କଟକ: ଝିଅକୁ ମାତ୍ର ୭ ବର୍ଷ ହୋଇଥିବା ବେଳେ ଜଣାପଡ଼ିଲା ଯେ ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ। ବାପା-ମା’ଙ୍କ ମୁଣ୍ଡରେ ଚଡ଼କ ପଡିଲା। ସେମାନେ ଝିଅକୁ ଧରି ଚାଲି ଆସିଥିଲେ କଟକ। କଟକ ପିଠାପୁରରେ ଭଡ଼ାଘରେ ରହି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସା ଆରମ୍ଭ କଲେ। ଚିକିତ୍ସା ସମୟରେ କେମୋ ଦିଆଗଲା। ହେଲେ ଡାକ୍ତରଙ୍କ ପରାମର୍ଶ ଓ ନିଜର ଦୃଢ ଆତ୍ମବିଶ୍ବାସ ବଳରେ ଝିଅ ଏବେ ସୁସ୍ଥ ଓ କର୍କଟବିଜୟିନୀ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ବି ଝିଅ ଦୀପମାଳା ମାଟ୍ରିକ୍ରେ ୭୩ ପ୍ରତିଶତ ନମ୍ବର ରଖିଥିବା ବେଳେ ଯୁକ୍ତ ୨ରେ ରେଭେନ୍ସାରେ ପାଠପଢ଼ି କଳାରେ ୬୪ ପ୍ରତିଶତ ନମ୍ବର ରଖିଛନ୍ତି। ଦୀପମାଳା ଏବେ ଯୁକ୍ତ ୩ ପଢୁଥିବା ବେଳେ ଅଧ୍ୟାପିକା ହୋଇ ପିଲାଙ୍କୁ ପାଠ ପଢ଼ାଇବାର ଲକ୍ଷ୍ୟ ରଖିଛନ୍ତି।
ସେହିପରି ବ୍ରହ୍ମପୁରର ରାହୁଲ ପଣ୍ଡା ମାତ୍ର ୧୦ବର୍ଷ ବୟସରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। କିଡ୍ନିରେ ମାଂସ ବଢ଼ିବା ସହ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ୪ବର୍ଷ ଧରି କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଲେ। ପାଠପଢ଼ାରେ ଏକପ୍ରକାର ଡୋରି ବନ୍ଧା ହୋଇଗଲା। କିନ୍ତୁ ସେ ହାରି ନଥିଲେ। ସୁସ୍ଥ ହେବା ପରେ ପୁଣି ଗଲେ ସ୍କୁଲକୁ। ମାଟ୍ରିକ୍ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ବି ହେଲେ। ଏବେ ସେ ଯୁକ୍ତ ୩ର ଛାତ୍ର। ଉଭୟ ରାହୁଲ ଓ ଦୀପମାଳାଙ୍କ ଦୃଢ଼ ଆତ୍ମବିଶ୍ବାସ, ଧୈର୍ଯ୍ୟ ଆଗରେ କର୍କଟ ରୋଗ ହାରିଛି। ସେମାନେ ନିଜକୁ କର୍କଟଜୟୀ ଭାବେ ପ୍ରମାଣିତ କରିଛନ୍ତି। କର୍କଟ ରୋଗ ସତ୍ତ୍ବେ ସେମାନେ ଜୀବନଯାତ୍ରାରେ ଆଗେଇ ଚାଲିଛନ୍ତି। ଫେବ୍ରୁଆରି ୧୫ ତାରିଖକୁ ଆନ୍ତର୍ଜାତିକ ଶିଶୁ କର୍କଟ ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଏହି ଦୁଇ କର୍କଟ ବିଜୟୀଙ୍କୁ ସମ୍ବର୍ଦ୍ଧିତ କରାଯିବ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ।
କର୍କଟ ବିଜୟୀ ଦୀପମାଳା ଓ ରାହୁଲ ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ
ଆତ୍ମବିଶ୍ବାସ, ଧୈର୍ଯ୍ୟ ଆଗରେ ହାରିଛି କର୍କଟ, ସମ୍ବର୍ଦ୍ଧିତ ହେବେ ଦୁଇ ବିଜୟୀ
ରିପୋର୍ଟ କହୁଛି ଭାରତରେ ୭୫ହଜାର ଶିଶୁ କର୍କଟ ରୋଗୀ ପ୍ରତିବର୍ଷ ଚିହ୍ନଟ ହେଉଛନ୍ତି। ସେଥିରୁ ଆମ ରାଜ୍ୟରେ ଦେଢ଼ଶହରୁ ୨ଶହ ଶିଶୁ କର୍କଟ ରୋଗୀ ପ୍ରତିବର୍ଷ ଚିହ୍ନଟ ହେଉଛନ୍ତି। ଏବେ ଦୀପମାଳା, ରାହୁଲଙ୍କ ଭଳି କର୍କଟଜୟୀ ଶିଶୁଙ୍କ ମନୋବଳ ବୃଦ୍ଧି ପାଇଁ ସେମାନଙ୍କୁ ସମ୍ମାନିତ କରାଯିବା ସହ ଆର୍ଥିକ ସହାୟତା ଦିଆଯିବାର ଯୋଜନା କରାଯାଇଛି ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ। ରାଜ୍ୟର ଏକମାତ୍ର ସରକାରୀ କର୍କଟ ରୋଗ ପ୍ରତିଷ୍ଠାନରେ ୨୦୨୦ରେ ପାଖାପାଖି ଦୁଇଶହରୁ ଅଢ଼େଇଶହ ଶିଶୁରୋଗୀ ଚିକିତ୍ସିତ ହେଉଥିବାବେଳେ ଏବେ ଏହି ସଂଖ୍ୟା ପାଖାପାଖି ୫ଶହ ଛୁଇଁଲାଣି। ଶିଶୁଙ୍କଠାରେ ରକ୍ତ କର୍କଟ, ବୋନ୍ କ୍ୟାନ୍ସର ଏବେ ଉଦ୍ବେଗର କାରଣ ହୋଇଛି। ଆଚାର୍ଯ୍ୟ ହରିହରରେ ଶିଶୁ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ବିଏସ୍କେୱାଇ କାର୍ଡ ଆରମ୍ଭ ହେବା ପରଠାରୁ ଘରୋଇ ହସ୍ପିଟାଲରେ ଶିଶୁ କର୍କଟ ରୋଗୀଙ୍କ ଚିକିତ୍ସା କରାଯାଉଛି। ଶିଶୁ କର୍କଟ ରୋଗୀଙ୍କ ପାଇଁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୱାର୍ଡଗୁଡିକରେ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାଙ୍କ ଦାନରେ ବିଭିନ୍ନ ଖେଳଣା ସବୁ ଯୋଗାଇ ଦିଆଯାଉଛି। କିନ୍ତୁ ରାଜ୍ୟର ଏକମାତ୍ର କର୍କଟ କେନ୍ଦ୍ରରେ ଶିଶୁ କର୍କଟ ରୋଗୀଙ୍କ ଖେଳିବା ଅଥବା ମନୋରଞ୍ଜନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ମାସ ମାସ ଧରି ଶିଶୁ କର୍କଟ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ପାଇଁ ପାର୍କ କିମ୍ବା ଖେଳକୁଦ ପାଇଁ କୌଣସି ବ୍ୟବସ୍ଥା ନାହିଁ। ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ହେବାକୁ ଦାବି ହେଉଛି।