କଟକ: ଆଶ୍ୱିନର ଇଷ୍ଟଦେବୀ ମହାଲକ୍ଷ୍ମୀ, ମହିଷାସୁର ମର୍ଦ୍ଦିନୀ ମାହାଦୁର୍ଗାଙ୍କ ପୂଜାର ଅନ୍ତିମ ଚରଣ, ତଥାପି ବିଜୟା ଦଶମୀକୁ ଆଜି ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ପାଇଁ ତମାମ୍ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟର ସହସ୍ରାଧିକ ସାର୍ବଜନୀନ ପୂଜାମଣ୍ଡପମାନଙ୍କରେ ପ୍ରତିଷ୍ଠିତ ହୋଇଥିବା ମା’ଙ୍କର ମୃଣ୍ମୟୀ ପ୍ରତିମାମାନଙ୍କ ନିକଟରେ ଗତ ରାତିରୁ ମହାନବମୀ ପୂଜା ଶେଷ ହେବା ପରେ ଆଜି ସକାଳୁ ସକାଳୁ ବିଜୟା ଦଶମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ପାଗ ଅନୁକୂଳ ରହିବା କାରଣରୁ ସାରା ରାଜ୍ୟର ପୂଜା ମଣ୍ଡପମାନଙ୍କରେ ପ୍ରବଳ ଲୋକଗହଳି ଦେଖିବାକୁ ମିଳିଥିବା ବେଳେ ରାଜ୍ୟବାସୀ ଶାରଦୀୟ ପୂଜାକୁ ମନଭରି ଉପଭୋଗ କରିଛନ୍ତି।
ଗତ ସୋମବାର ଦିନ ଷଷ୍ଠୀ ପୂଜା ପାଳନ ଅବସରରେ ବିଲ୍ଵ ବରଣି ସହ ମା’ଙ୍କର ଆବାହନ କରାଯିବା ପରେ ମା’ ଧରାବତରଣ କରିଥିଲେ। ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୀଠ ଓ ସାର୍ବଜନୀନ ପୂଜା ମଣ୍ଡପମାନଙ୍କରେ ମା’ଙ୍କର ମହାସପ୍ତମୀ, ମହାଷ୍ଟମୀ, ସନ୍ଧିପୂଜା ଓ ମହାନବମୀ ସମସ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ସମାପ୍ତ ହେବା ପରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି, ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ଚରଣ ବିଜୟା ଦଶମୀ।
/sambad/media/post_attachments/wp-content/uploads/2018/10/D1-300x214.jpg)
ଯେଉଁ ସମସ୍ତ ସାର୍ବଜନୀନ ପୂଜାମଣ୍ଡପରେ ବଙ୍ଗାଳି ରୀତିନୀତି ଅନୁଯାୟୀ ମା’ଙ୍କର ପୂଜାର୍ଚ୍ଚନା ଚାଲିଥିଲା ସେଠାରେ ବିଜୟା ଦଶମୀ ସନ୍ଧ୍ୟାରେ ‘ସିନ୍ଦୂର ଖେଳ’ ସହ ‘ବିଜୟାର ପ୍ରଣାମ’ ଆୟୋଜନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହାପରେ ମା’ଙ୍କର ଝୁଣା ଆଳତି ଓ ପରେ ବିସର୍ଜନ ପର୍ବ ଆରମ୍ଭ ହେବ। ଏଥିସହ ଶେଷ ହୋଇଯିବ ବିଗତ ପାଞ୍ଚ ଦିନ ଧରି ଚାଲିଥିବା ଆଶ୍ୱିନର ଇଷ୍ଟଦେବୀ ମହାଲକ୍ଷ୍ମୀ, ମହିଷାସୁର ମର୍ଦ୍ଦିନୀ ମହାଦୁର୍ଗାଙ୍କ ପୂଜା।
/sambad/media/post_attachments/wp-content/uploads/2018/10/D2.jpg)
ରାଜ୍ୟର ଯେଉଁ ସମସ୍ତ ଗୃହସ୍ଥମାନଙ୍କ ଘରେ ଦୁର୍ଗାପୂଜା ଓ ନବରାତ୍ର ପାଳନ ଅବସରରେ ପୂର୍ଣ୍ଣଘଟ ଓ ଲେଖନୀ ପୂଜା ଚାଲିଥିଲା, ବିଜୟା ଦଶମୀ ପାଳନ ସହ ତାହା ମଧ୍ୟ ଶେଷ ହେବ ଆଜି। ସେମାନେ ମଧ୍ୟ ଆଜି ମା’ଙ୍କୁ ବିଦାୟ ଦେବା ସହ ମା’ଙ୍କ ଆଉଥରେ ଆବାହନ ପାଇଁ ଅପେକ୍ଷା କରି ରହିବେ ଆସନ୍ତା ବର୍ଷକୁ।
/sambad/media/post_attachments/wp-content/uploads/2018/10/D4.jpg)
ବିଜୟା ଦଶମୀ ପାଳନ ଅବସରରେ ରାଜ୍ୟର କଟକ, ଭୁବନେଶ୍ୱର, ରାଉରକେଲା ଆଦି ଆହୁରି ଅନେକ ସହରରେ ଆଜି ‘ରାବଣ ପୋଡ଼ି’ର ମଧ୍ୟ ଆୟୋଜନ କରାଯାଇଛି। ଆଜି ରାତିରେ ବିଜୟା ଦଶମୀର ଶେଷ ପୂଜା ଓ ଶେଷ ନୈବେଦ୍ୟ ମା’ଙ୍କୁ ଆର୍ପଣ କରାଯିବା ପରେ ଆସନ୍ତା କାଲି ଆୟୋଜିତ ହେବ ମା’ଙ୍କର ଭସାଣୀ ଶେଭାଯାତ୍ରା। ବାଜା, ବାଣ, ରୋଷଣୀ ସହ ମା’ଙ୍କର ମୃଣ୍ମୟୀ ପ୍ରତିମାଗୁଡ଼ିକୁ ଭସାଣୀ ଶୋଭାଯାତ୍ରାରେ ନିଆଯାଇ ଅଶ୍ରୁପୂର୍ଣ୍ଣ ନୟନରେ ମା’ଙ୍କୁ ଦିଆଯିବ ମେଲାଣି। ଏହାପରେ ଅପେକ୍ଷା ରହିବ, ପୁଣି ଆସନ୍ତା ବର୍ଷର ଦୁର୍ଗାପୂଜାକୁ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/D3.jpg)