ଆଜିଠୁ ହୀରାକୁଦ ମହୋତ୍ସବ

ସମ୍ବଲପୁର : ଶୁକ୍ରବାର ଠାରୁ ଆରମ୍ଭ ହେଉଛି ଜାତୀୟ ସ୍ତରର ହୀରାକୁଦ ମହୋତ୍ସବ। ଏଥିପାଇଁ ହୀରାକୁଦ ଏବେ ସଜେଇ ହୋଇସାରିଲାଣି। ଅଧିକାଂଶ କଳାକାରମାନେ ବି ପହଞ୍ଚି ସାରିଲେଣି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଜିଲ୍ଲା ସଂସ୍କୃତି ବିଭାଗ ଓ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି)ର ସହଯୋଗରେ ଚଳିତବର୍ଷ ପଶ୍ଚିମଓଡ଼ିଶାରେ ପ୍ରଥମ ଥର ଏହି ହୀରାକୁଦ ମହୋତ୍ସବ ହେବାକୁ ଯାଉଛି। ଶୁକ୍ରବାର ଠାରୁ ହୀରାକୁଦ ଜବାହର ଉଦ୍ୟାନ ଠାରେ ୩ ଦିନ ଧରି ଏହା ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟାରୁ ଏହା ଆରମ୍ଭ ହୋଇ ରାତି ସାଢ଼େ ୯ଟା ଯାଏ ଚାଲିବ। ସର୍ବ ଭାରତୀୟ ସ୍ତରରେ ସ୍ବୀକୃତି ପାଇଥିବା ବିଶିଷ୍ଟ ଶିଳ୍ପୀ ଏଥିରେ ସାମିଲ ହେବା ନେଇ ଗୁରୁବାର ଅପରାହ୍ଣରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଥିଲେ। ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଓ ଏସ୍‌ଏମ୍‌ସି କମିସନର୍‌ ପ୍ରଦୀପ ସାହୁ ଉପସ୍ଥିତ ଥିଲେ।

ଶୁକ୍ରବାର ପ୍ରଥମ ସନ୍ଧ୍ୟାରେ କୋଲକାତାର ଶର୍ମିଳା ବିଶ୍ୱାସଙ୍କ ଗ୍ରୁପ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାକୁ ଥିବା ବେଳେ ଚେନ୍ନାଇ ରମା ବୈଦ୍ୟନାଥନଙ୍କ ଗ୍ରୁପ ଭାରତନାଟ୍ୟମ, ସମ୍ବଲପୁରର ରଞ୍ଜନ ସାହୁଙ୍କ ଗ୍ରୁପ୍‌ ସମ୍ବଲପୁରୀ ଲୋକ ନୃତ୍ୟ ଓ ସଂଗୀତ, ନୂଆଦିଲ୍ଲୀର ଅନୁପ ରଞ୍ଜନ ପାଣ୍ଡେଙ୍କ ଗ୍ରୁପ୍‌ ଲୋକ ନୃତ୍ୟ (ବସ୍ତାର ବ୍ୟାଣ୍ଡ୍‌) ଏବଂ ରାୟଗଡାର ଜେ. ସୁକାନ୍ତଙ୍କ ଗ୍ରୁପ୍‌ ଲୋକ ନୃତ୍ୟ ପ୍ରଦର୍ଶନ କରିବେ। ଶନିବାର ସନ୍ଧ୍ୟାରେ ପୁନେର ଶାମା ଭଟେଙ୍କ ଗ୍ରୁପ୍‌ କଥକ ନୃତ୍ୟ ପରିବେଷଣ କରିବାକୁ ଥିବା ବେଳେ କଟକର ଜ୍ୟୋସ୍ନା ସାହୁଙ୍କ ଗ୍ରୁପ୍‌ ଓଡିଶୀ ନୃତ୍ୟ, ବଲାଙ୍ଗୀରର ବାସୁଦେବ ସା’ଙ୍କ ଗ୍ରୁପ୍‌ ଲୋକ ନୃତ୍ୟ, ଖେମୁଣ୍ଡି ଲୋକ କଳା ଏକାଡେମୀ ଗଞ୍ଜାମର ଏସ. କ୍ଷୀରୋଦ ଦୋରାଙ୍କ ଗ୍ରୁପ୍‌ ଲୋକ ନୃତ୍ୟ ଏବଂ ଝାଡ଼ଖଣ୍ଡର ସଞ୍ଜୟ ଶର୍ମାଙ୍କ ଗ୍ରୁପ୍‌ ଲୋକ ନୃତ୍ୟ ପରିବେଷଣ କରିବେ। ସେଭଳି ରବିବାର ସନ୍ଧ୍ୟାରେ ରୁଦ୍ରାକ୍ଷ ଫାଉଣ୍ଡେସନ୍‌ର ବିଚିତ୍ରାନନ୍ଦ ସ୍ୱାଇଁଙ୍କ ଗ୍ରୁପ୍‌ ଓଡ଼ିଶୀ ନୃତ୍ୟ, କୋଲକାତାର ପ୍ରୀତି ପଟେଲଙ୍କ ଗ୍ରୁପ୍‌ ମଣିପୁରୀ ନୃତ୍ୟ, ବରଗଡ଼ର ରବୀନ୍ଦ୍ର ବାଗଙ୍କ ଗ୍ରୁପ୍‌ ଲୋକ ନୃତ୍ୟ, ହଜାଗିରି ତ୍ରିପୁରାର ପରିମଲ ଦେବବର୍ମାଙ୍କ ଗ୍ରୁପ୍‌ ଲୋକ ନୃତ୍ୟ ଏବଂ ମାଲକାନଗିରିର ବିକାସ ମିଶ୍ରଙ୍କ ଗ୍ରୁପ୍‌ ଦ୍ବାରା ଲୋକ ନୃତ୍ୟ(ମାର୍ସାଲ ଆର୍ଟ) କଳା ପ୍ରଦର୍ଶନ କରିବେ। ଡିଡି ଭାରତୀରେ ସମ୍ପୂର୍ଣ୍ଣ ମହୋତ୍ସବର ସିଧାପ୍ରସାରଣ କରାଯିବ।

ସମ୍ବନ୍ଧିତ ଖବର