ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ଜନ୍ମୋତ୍ସବ

ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିବେ ମା’ ସୁଭଦ୍ରା, ଶ୍ରୀମନ୍ଦିରକୁ ଯିବ ରାକ୍ଷୀ ଓ ଗୁଆମାଳ

ପୁରୀ : ଗୁରୁବାର ପବିତ୍ର ଗହ୍ମା ପୂର୍ଣ୍ଣିମା। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଉଭୟ ଗହ୍ମା ପୂର୍ଣ୍ଣିମା ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ମା’ ସୁଭଦ୍ରା ଦୁଇ ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ। ଏଥିପାଇଁ ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଦ୍ବାରା ରାକ୍ଷୀ ପ୍ରସ୍ତୁତି ଶେଷହୋଇଛି। ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ଦୁଇଟି ଲେଖାଏଁ, ୪ଟି ବଡ଼ ରାକ୍ଷୀ ପ୍ରସ୍ତୁତ ହୋଇଛି। ଏଥିପାଇଁ ବଡ଼ ବଡ଼ ଡୋରି ବି ପ୍ରସ୍ତୁତ ହୋଇଛି। ଶୁକ୍ରବାର ସକାଳେ ଏହାକୁ ଶ୍ରୀମନ୍ଦିରକୁ ନିଆଯିବ। ପାଟରା ବିଶୋଇ ସେବକମାନେ ଶ୍ରୀମନ୍ଦିର ଗାରଦର ଏହାକୁ ଦାଖଲ ପରେ ମହାପ୍ରଭୁଙ୍କଠାରେ ନିର୍ଘଣ୍ଟ ନୀତି ଅନୁଯାୟୀ ଲାଗି କରାଯିବ।

ବଡ଼ଠାକୁରଙ୍କ ଜନ୍ମଦିନରେ ପ୍ରଭୁ ସୁଦର୍ଶନ ସୁସଜ୍ଜିତ ଚଉଦୋଳରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ମାର୍କଣ୍ଡ ପୁଷ୍କରିଣୀ କୂଳରେ ପହଞ୍ଚିବା ପରେ ଜନ୍ମ ନୀତି ସମ୍ପନ୍ନ ହେବ। ଜୀବନ୍ୟାସ ମନ୍ତ୍ରପାଠ ସହ ଜାତକର୍ମ କରାଯାଇ ପୂଜାବିଧି ଅନୁଷ୍ଠିତ ହେବ। ଯିବା ବାଟରେ ପ୍ରଭୁ ସୁଦର୍ଶନଙ୍କୁ ପନ୍ତି ଭୋଗ ଲାଗିହେବ। ଏଥିପାଇଁ ପ୍ରସ୍ତୁତି ବି ଶେଷ ହୋଇଛି। ସେପଟେ ବାସୁଙ୍ଗା ପାଟକୁ ମସୃଣ କରାଯାଇ ହଳଦିଆ, ନାଲି, ନେଳି ଓ ବାଇଗଣି, ଏପରି ଚାରିପ୍ରକାର ରଙ୍ଗ ଦିଆଯାଇ ସ୍ବତନ୍ତ୍ର ଶୈଳୀରେ ମହାପ୍ରଭୁଙ୍କ ରାକ୍ଷୀ ପ୍ରସ୍ତୁତ ଶେଷ ହୋଇଛି। ପାଟରା ବିଶୋଇ ସେବକମାନେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟରେ ଶ୍ରୀଜଗନ୍ନାଥଙ୍କ ପାଇଁ ଦୁଇଟି ଓ ବଳଭଦ୍ରଙ୍କ ପାଇଁ ଦୁଇଟି, ଏପରି ୪ଟି ରାକ୍ଷୀ ପ୍ରସ୍ତୁତ କରିଛନ୍ତି। ଦୁଇଟି ଲେଖାଏଁ ଚାରିଟି ଗୁଆମାଳ ବି ପ୍ରସ୍ତୁତ ହୋଇଛି। ଆସନ୍ତାକାଲି ଶ୍ରୀମନ୍ଦିରରେ ରାକ୍ଷୀ ଓ ଗୁଆମାଳ ପହଞ୍ଚିବା ପରେ ସ୍ବତନ୍ତ୍ର ନୀତିକାନ୍ତି ସହ ମା’ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ଏହାକୁ ବାନ୍ଧିବେ।

ସମ୍ବନ୍ଧିତ ଖବର