ଆଜି କସ୍ତୁରବା’ଙ୍କ ପୁଣ୍ୟତିଥି: ମହାପ୍ରଭୁଙ୍କୁ ଦର୍ଶନ ପାଇଁ ତୁଟାଇ ଦେଇଥିଲେ ସବୁ ବନ୍ଧନ

ପୁରୀ : କସ୍ତୁରବା କ’ଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରଦ୍ଧା କରୁଥିଲେ? ଅନେକ ସମୟରେ ଏ ପ୍ରଶ୍ନ ଉଙ୍କି ମାରିଛି। ‌ଗୋଟେପଟେ ଥିଲା ତାଙ୍କର ଦୀର୍ଘଦିନର ହିନ୍ଦୁ ସଂସ୍କାର ମନୋବୃତ୍ତି ଏବଂ ଅନ୍ୟପଟେ ମହାତ୍ମା ଗାନ୍ଧୀଙ୍କ ମାନବିକ ଧର୍ମ ନେଇ ଶ୍ରୀମନ୍ଦିରକୁ ଯିବାକୁ କସ୍ତୁରବାଙ୍କୁ ବାରଣ। ତଥାପି ସବୁକୁ ଜଳାଞ୍ଜଳି ଦେଇ ଏକ ଅନନ୍ୟ ଆକର୍ଷଣରେ ସେ ଶ୍ରୀମନ୍ଦିରକୁ ଟାଣି ହୋଇ ଚାଲି ଯାଇଥିଲେ। ଆଜି କସ୍ତୁରବାଙ୍କ ପୁଣ୍ୟ ତିଥି ଥିବା ବେଳେ ପୁରୀ ସହ ତାଙ୍କର ସେଇ ଅନ୍ତରଙ୍ଗ ମୁହୂର୍ତ୍ତ ଏବଂ ଶ୍ରୀଜଗନ୍ନାଥ ଦର୍ଶନର ବିବଦମାନ ଐତିହାସିକ ଘଟଣା ଆଜି ବି ଜନମାନସକୁ ଆନ୍ଦୋଳିତ କରେ।

ଆଗା ଖାଁ ପ୍ୟାଲେସ୍‌ରେ ବନ୍ଦୀ ଜୀବନ କାଟୁଥିବା ବେଳେ କସ୍ତୁରବାଙ୍କ ଦେହାନ୍ତ ହୋଇଥିଲା। ଭାରତ ଛାଡ଼ ଆନ୍ଦୋଳନରେ ଭାଗନେଇ ଆଗା ଖାଁ ପ୍ୟାଲେସରେ ବନ୍ଦୀ ଜୀବନ କାଟୁଥିବା ମହାଦେବ ଦେଶାଇଙ୍କ ପରେ କସ୍ତୁରବା ଥିଲେ ଦ୍ବିତୀୟ ସହିଦ। ସେଇ ଦିନଟି ଥିଲା ୧୯୪୪ ମସିହା ଫେବ୍ରୁଆରି ୨୨ ତାରିଖ। ତେବେ ମୃତ୍ୟୁର ଶେଷ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ନେଇ କସ୍ତୁରବା ବିହ୍ବଳିତ ହୋଇ ଆସୁଥିଲେ। କିନ୍ତୁ ମହାତ୍ମା ଗାନ୍ଧୀଙ୍କ ନୀତିଗତ ବାରଣ ସତ୍ତ୍ବେ ସେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିବାରୁ ସେତିକି ମନସ୍ତାପ ମଧ୍ୟ କରୁଥିଲେ।

