ଯାଜପୁରଟାଉନ/ସଦର : ଆଜି ତ୍ରିବେଣୀ ଅମାବାସ୍ୟା। ଏହି ତିଥିରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ଜନ୍ମୋତ୍ସବ ପାଳନ ହେବ। ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ କୋଭିଡ଼୍ କଟକଣା ଯୋଗୁଁ ସାଧାରଣ ଭକ୍ତ ମା’ଙ୍କ ଦର୍ଶନରୁ ବଞ୍ଚିତ ହେବେ। ମଧ୍ୟରାତ୍ର ୪.୩୦ ମିନିଟ୍ରେ ନିତ୍ୟସ୍ନାନ, ବେଶ କାର୍ଯ୍ୟ ସରିବା ପରେ ୭.୦୨ ମିନିଟ୍ ପରେ ଦେବୀଙ୍କୁ ସ୍ୱନକ୍ଷତ୍ର ବିହିତ ମହାସ୍ନାନ କରାଯିବ। ସ୍ନାନପରେ ଚନ୍ଦନ ବେଶ, ସାବିତ୍ରୀ ବେଶ ଓ ଅଳଙ୍କାର ବେଶ ଅନୁଷ୍ଠିତ ହେବ। ଏହି କାର୍ଯ୍ୟ ସରିବା ପରେ ସିଂହାସନ ଉପରେ ଷୋଡ଼ଶୋପଚାର ପୂଜାବିଧି ଆରମ୍ଭ କରାଯିବ। ସ୍ୱତନ୍ତ୍ର ନୀତି ଲାଗି କରାଯିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ। ଏହି ଯଜ୍ଞ ସରିବା ପରେ ପୂର୍ଣ୍ଣାହୁତି, ଆରତୀ ଓ ଘଟ ବିସର୍ଜନ କରାଯିବ।
କୋଭିଡ଼୍ କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶ ନିଷିଦ୍ଧ କରାଯାଇଥିବା ବେଳେ ମନ୍ଦିର ମଧ୍ୟରେ ସମସ୍ତ ରୀତିନୀତି କାର୍ଯ୍ୟ ପରମ୍ପରା ଅନୁଯାୟୀ ପାଳନ କରାଯିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିରରେ ଫୁଲ ସଜା, ଆଲୋକ ସଜା କରାଯାଇଛି। ବର୍ତ୍ତମାନ କୋଭିଡ଼୍ କଟକଣା ମଧ୍ୟରେ ଓଡ଼ିଶାର ଅନେକ ମନ୍ଦିର, ଏପରିକି ପୁରୀ ଶ୍ରୀମନ୍ଦିର ଖୋଲା ରହିଥିବା ବେଳେ ବିରଜା ମନ୍ଦିର ବନ୍ଦ ରହିବା ଭକ୍ତମହଲରେ ଅସନ୍ତୋଷ ସୃଷ୍ଟି କରିଛି।