ପୁରୀ: ଆଣ୍ଠୁ ଲୁଚୁନଥିବା ଲୁଗା ଓ ହାତରେ ବାଡ଼ି ଖଣ୍ଡେ ଧରି ସମଗ୍ର ଦେଶରେ ସ୍ବରାଜର ମଞ୍ଜି ବୁଣିଥିବା ଗାନ୍ଧୀଜୀଙ୍କ ମନରେ ଏକଦା ପରିବର୍ତ୍ତନ ଆଣିଦେଇଥିଲା ସତ୍ୟବାଦୀ ମାଟି। ଗାନ୍ଧୀଜୀ ୧୯୨୧ ମାର୍ଚ୍ଚ ୨୬ ତାରିଖରେ ପୁରୀ ଆସିଥିଲେ। ଉତ୍କଳମଣି ଗୋପବନ୍ଧୁ ଦାଶ ଗାନ୍ଧୀଜୀଙ୍କୁ ବକୁଳ ବନ ବିଦ୍ୟାଳୟକୁ ନିମନ୍ତ୍ରଣ କରିଥାଆନ୍ତି। ରେଳ ଷ୍ଟେସନ‌୍ରେ ପହଞ୍ଚିବା ପରେ ଗୋପବନ୍ଧୁ ଦାଶ, ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ ମିଶ୍ର ପ୍ରମୁଖ ଗାନ୍ଧୀଜୀଙ୍କୁ ପାଛୋଟି ନେଇଥିଲେ।

Advertisment

ଗାନ୍ଧୀଜୀ ଓ କସ୍ତୁରବାଙ୍କ ରହଣି ପାଇଁ ଛୁରିଆନା କୁଞ୍ଜରେ ଏକ ଅସ୍ଥାୟୀ ଶିବିର କରାଯାଇଥିଲା। ସେଠାରେ କିଛି ସମୟ ବିଶ୍ରାମ ନେଇ ଗାନ୍ଧୀଜୀ ଗୋପବନ୍ଧୁଙ୍କ ବକୁଳ ବନ ବିଦ୍ୟାଳୟ ପରିଦର୍ଶନ କରି ଗୋପବନ୍ଧୁଙ୍କୁ ଖୁବ୍‌ ପ୍ରଶଂସା କଲେ। ସେଠାରୁ ଫେରିବା ପରେ ଦିନ ୨ଟା ବେଳେ ବକୁଳ ବନରେ ବୈଠକର ଆୟୋଜନ ହୋଇଥିଲା। ସ୍ବରାଜ ପାଇଁ ଲୋକେ ମୁକ୍ତ ହସ୍ତରେ ଦାନ କରୁଥାଆନ୍ତି। ଗରିବମାନେ ବି ଏଥିରୁ ବାଦ ପଡ଼ିନଥିଲେ। ତେବେ ସେଦିନ ମଞ୍ଚ ସମ୍ମୁଖରେ ହଜାର ହଜାର ଲୋକଙ୍କ ବେଶ ପୋଷାକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୁରୁଷମାନେ ଆଣ୍ଠୁ ଲୁଚୁନଥିବା ମଇଳା ଲୁଗା ପରିଧାନ କରିବା, ମହିଳାମାନେ ମଇଳା ଲୁଗା ପିନ୍ଧିବା ଓ ବିଶେଷକରି କୁନିକୁନି ପିଲାମାନେ ନଗ୍ନ ଅବସ୍ଥାରେ ଅବା ଖଣ୍ଡେ ପ୍ୟାଣ୍ଟ ପିନ୍ଧି ଛିଡ଼ା ହୋଇଥିବା ଦେଖି କିଛି ସମୟ ତାଙ୍କ ପାଟିରୁ ଭାଷା ବାହାରିନଥିଲା।

ଗାନ୍ଧୀ ଗବେଷକ ତଥା ଲେଖକ ଗୌରାଙ୍ଗ ଚରଣ ପରିଡ଼ା କହିଛନ୍ତି, ଏହା ପୂର୍ବରୁ ଗାନ୍ଧୀଜୀ ଦେଶର ବିଭିନ୍ନ ସହର ବୁଲିଥିଲେ ବି ସତ୍ୟବାଦୀରେ ଗ୍ରାମୀଣ ଲୋକଙ୍କ ଅବସ୍ଥା ପ୍ରତ୍ୟକ୍ଷ କରିଥିଲେ। ତେଣୁ ଏହା ତାଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ ଥିଲା। ଏହାସତ୍ତ୍ବେ ଲୋକେ ତାଙ୍କୁ ଅଧ ପାଉଲା ଲେଖାଏଁ ଦାନ କରିବା ଜାଣି ଗାନ୍ଧୀଜୀ ଆହୁରି ଆଚମ୍ବିତ ହେଲେ। ଗାନ୍ଧୀଜୀ ଫେରିବା ବେଳେ କହିଥିଲେ, ମୁଁ ଏଠୁ ଯେଉଁ ସ୍ମୃତି ନେଇ ଫେରୁଛି ତାହା ମୋ ପାଇଁ ଅବିସ୍ମୃତ ରହିବ। ସ୍ବରାଜ ପାଇଁ ବିଳମ୍ବ ହେବ ବୋଲି ମୋତେ ଲାଗୁଥିଲେ ହେଁ ଆପଣମାନେ ଏଭଳି ଅବସ୍ଥାରେ ମୋତେ ଅଧ ପାଉଲା ଲେଖାଏଁ ସ୍ବରାଜ ପାଇଁ ଦାନ କରିବା ପ୍ରମାଣିତ କରୁଛି ଯେ ସ୍ବରାଜ ଆଉ ବିଳମ୍ବ ନୁହେଁ।

ଏହା ପରେ ମାଡ୍ରାସରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସେଠାରେ ଗାନ୍ଧୀଜୀ ମଧ୍ୟ ଆଣ୍ଠୁ ଲୁଚୁନଥିବା ଲୁଗା ପରିଧାନ କରିଥିଲେ। ତାଙ୍କର ଏଭଳି ପୋଷାକ ପରିବର୍ତ୍ତନ ଦେଖି କିଛି ନେତୃସ୍ଥାନୀୟ ବ୍ୟକ୍ତି ପ୍ରଶ୍ନ କରିଥିଲେ। ସେତେବେଳେ ସେ କହିଥିଲେ, ଓଡ଼ିଶାରେ ଲୋକମାନେ ଆଣ୍ଠୁଲୁଚୁନଥିବା ମଇଳା ଲୁଗା ଓ ପିଲାମାନେ ନଗ୍ନ ଅବସ୍ଥାରେ ଆସିଥିବା ମୁଁ ଦେଖିଲି। ଯଦି ସେମାନେ ଏଭଳି ପୋଷାକ ପିନ୍ଧୁଛନ୍ତି, ତେବେ ମୁଁ କାହିଁକି ଏମିତି ପୋଷାକ ନପିନ୍ଧିବି? ଶ୍ରୀ ପରିଡ଼ା କୁହନ୍ତି, ଗାନ୍ଧୀଙ୍କ ମତରେ ଓଡ଼ିଶା ତାଙ୍କଠାରେ ପରିବର୍ତ୍ତନ ଆଣିଥିଲା। ବାସ୍ତବରେ ସତ୍ୟବାଦୀ ମାଟି ତାଙ୍କ ପୋଷାକରେ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ତୁଲାଇଥିଲା।