ଗାନ୍ଧୀ ଚିନ୍ତକ ତଥା ଲେଖକ ଗୌରାଙ୍ଗ ଚରଣ ପରିଡ଼ାଙ୍କ କହିବା ମୁତାବକ, ୧୯୩୮ ମସିହା ମାର୍ଚ୍ଚ ମାସ ୨୮ ତାରିଖରେ ଡେଲାଙ୍ଗ ବେରବୋଇରେ ଅନୁଷ୍ଠିତ ହେଉଥିବା ଗାନ୍ଧୀ ସେବାସଂଘ ସମ୍ମିଳନୀରୁ କସ୍ତୁରବା ପୁରୀ ବୁଲିବା ପାଇଁ ଆସିଥିଲେ। ସାଙ୍ଗରେ ଥିଲେ ତାଙ୍କ ବୋହୂ ସୁଶିଳା ଏବଂ ମହାଦେବ ଦେଶାଇଙ୍କ ପତ୍ନୀ ଦୁର୍ଗା ଦେଶାଇ ଓ ଆଉ କିଛି ମହିଳା। ପୁରୀର ବେଳାଭୂମି ଦେଖି ସେ ଚମତ୍କୃତ ହୋଇଥିଲେ। ପ୍ରଶସ୍ତ ବଡ଼ଦାଣ୍ଡ ଓ ମହାପ୍ରଭୁଙ୍କ ଶ୍ରୀମନ୍ଦିର ତାଙ୍କୁ ବିମୁଗ୍ଧ କରିଥିଲା। ବିଭିନ୍ନ ସ୍ଥାନ ବୁଲାବୁଲି କରିବା ପରେ କସ୍ତୁରବା ମନ୍ଦିର ନିକଟକୁ ଗଲେ। ସିଂହଦ୍ବାର ସମ୍ମୁଖରେ ଛିଡ଼ା ହୋଇ ପତିତପାବନଙ୍କୁ ଦର୍ଶନ କରି ପ୍ରାଣମ କଲେ। ପୁଣି ନିରବରେ କିଛି ସମୟ ଆଖି ବନ୍ଦ କରି ପ୍ରାର୍ଥନା କଲେ। ହଠାତ କି ଆକର୍ଷଣ ଆସିଲା କେଜାଣି, କସ୍ତୁରବା ମନ୍ଦିର ଭିତରକୁ ପାଦ ବଢ଼ାଇବା ଆରମ୍ଭ କଲେ। ଏଣେ ମହାତ୍ମା ଗାନ୍ଧୀ ଶ୍ରୀମନ୍ଦିରକୁ ଯିବାକୁ ବାରଣ କରିଥିଲେ ହେଁ, ମହାପ୍ରଭୁଙ୍କୁ ଦର୍ଶନ କରିବାର ମୋହ ଯୋଗୁ ନିଜକୁ ଅଟକାଇପାରିନଥିଲେ କସ୍ତୁରବା।

କସ୍ତୁରବା ଶ୍ରୀମନ୍ଦିର ମଧ୍ୟକୁ ଆଗେଇବାରୁ ବୋହୂ ସୁଶୀଳା କହିଥ‌ିଲେ, ବା’ ଆପଣ ଏ କ’ଣ କରୁଛନ୍ତି? ହରିଜନଙ୍କୁ ମନ୍ଦିର ଯିବା ମନା ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ଯିବାକୁ ବାପୁଙ୍କର ବାରଣ ଅଛି ପରା। ଯଦିଓ କସ୍ତୁରବା ସୁଶୀଳାଙ୍କ କଥା ଶୁଣିଲେ, କିନ୍ତୁ ପଛକୁ ନ ଚାହିଁ କହିଲେ, ହଁ ଏ ସବୁ ମୁଁ ଜାଣେ। କିନ୍ତୁ ମୁଁ ଏଠାକୁ ଆଉଥରେ କେବେ ଆସି ପାରିବି କି ନାହିଁ ଜାଣିନି। ତେଣୁ ଆଜି ମୁଁ ଦର୍ଶନ କରି ଯିବି। ସତକୁ ସତ ସେବେଠୁ ଆଉ କେବେ ବି କସ୍ତୁରବା ପୁରୀ ଆସିନାହାନ୍ତି। ତେବେ ସେଦିନ ସିଂହଦ୍ବାର ସମ୍ମୁଖରେ ଛିଡ଼ା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ଅଭିଳାଷ ମନରେ ଆଣୁଥିବା ବେଳେ କସ୍ତୁରବା ଦ୍ବନ୍ଦ୍ବରେ ପଡ଼ି ଯାଇଥିଲେ। କସ୍ତୁରବାଙ୍କ ନାତି ଅରୁଣ ଗାନ୍ଧୀ କସ୍ତୁରବାଙ୍କ ଜୀବନରେ ଏ ସବୁ ଉଲ୍ଲେଖ କରିଛନ୍ତି। ୧୯୩୮ ମସିହାରେ ଗାନ୍ଧୀ ସମ୍ମିଳନୀକୁ ଗାନ୍ଧୀ ପରିବାର ସହ ପୁରୀ ଆସିଥିବା ଅରୁଣ ଗାନ୍ଧୀ ଥିଲେ ଏସବୁ ଘଟଣା ସାକ୍ଷୀ। ତେବେ ଏହା ପରେ ଯାହା ହେଲା ତାହା ଇତିହାସ ହୋଇଗଲା। ଏହି ଘଟଣା ପରେ ମହାତ୍ମା ଗାନ୍ଧୀ ଏହି ବେରବୋଇ ସମ୍ମିଳନୀରେ କ୍ଷୁବ୍ଧ ହୋଇ ଅନଶନ କରିଥିଲେ।

ସମ୍ବନ୍ଧିତ ଖବର