ଆଜି ଅନ୍ତର୍ଜାତୀୟ ବକ୍ସିଂ ଦିବସ: ବିନା ପାରିଶ୍ରମିକରେ ୫ଶହରୁ ଅଧିକ ବକ୍ସର୍‌ଙ୍କୁ ପ୍ରଶିକ୍ଷଣ

ପୁରୀ : ସ୍ବପ୍ନ ସମସ୍ତେ ଦେଖନ୍ତି। ମାତ୍ର କିଛି ହାତଗଣତି ବ୍ୟକ୍ତି ସ୍ବପ୍ନକୁ ସାକାର କରିପାରନ୍ତି। ସେଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ପୁରୀର ବକ୍ସିଂ ଦ୍ରୋଣାଚାର୍ଯ୍ୟ ଭାବେ ପରିଚିତ ସୁଦର୍ଶନ ସାହୁ। ଦିନେ ଏକ କୁସ୍ତି କ୍ଲବ୍‌ରେ ବକ୍ସିଂ ଉପକରଣ ଦେଖି ଏହାର ଆକର୍ଷଣରେ ପଡ଼ିଥିବା କୁନି ପିଲାଟିଏ ଖାଲି ନିଜେ ବକ୍ସର ହେବାର ସ୍ବପ୍ନ ସାକାର କରିନଥିଲା, ବରଂ ୫ଶହରୁ ଅଧିକ ପିଲାଙ୍କୁ ମାଗଣାରେ କୋଚିଂ ଦେଇ ମେଡାଲ୍‌ ଜିତିବାର ଗୌରବ ଅର୍ଜନ କରିଥିଲେ। ଜୀବନରେ ପାଠ ବ୍ୟତିରେକ କ୍ରୀଡ଼ାର କୌଣସି ଯେ ମୂଲ୍ୟନାହିଁ, ଏହାକୁ ପ୍ରମାଣ କରିବା ପାଇଁ ତାଙ୍କର ସ୍ଳୋଗାନ ଥିଲା ‘ନୋ ସ୍କୁଲ୍‌-ନୋ ବକ୍ସିଂ’। ନିଜେ ଛୋଟ ବେଳୁ ପାଠ ଛାଡ଼ିଥିବାରୁ, କେହି ଯେ ତାଙ୍କ ଭଳି ପଶ୍ଚାତାପ ନକରୁ ସେଥିପାଇଁ ସେ ବକ୍ସିଂ ଶିଖିବାରେ ରୁଚି ରଖୁଥିବା ସବୁ ପିଲାଙ୍କ ପାଇଁ ଏହି ସର୍ତ୍ତ ଲାଗୁକରି ଅଧାରୁ ପାଠ ଛାଡ଼ିଥିବା ୬୦ରୁ ଅଧିକ ପିଲାଙ୍କୁ ସ୍କୁଲ୍‌କୁ ଫେରାଇ ଆଣିଛନ୍ତି।

୧୯୬୮ ମସିହାରେ ପୁରୀ ଜିଲ୍ଲା କୁମ୍ଭାରପଡ଼ାରେ ଜନ୍ମିତ ସୁଦର୍ଶନ ବାପାଙ୍କୁ ହରାଇବା ପରେ ତାଙ୍କ ବସ୍ତାନିରେ ସବୁଦିନ ପାଇଁ ଡୋରି ବନ୍ଧା ହେଲା। କୁନି ବୟସରେ କୁସ୍ତି ଶିଖିବାକୁ ସମୁଦ୍ରକୂଳ ନିକଟ ଏକ କ୍ଲବ୍‌କୁ ଯାଉଥିଲେ। ଦିନେ କ୍ଲବ୍‌ରେ ଏକ ବକ୍ସିଂ ଉପକରଣ ଉପରେ ତାଙ୍କ ଆଖି ପଡ଼ିଗଲା। ‌ସେଇ କ୍ଷଣିକ ଆକର୍ଷଣ ହିଁ ତାଙ୍କୁ ସାରା ଜୀବନ ବକ୍ସିଂର ଡୋରିରେ ବାନ୍ଧିଦେଲା। କିନ୍ତୁ ଅଭାବ ତାଙ୍କୁ ଛାଇ ଭଳି ଗୋଡ଼ାଉଥିଲା। ନା ବକ୍ସିଂ ଲଢ଼ିବାକୁ ଗ୍ଲୋବ୍‌ସ କିଣିବାକୁ ସକ୍ଷମ ଥିଲେ, ନା ବକ୍ସିଂ ରିଙ୍ଗ୍‌ରେ ଅଭ୍ୟାସ କରିବାର ସୁଯୋଗ ଜୁଟୁଥିଲା। ତଥାପି ସେ ନିଜକୁ ପ୍ରମାଣିତ କଲେ। ୧୯୮୦ ମସିହା ଜାନୁଆରି ୨୬ ତାରିଖରେ ଝାଡ଼େଶ୍ବରୀ କ୍ଲବ୍‌ରେ ଆୟୋଜିତ ବକ୍ସିଂ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କଲେ। ସେଇଠୁ ବକ୍ସିଂ ସୁଦର୍ଶନଙ୍କ ନିଶା ପାଲଟିଗଲା। ତେବେ ପରିବାରର ମଙ୍ଗ ସମ୍ଭାଳିବା ପାଇଁ ୧୯୯୦ ମସିହାରେ ପୁରୁଣା ଜେଲ୍‌ ରୋଡ୍‌ରେ ଏକ ଗାଡ଼ି ମରାମତି ଗ୍ୟାରେଜ ଖୋଲିଲେ।

