ଭୁବନେଶ୍ବର: ରବିବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ। ପ୍ରତିବର୍ଷ ମେ’୧ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ। ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସଭା ସମିତିରେ ଅନେକ ଶ୍ରମିକ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରାଯାଏ। ହେଲେ ପ୍ରକୃତରେ କେତେ କାର୍ଯ୍ୟକାରୀ ହୁଏ, ତା’ର ତଦାରଖ ହୋଇପାରେନାହିଁ। ଖୋଦ୍ ରାଜଧାନୀରେ ହଜାର ହଜାର ଶ୍ରମିକ ଆଜି ବହୁ ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି। ଅନିଶ୍ଚିତ ରୋଜଗାର ସାଙ୍ଗକୁ ମୌଳିକ ସୁବିଧା ପାଉନଥିବାରୁ ବହୁ ଶ୍ରମିକ ଆଜି ହନ୍ତସନ୍ତ ହେଉଛନ୍ତି। ନା ମୁଣ୍ଡ ଉପରେ ଛପର ଅଛି, ନା ଦିନକୁ ଦୁଇ ବେଳା ପେଟ ପୂରା ଖାଇବାକୁ ଅଛି।
ସେମାନଙ୍କ ପିଲା ଆଜି ବି ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ପାଉନାହାନ୍ତି। ରାଜଧାନୀରେ ବହୁ ପିଲା ବଡ଼ଲୋକଙ୍କ ଘରେ ଶିଶୁ ଶ୍ରମିକ ଭାବେ ପାଇଟି କରୁଛନ୍ତି। ବହୁ ପିଲା ରାଜରାସ୍ତାରେ ଜରି ଗୋଟାଉଥିବା ଚିତ୍ର ବି ଦେଖିବାକୁ ମିଳୁଛି। ସବୁଠୁ ବଡ଼ ଦୟନୀୟ ଅବସ୍ଥାରେ ଅଛନ୍ତି ଇଟାଭାଟି ଶ୍ରମିକ।
ଶ୍ରମ ଅଧିକାରୀ ପ୍ରଣବ ପାତ୍ରଙ୍କ ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସମୁଦାୟ ୨ ଲକ୍ଷ ୨୫ ହଜାର ଶ୍ରମିକଙ୍କୁ ଶ୍ରମ ପରିଚୟ ପତ୍ର ଦିଆଯାଇଛି। ତେବେ ସେଥିରେ ଭୁବନେଶ୍ବରରେ ଶ୍ରମ ପରିଚୟ ପତ୍ର ପାଇଥିବା ଶ୍ରମିକ ସଂଖ୍ୟା କେତେ, ତାହା ସ୍ପଷ୍ଟ ନୁହେଁ। ସେହିଭଳି ସେଥିମଧ୍ୟରୁ ବାହାର ଜିଲ୍ଲା କିମ୍ବା ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କ ତଥ୍ୟ ତାଙ୍କ ପାଖରେ ନାହିଁ ବୋଲି ସେ କହିଛନ୍ତି। ଶ୍ରମିକ ନେତା ପ୍ରଦୀପ ନାଏକଙ୍କ ଅନୁସାରେ ଭୁବନେଶ୍ବର ବାହାରୁ ରୋଜଗାର ପାଇଁ ରାଜଧାନୀ ଆସୁଥିବା ଅଧିକାଂଶ ଶ୍ରମିକ ବସ୍ତି ଅଞ୍ଚଳରେ ରହିଥାଆନ୍ତି। ରାଜଧାନୀରେ ବସ୍ତିରେ ରହୁଥିବା ଅଧିବାସୀଙ୍କ ସଂଖ୍ୟା ୩ ଲକ୍ଷ ହୋଇଥିବାରୁ ଏହି ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ବୋଲି ଅନୁମାନ କରାଯାଏ। ଏମାନେ ମୁଖ୍ୟତଃ ସାଲିଆସାହି, ପାତ୍ରପଡ଼ା, ତମାଣ୍ଡୋ, ସୁବାସନଗରବସ୍ତି, ପୁରୁଣା ଭୁବନେଶ୍ବର ସମେତ ରାଜଧାନୀର ଅନ୍ୟାନ୍ୟ ବସ୍ତିମାନଙ୍କରେ ମୁଣ୍ଡ ଗୁଞ୍ଜିଛନ୍ତି।
ତେଣୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ହିସାବକୁ ନେଲେ, ଏହା ସ୍ପଷ୍ଟ ହୁଏ ଯେ ରାଜଧାନୀର ବହୁ ଶ୍ରମିକ ପରିଚୟ ପତ୍ର ପାଇନାହାନ୍ତି। ଅର୍ଥାତ୍ ସେମାନଙ୍କ କଥା ସରକାରୀ ରେକର୍ଡରେ ନାହିଁ। ସୁବାସନଗର ବସ୍ତିର ବିଚିତ୍ର ପାତ୍ର କହନ୍ତି, ପେଟପାଟଣା ପାଇଁ ଗାଁ ଛାଡ଼ି ରାଜଧାନୀକୁ ଚାଲି ଆସିଥିଲେ ବି ଏଠାରେ ସବୁ ଦିନ କାମ ମିଳୁନାହିଁ। ମାସିକ ୧୫ରୁ ୨୦ ଦିନ କାମ ମିଳୁଛି। ବାକି ଦିନ ଘରେ ବସି ରହିବାକୁ ପଡ଼ୁଛି। ତେଣୁ ମାସିକ ରୋଜଗାରରେ ଚଳିବା କଷ୍ଟ ହୋଇପଡ଼ୁଛି। ଅନିଶ୍ଚିତ ରୋଜଗାର ପାଇଁ ବେଳେବେଳେ ପେଟକୁ କାଟି ପିଲାଛୁଆଙ୍କ ପାଇଁ ଅନ୍ୟାନ୍ୟ ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ମାସିକ ସର୍ବନିମ୍ନ ମଜୁରି ୨୬ ହଜାର ଟଙ୍କା ପାଇଁ ବିଭିନ୍ନ ଶ୍ରମିକ ସଙ୍ଗଠନ ଦାବି କରନ୍ତି।
କରୋନା କାଳରେ ଏମାନଙ୍କ ପାଇଁ ରାସନ୍ କାର୍ଡର ଆବଶ୍ୟକତାକୁ ଅନୁଭବ କରି ସରକାରଙ୍କ ପକ୍ଷରୁ ଓ୍ବାନ୍ ନେସନ୍ ଓ୍ବାନ୍ ରାସନ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା।
ମାତ୍ର ଏବେ ବି ଏହି ବ୍ୟବସ୍ଥା ପୂରା ଫଳପ୍ରଦ ହୋଇପାରିନାହିଁ। ବିତରଣ କେନ୍ଦ୍ରରେ ଚାଉଳ ବଳକା ହେଲେ ହିଁ ମାସ ଶେଷରେ ସେମାନଙ୍କୁ ମିଳୁଛି ବୋଲି ଶ୍ରମିକମାନେ ଅଭିଯୋଗ କରନ୍ତି। ଏଥିଯୋଗୁଁ ଚାଉଳ ପାଇଁ ପୂର୍ବରୁ ଯେମିତି ଦହଗଞ୍ଜ ହେଉଥିଲେ, ବର୍ତ୍ତମାନ ମଧ୍ୟ ସେହି ସ୍ଥିତି ରହିଛି। ସେହିଭଳି ଜମିପଟ୍ଟା ନଥିବାରୁ ଆବାସ ଯୋଜନାଠାରୁ ଆରମ୍ଭ କରି ସରକାରଙ୍କ ବହୁ ଯୋଜନାରୁ ଏମାନେ ବଞ୍ଚିତ ଅଛନ୍ତି। ସାମାଜିକ ସଙ୍ଗଠନ ଆଡ୍ ଆଟ୍ ଏକ୍ସନର ଉମି ଡାନିଏଲ୍ଙ୍କ ମତ ଅନୁସାରେ ବାଲିଅନ୍ତା, ବାଲିପାଟଣା ଅଞ୍ଚଳର ଇଟାଭାଟିରେ ପ୍ରାୟ ୫ ହଜାର ଶ୍ରମିକ ପରିବାର ଅଛନ୍ତି, ଯେଉଁମାନେ ବାହାରୁ ଆସିଛନ୍ତି। ବଡ଼ ସମସ୍ୟା ହେଲା ଏମାନଙ୍କ ସନ୍ତାନମାନେ ଆଇଡିସିଏସ୍ ଯୋଜନାର ଲାଭ ପାଉନାହାନ୍ତି।
ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳୁଥିବା ପୋଷଣଯୁକ୍ତ ଖାଦ୍ୟ ଇଟାଭାଟି ଶ୍ରମିକଙ୍କ ସନ୍ତାନଙ୍କୁ ମିଳୁନାହିଁ। ତେଣୁ ସେହି ଶିଶୁମାନେ ରକ୍ତହୀନତା ଓ ଅପପୁଷ୍ଟିର ଶିକାର ହେଉଛନ୍ତି। ଆଧାରକାର୍ଡ ନଥିବାରୁ ପ୍ରାୟ ୧୫୦ ପ୍ରବାସୀ ଶ୍ରମିକଙ୍କ ସନ୍ତାନ ପାଠପଢାରୁ ବଞ୍ଚିତ ହୋଇଛନ୍ତି। ଏହି ଶ୍ରମିକମାନେ ଏକ ହଜାର ଇଟା ଗଢ଼ିଲେ ମାତ୍ର ୪୦୦ ଟଙ୍କା ପାଉଛନ୍ତି। ତାହା ଉପଯୁକ୍ତ ମଜୁରି ନୁହେଁ ବୋଲି ଡାନିଏଲ୍ କହିଛନ୍ତି। ୬ ମାସିଆ କାମ ପାଇଁ ଆସୁଥିବାରୁ ଏମାନଙ୍କୁ ଅସ୍ଥାୟୀ ଭାବେ ରଖାଯାଏ। ଫଳରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏମାନେ ବଡ଼ କଦର୍ଯ୍ୟ ଭାବେ ରହନ୍ତି। ଏଥିପ୍ରତି ଶ୍ରମ ବିଭାଗ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି।