ଭୁବନେଶ୍ବର:  ଜୟନ୍ତୀ ମଙ୍ଗଳାକାଳୀ ଭଦ୍ରକାଳୀ କପାଳିନୀ. ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ବାହା ସ୍ବଧା ନମସ୍ତୁତେ। ଓଁକାରର ପ୍ରଣବ ଧ୍ବନି, ପୁରୋହିତଙ୍କ ବେଦମନ୍ତ୍ର, ସପ୍ତସତୀ ଚଣ୍ଡୀପାଠର ଗହଗହ ନାଦରେ ପ୍ରକମ୍ପିତ ହେଉଛି ସମସ୍ତ ପୂଜାମଣ୍ଡପ। ସମଗ୍ର ପରିବେଶରେ ଛାଇ ଯାଇଛି ଆଧ୍ୟାତ୍ମିକାର ଭାବ। ଜଗଜ୍ଜନନୀ ମା’ ବିଶ୍ବରୂପାଙ୍କୁ  ସଂଦର୍ଶନ କରିବାର ଲାଳସାରେ ପ୍ରତି ପୂଜାମଣ୍ଡପରେ ପ୍ରବଳ ଭିଡ଼ ହେଖିବାକୁ ମିଳିଛି। ଆଜି ସକାଳୁ ମା’ଙ୍କ ମହାଷ୍ଟମୀ ପୂଜା ଆରମ୍ଭ ହେବା ପରେ ପ୍ରତି ପୂଜାମଣ୍ଡପରେ ହଜାର ହଜାର ଭକ୍ତ ରୁଣ୍ଡ ହୋଇ  ‘ଜୟ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କର ଜୟ’ ଗାନ କରିଛନ୍ତି। ତେବେ ଅପରାହ୍ଣରେ ବିଭିନ୍ନ ପୂଜାମଣ୍ଡପରେ ଗହଳି ବଢ଼ିଛି। ଏହି ଗହଳି ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା।

Advertisment

ଆସନ୍ତାକାଲି ବିଭିନ୍ନ ପୂଜାମଣ୍‌ହପରେ  ମା’ଙ୍କ ମହାନବମୀ ପୂଜା ଅନୁଷ୍ଠିତ ହେବ।
ରାଜଧାନୀରେ ଆରମ୍ଭ ହୋଇଯାଇଛି ଉତ୍ସବ।। ସହରରେ ବିଭିନ୍ନ ପୂଜାମଣ୍ଡପର ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗିନ ଆଷଲାକମାଳା  ଆଖି ଖୋସିଦେଉଛି। ନିଜ ପୂଜାମଣ୍‌ହପକୁ ଶ୍ରଦ୍ଧାଳୁଙ୍କ ଆକର୍ଷିତ କରିବା ପାଇଁ ପୂଜାକମିଟିଗୁଡ଼ିକ  କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି।ଆଜି ମହାଷ୍ଟମୀରେ ମା’ଙ୍କ ସହ ଏକାତ୍ମ  ହେବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଣ୍ଡପରେ ଶ୍ରଦ୍ଧାଳୁଙ୍କ  ଗହଳିଚହଳି ଲାଗି ରହିଥିଲା। ବିଶେଷ କରି ସହିଦନଗର, ରସୁଲଗଡ଼, ବରମୁଣ୍ଡା, ନୂଆପଲ୍ଲୀ, ଜନପଥ ଗିରିଦୁର୍ଗା ମନ୍ଦିର, ବଢ଼େଇବାଙ୍କ ଛକ, ବରମୁଣ୍ଡା ଗାଁ, ଡମଣା,  ଶିଶୁପାଳଗଡ଼ ଛକ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି, ନୀଳାଦ୍ରିବିହାର, ଡିଷ୍ଟ୍ରିକ୍ଟ ସେଣ୍ଟର୍‌, ପଳାଶୁଣି, ପଟିଆ, ଲକ୍ଷ୍ମୀସାଗର, ଝାରପଡ଼ାର ଦୁଇ ପୂଜାମଣ୍ଡପ, ଷ୍ଟେସନ୍‌ବଜାର ଆଦି ପୂଜାମଣ୍‌ହପରେ ଅଧିକ ଭିଡ଼ ହୋଇଛି।  ବିଶେଷକରି ଯେଉଁସବୁ ମଣ୍ଡପରେ ମା’ ସୁବର୍ଣ୍ଣମ ମୁକୁଟରେ ମଣ୍ଡିତ ହୋଇଛନ୍ତି, ସେହିସବୁ ମଣ୍ଡପରେ ଅଧିକ ଭିଡ଼ ହୋଇଛି ଓ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।   ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଚାଲିଛି।