ଆଜି ସର୍ବଦଳୀୟ ବୈଠକ: ୨ରୁ ବିଧାନସଭା ଅଧିବେଶନ

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ। ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ବୁଧବାର ଦିନ ସର୍ବଦଳୀୟ ବୈଠକ ଡକାଯାଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସବୁ ଦଳର ନେତାମାନେ ଯୋଗ ଦେବେ। ଶ୍ରୀ ଆରୁଖ ବାଚସ୍ପତି ହେଲା ପରେ ମୌସୁମୀ ଅଧିବେଶନରେ ସେ ପ୍ରଥମ ଥର ପାଇଁ ଗୃହ ପରିଚାଳନା କରିବେ। ତେଣୁ ଆସନ୍ତାକାଲିର ବୈଠକ ବେଶ୍‌ ଗୁରୁତ୍ବ ବହନ କରୁଛି।
ଏବେ କୋଭିଡ୍‌ କଟକଣା ସବୁଆଡ଼ୁ ହଟିଯାଇଥିଲେ ମଧ୍ୟ ବିଧାନସଭାରେ କଟକଣା ଜାରି ରହୁଥିବାରୁ ତାହାକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି। ମାର୍ଚ୍ଚ ମାସରେ ହୋଇଥିବା ଅଧିବେଶନରେ କଟକଣା ଉଠାଇ ପୂର୍ବ ପରି ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ବିରୋଧୀ ଦଳ ସଭ୍ୟମାନେ ଦାବି କରିଥିଲେ। କିନ୍ତୁ ତତ୍‌କାଳୀନ ବାଚସ୍ପତି ତାହାକୁ ଗ୍ରହଣ କରି ନ ଥିଲେ। ବିଧାନସଭା ପ୍ରେସ୍‌ ଗ୍ୟାଲେରିରୁ ସାମ୍ବାଦିକମାନଙ୍କୁ ଖବର ସଂଗ୍ରହ ପାଇଁ ଅନୁମତି ଦେବାକୁ ଦାବି ହୋଇଥିଲେ ମଧ୍ୟ ତାହା ଗ୍ରହଣ କରାଯାଇ ନ ଥିଲା। ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ କଟକଣା ନ ଥିଲା ବେଳେ ବିଧାନସଭା ଅଧିବେଶନରେ ବାଚସ୍ପତି କିପରି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଆସନ୍ତାକାଲି ସ୍ପଷ୍ଟ ହେବ।

ଅଧିବେଶନ ପାଇଁ ତିନି ପ୍ରମୁଖ ଦଳର ରଣନୀତି ପ୍ରସ୍ତୁତ କରିବା ପାଇଁ ବିଧାୟକ ଦଳ ବୈଠକ ଡକାଯାଇଛି। ତେବେ ପୂର୍ବ ଦିନ ଅର୍ଥାତ ୧ ତାରିଖରେ ରଥଯାତ୍ରା ପଡ଼ୁଥିବାରୁ ସେହିଦିନ ବୈଠକ କରାଯିବ ନାହିଁ। ୨ ତାରିଖରେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସବୁ ଦଳ ସେମାନଙ୍କ ବିଧାୟକ ଦଳ ବୈଠକ କରିବେ ବୋଲି ସୂଚନା ମିଳିଛି।
ମୌସୁମୀ ଅଧିବେଶନରେ ମୋଟ୍‌ ୨୪ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବ। ଜୁଲାଇ ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ଉପସ୍ଥାପନ ହେବ। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨ରୁ ୬ ତାରିଖ ଯାଏ ଗୃହ ଚାଲିବ। ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ। ଜୁଲାଇ ୧୪ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏ ଚାଲିବ।
ସୂଚନାଯୋଗ୍ୟ ଯେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ରାଜ୍ୟ ସରକାର ୪ ମାସିଆ କାମଚଳା ବଜେଟ ଉପସ୍ଥାପିତ କରିଥିଲେ। ତେଣୁ ଜୁଲାଇ ୩୧ ତାରିଖ ପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ୍ ଗୃହର ଅନୁମୋଦନ ଲାଭ କରିବା ବାଧ୍ୟତାମୂଳକ।

ସମ୍ବନ୍ଧିତ ଖବର