇ ସାରିବା ପରେ ଯାଇ ପୁଣି ହୀରାକୁଦ ଗେଟ୍‌ ଖୋଲିବା କଥା ଚିନ୍ତା କରାଯିବ ବୋଲି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ସୁନୀଲ ନାୟକ କହିଛନ୍ତି।

ଉଲ୍ଲେଖଯୋଗ୍ୟ ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଛି। ତେଲ, ଜୀରା, ଅଙ୍ଗ ସମେତ ବହୁ ଛୋଟବଡ଼ ନଇ ମହାନଦୀରେ ପାଣି ଢାଳିବାରୁ ମଙ୍ଗଳବାର ରାତି ୯ଟା ବେଳକୁ ଖଇରମାଳଠାରେ ୧୧ ଲକ୍ଷ କ୍ୟୁସେକ୍‌ ପାଣି ଯାଉଥିଲା। ଏହା ତଳକୁ ବରମୂଳରେ ୫ ଲକ୍ଷ ୮୦ ହଜାର ଓ ମୁଣ୍ଡଳି‌ଠାରେ ୧ ଲକ୍ଷ ୪୦ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଛି। ବରମୂଳ ଦେଇ ପ୍ରବାହିତ ହେଉଥିବା ପାଣି ୨୪ ଘଣ୍ଟାରେ ଓ ଖଇରମାଳର ପାଣି ୩୦ ଘଣ୍ଟା ମଧ୍ୟରେ ମୁଣ୍ଡଳି ପହଞ୍ଚିବା ସମ୍ଭାବନା ରହିଛି। ତେଣୁ ବୁଧବାର ମଧ୍ୟ ରାତ୍ରୀ ବେଳକୁ ମୁଣ୍ଡଳି ଦେଇ ପ୍ରାୟ ୧୨ ଲକ୍ଷ କ୍ୟୁସେକ୍ ପାଣି ମହାନଦୀରେ ପ୍ରବାହିତ ହେବାର ଅନୁମାନ କରାଯାଉଛି। ପୂର୍ଣ୍ଣିମା ତିଥି ଥିବାରୁ ମହାନଦୀରୁ ସମୁଦ୍ରକୁ ଜଳ ନିଷ୍କାସନ ବିଳମ୍ବିତ ହେବା ଆଶଙ୍କା ରହିଛି। ସେଥିଲାଗି ହୀରାକୁଦ ଗେଟ୍‌ ଖୋଲିବା ନେଇ ସରକାର ପୂର୍ବରୁ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିଛନ୍ତି ବୋଲି ଜଣାପଡ଼ିଛି।

ମଙ୍ଗଳବାର ରାତି ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୭.୪୫ ଫୁଟରେ ପହଞ୍ଚିଛି। ଏହି ସମୟରେ ହୀରାକୁଦକୁ ୧, ୨୧, ୫୯୯ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧୬, ୭୨୪ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ତହିଁରୁ ୧୪, ୧୨୭ କ୍ୟୁସେକ୍‌ ପାୱାର ଚାନେଲରେ, ୨୪୨୭ କ୍ୟୁସେକ୍‌ ବରଗଡ଼, ଶାସନ ଓ ସମ୍ବଲପୁର କେନାଲରେ ତଥା ୧୭୦ କ୍ୟୁସେକ୍‌ ଶିଳ୍ପସଂସ୍ଥା ପାଇଁ ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡ‌େ‌ର ୧୨.୯୨ ମିଲିମିଟର ଓ ତଳ ମୁଣ୍ଡରେ ୧୩୯.୨୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର