ପୁରୀ : କୁହାଯାଏ, ଶିଶୁ ମାଟି ପିଣ୍ଡୁଳା ସଦୃଶ। ‌ତାକୁ ଯେମିତି ଗଢ଼ିବ, ସେ ସେମିତି ଗଢ଼ି ହେବ। ମାତ୍ର ପାରିବାରିକ ଅବହେଳା ଓ ଅଭାବ କିଛି ପିଲାଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଆଡ଼କୁ ଠେଲି ଦେଇଛି। କୋମଳମତୀ ଶିଶୁମାନଙ୍କୁ କିଛି ମହିଳା କୋଳରେ ଧରି ଡହଡହ ଖରାରେ ଭିକ୍ଷାବୃତ୍ତି କରୁଛନ୍ତି। ଲୋକଙ୍କ ଭାବାବେଗ ସହ ଖେଳି ଅର୍ଥ ଉପାର୍ଜନର ମାଧ୍ୟମ କରିଛନ୍ତି। କିଛି ଅଭିଭାବକ ପିଲାମାନଙ୍କୁ ହାତବାରିସୀ କରି ଭିକ୍ଷା ବୃତ୍ତି କରାଉଛନ୍ତି। ଆଉ କିଛି ଶିଶୁ ପିତାମାତାମାନେ କାମ କରିବାକୁ ବାହାରକୁ ଚାଲିଯିବା ପରେ ଭିକ୍ଷାବୃତ୍ତିକୁ ଆପଣାଉଥିବା ଦେଖିବାକୁ ମିଳୁଛି। କେବଳ ଭିକ୍ଷାବୃତ୍ତି ନୁହେଁ, ପରିବା ହାଟ ହେଉ କି ମାଛ ‌ହାଟ। ଜଳଖିଆ ଦୋକାନ ହେଉ ଅବା ହୋଟେଲ। କୁନିକୁନି ପିଲାମାନଙ୍କ ଭାଗ୍ୟ ଏବେ ବନ୍ଧା ପଡ଼ିଯାଇଛି। ପୁଳାପୁଳା ଯୋଜନା ଓ ସହାୟତା ସେମାନଙ୍କ ପାଇଁ ସାତସପନ ହୋଇଯାଇଛି।

Advertisment

publive-image

ରବିବାର ଦିନ ବଡ଼ଶଙ୍ଖ ପରିବା ହାଟରେ ୩ ଜଣ କୋମଳମତି ପିଲା ବ୍ୟବସାୟ କରୁଥିଲେ। ପୋଖତ ବ୍ୟବସାୟୀ ଭଳି ଗ୍ରାହକଙ୍କୁ ବ୍ୟବହାର କରୁଥିଲେ। ସମ୍ଭବତଃ ଆଜି ରବିବାର ଥିବାରୁ ସେମାନଙ୍କ ଅଭିଭାବକ ତାଙ୍କୁ ବ୍ୟବସାୟରେ ସହଯୋଗ ପାଇଁ ବ୍ୟବହାର କରୁଥିଲେ। ମାତ୍ର ସେମାନଙ୍କ ଆବଭାବରୁ ଲାଗୁଥିଲା, ଯେମିତି ସେମାନେ ପରିବା ବ୍ୟବସାୟ ସହ ଓତଃପ୍ରୋତ ଜଡ଼ିତ। ପିଲାମାନଙ୍କୁ ଏହି ବୟସରୁ ରୋଜଗାରର ରାସ୍ତା ଦେଖାଇବା ଏବଂ ପାଠକୁ ଅଗ୍ରାଧିକାର ନଦେବା ସେମାନଙ୍କ ମାନସିକତାକୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ଶିଶୁ କର୍ମୀମାନେ କହିଛନ୍ତି।

publive-image Tribune India

ଏ ଚିତ୍ର ଆଜିର ନୁହେଁ, ବରଂ ସବୁଦିନ ଏଭଳି ସମ୍ବେଦନଶୀଳ ଚିତ୍ର ଆଖି ସାମ୍ନାରେ ନାଚିଯାଏ। ଅଥଚ ସଚେତନ ନାଗରିକମାନେ ଏହାକୁ ନିରବରେ ସମର୍ଥନ କରନ୍ତି। ଯେଉଁ ବୟସରେ ଖେଳିବୁଲି ମଜା କରିବା କଥା ସେ ବୟସରେ ତା’ କାନ୍ଧରେ ବୋଝ ଲଦି ଦେବା ଯେ ଅନ୍ୟାୟ ଏହା ନା କେହି ବୁଝାନ୍ତି, ନା ଅଭିଭାବକମାନେ ଶୁଣିବାକୁ ପ୍ରସ୍ତୁତ ଥାଆନ୍ତି। ଆସନ୍ତାକାଲି ଶିଶୁ ଦିବସ ପାଳନ ପରିପ୍ରେକ୍ଷୀରେ କେତେ ଭାଷଣବାଜି ଚାଲିବ। ଶିଶୁଙ୍କ ଅଧିକାର ନେଇ ଆଲୋଚନା ହେବ। ମାତ୍ର ପରିବାରର ସଂଘର୍ଷରେ ପେଷି ହେଉଥିବା ସେମାନଙ୍କ ଉପଭୋଗ୍ୟ ଶୈଶବ କ’ଣ ଆଉ ଫେରିପାରିବ?

publive-image Times of India

ବଞ୍ଜାରା ପିଲାମାନଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ। ମା’ ବାପାମାନେ ସେମାନଙ୍କ କୁନିକୁନି ପିଲାମାନଙ୍କୁ‌ ବେଲୁନ ବିକ୍ରି ଓ ଭିକ୍ଷାବୃତ୍ତି ଭଳି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଏଥିରୁ ସେମାନଙ୍କୁ ଦୂରେଇ ରଖିବା ପାଇଁ ବହୁବାର ଚାଇଲ୍‌ଡ ଲାଇନ୍‌ର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କୁ ଯାଇ ସଚେତନ କରାଇଛନ୍ତି। ମାତ୍ର ଅଭିଭାବକମାନେ ସେମାନଙ୍କୁ ଦେଖିଲେ ଫଁ ଫଁ ଗର୍ଜନ୍ତି। ପିଲାମାନେ ସେମାନଙ୍କୁ ଏମିତି ଚିହ୍ନିଗଲେଣି ଯେ ସେ ସ୍ଥାନରେ ଚାଇଲ୍‌ଡଲାଇନ୍‌ର କର୍ମକର୍ତ୍ତାଙ୍କୁ ଦେଖିଲେ ଛତ୍ରଭଙ୍ଗ ଦିଅନ୍ତି।ଷ୍ଟେସନ ରୋଡ୍‌ଠୁ ନେଇ ତାଳବଣିଆ ହେଲିପ୍ୟାଡ୍‌ ଓ ଲୋକନାଥ ରୋଡ୍‌‌ରେ ତମ୍ଭୁ ଟାଣି ରହୁଥିବା ବଞ୍ଜାରାମାନଙ୍କ ପିଲାଙ୍କର ବିକଳ ମୁହଁ ହିଁ ସୂଚାଇ ଦିଏ ସେମାନେ କେତେ ନିଃସହାୟ। ଶ୍ରୀମନ୍ଦିର ସମ୍ମୁଖରେ ଯେତେବେଳେ ପିଲାମାନେ ଫିନ୍‌ଫିନ୍‌ ପୋଷାକ ପିନ୍ଧି ସ୍କୁଲ୍‌ ଯାଉଥାଆନ୍ତି, ସେତେବେଳେ ବଞ୍ଜାରା ପିତାମାତାମାନେ ନିଜ ପିଲାମାନଙ୍କ ହାତରେ ବେଲୁନ ଧରେଇ ଦେଇ ବ୍ୟବସାୟର ହାତବାରିସି କରିଥାଆନ୍ତି। ଏନେଇ ଶିଶୁ ଅଧିକାର କର୍ମୀ ସନ୍ଦୀପ ପଟ୍ଟନାୟକ କହନ୍ତି, ଗ୍ରାମ୍ୟସ୍ତରରୁ ଶିଶୁର ସମସ୍ୟା ସମ୍ପର୍କରେ ଆଲୋଚନା ହେବା ଆବଶ୍ୟକ। ଯାହା କେବେ ହୁଏ ନାହିଁ। ତେଣୁ ଶିଶୁଙ୍କ କ୍ଷେତ୍ରରେ ସମସ୍ୟା ସମାଧାନ ତ ହେଉଛି, କିନ୍ତୁ ମୂଳପୋଛ ହୋଇପାରୁନାହିଁ। ଏବେ ବି ବହୁ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଛନ୍ତି।