ଅନ୍ୟକୁ ଦେଖିଦେଖି ବକ୍ସିଂ ଶିଖିଥିବା ସୁଦର୍ଶନ ୧୯୮୨ ମସିହାରେ ରାଜ୍ୟସ୍ତରୀୟ ବକ୍ସିଂରେ ପ୍ରତିଯୋଗିତାରେ ପୁରୀ ଜିଲ୍ଲାରୁ ସବ୍‌ ଜୁନିୟର ବିଭାଗରେ ପ୍ରତିନିଧିତ୍ବ କରି ରୌପ୍ୟ ପଦକ ଜିତିଥିଲେ। ନାଗାଲାଣ୍ଡରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ମାତ୍ର ନିଜ ଗହଣରେ ବକ୍ସିଂ ପ୍ରତି ରୁଚି ରଖୁଥିବା ପିଲାମାନଙ୍କ ବିକଳ ସ୍ବଭାବକୁ ଅଙ୍ଗେ ନିଭାଇଥିଲେ। ତେଣୁ ୨୦୧୦ରେ ସେ ଆରମ୍ଭ କଲେ ‘ପୁରୀ ବକ୍ସିଂ ଏକାଡେମି’। ତାଙ୍କ ଭଳି ଯେପରି ଅନ୍ୟ ପ୍ରତିଯୋଗୀମାନେ ପ୍ରଶିକ୍ଷଣ ବେଳେ କ୍ରୀଡ଼ା ଉପକରଣର ଅଭାବ ଅନୁଭବ ନକରନ୍ତି ‌ତା’ର ବ‌ନ୍ଦୋବସ୍ତ କଲେ। ମାଗଣାରେ ପ୍ରଶିକ୍ଷଣ ଦେଲେ। ପ୍ରତିବର୍ଷ ତାଙ୍କ ଦ୍ବାରା ତାଲିମପ୍ରାପ୍ତ କ୍ରୀଡ଼ା ପ୍ରତିଭାମାନେ ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ। ୨୦୧୧ରେ ସିଲଙ୍ଗରେ ଓପନ ନାସନାଲ୍‌ ସବ୍ଜୁନିୟର ପ୍ରତିଯୋଗିତାରେ ଅକ୍ଷୟ ନାୟକ ସ୍ବର୍ଣ୍ଣ ପଦକ, ୨୦୧୮ରେ ଖେଲୋ ଇଣ୍ଡିଆ ସ୍କୁଲ୍‌ ଗେମ୍‌ସରେ ସ୍ମାରକ ରଂଜନ ସାହୁ ବ୍ରୋଞ୍ଜ, ୨୦୧୨ରେ ଅନୁଷ୍ଠିତ ୧୪ ବର୍ଷରୁ କମ୍‌ ୫୮ତମ ଜାତୀୟ ସ୍କୁଲ୍‌ ଗେମ୍‌ସରେ ସୁବ୍ରତ ପ୍ରଧାନ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ଏହି ଧାରା ଏବେ ବି ଅବ୍ୟାହତ ରହିଛି। ୨୦୧୩ରେ ରାଜ୍ୟ କ୍ରୀଡ଼ା ହଷ୍ଟେଲ ପାଇଁ ୧୩ ଜଣ ବକ୍ସରଙ୍କୁ ଚୟନ କରାଯାଇଥିବା ବ‌େଳେ ଏହା ମଧ୍ୟରେ ସୁଦର୍ଶନଙ୍କ ଏକାଡେମିରୁ ଥିଲେ ୮ ଜଣ। ସୁଦର୍ଶନ ବକ୍ସିଂ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଆସୁଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ବକ୍ସିଂ ଦଳ ଚୟନକର୍ତ୍ତା, ରାଜ୍ୟସ୍ତରୀୟ ବିଦ୍ୟାଳୟ ବକ୍ସିଂ ପ୍ରତିଯୋଗିତା ପରିଚାଳନା କରିଛନ୍ତି। ଓଡ଼ିଶା ଆମେଚର ବକ୍ସିଂ ସଂଘର ଉପାଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି। ରାଜନୀତିରେ ଅଂଶଗ୍ରହଣ କରି କାଉନ୍‌ସିଲର ଭାବେ ନିଜ ଅଞ୍ଚଳବାସୀଙ୍କୁ ସେବା ଦେଇ ଆସିଛନ୍ତି। ତେବେ ଦାରିଦ୍ରୢ, ପରିବାର, ସମାଜସେବାର ଯାବତୀୟ ଜଞ୍ଜାଳ ଭିତରେ ବି କେବେ ବକ୍ସିଂର ହାତ ଛାଡ଼ି ପାରିନାହାନ୍ତି।

ସମ୍ବନ୍ଧିତ ଖବର