ସସ୍ମିତା ସାହୁ
ଭୁବନେଶ୍ବର: ଧାନ ଚାଷ ପରେ ଦୁଗ୍ଧ ଚାଷ ରାଜ୍ୟର ଅର୍ଥନୀତି ଓ ରୋଜଗାର ପାଇଁ ସବୁଠାରୁ ବଡ଼ ସମ୍ଭାବନା। ହେଲେ ଦୁଗ୍ଧ ଚାଷରେ ବହୁ ପଛରେ ପଡ଼ିଯାଇଛି ଓଡ଼ିଶା। ବଳକା ତ’ ଦୂର କଥା, ଦୁଗ୍ଧ ଚାଷରେ ଏକ ଅଭାବୀ ରାଜ୍ୟରେ ପରିଣତ ହୋଇଛି। ରାଜ୍ୟରେ ପ୍ରତିଦିନ ୧୧୦ ଲକ୍ଷ ଲିଟର କ୍ଷୀରର ଆବଶ୍ୟକତା ଥିବା ବେଳେ ଉପଲବ୍ଧ ହେଉଛି ମାତ୍ର ୬୬ ଲକ୍ଷ ଲିଟର। ଅର୍ଥାତ୍ ରାଜ୍ୟରେ କ୍ଷୀର ଉତ୍ପାଦନରେ ପ୍ରତିଦିନ ୪୦%ରୁ ଅଧିକ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହେଉଛି। ଚାରଣ ଭୂଇଁ କମିଚାଲିବା, ଗୋଖାଦ୍ୟରେ ଅହେତୁକ ମୂଲ୍ୟ ବୃଦ୍ଧି, ଉନ୍ନତ ଦୁଧିଆଳୀ ଗାଈ ପ୍ରଜନନ ହୋଇ ନ ପାରିବା, ଗାଈମଇଁଷିଙ୍କ ପାଇଁ ଚିକିତ୍ସା ସୁବିଧାର ଅଭାବ, ଦୁଗ୍ଧଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ନ ମିଳିବା ଆଦି କାରଣରୁ ରାଜ୍ୟରେ ଦୁଗ୍ଧ ଚାଷ ଏକପ୍ରକାର ସଙ୍କଟ ଭିତରକୁ ଠେଲି ହୋଇଯାଇଛି।
୨୦୧୫-୧୬ରେ ଗାଈଗୋରୁଙ୍କୁ ଟିକାକରଣ ସମୟର ତଥ୍ୟରୁ ଯାହା ଜଣାପଡ଼ିଛି, ରାଜ୍ୟରେ ସମୁଦାୟ ୩୧ ଲକ୍ଷ ଗାଈ ଓ ମଇଁଷି ରହିଛନ୍ତି। ଯଦିଓ ଏବେ କୌଣସି ଗଣନା ହୋଇନାହିଁ, ଗୋମହିଷାଦି ସଂଖ୍ୟା ପାଖାପାଖି ସେଇୟା ରହିଥିବା ଅନୁମାନ କରାଯାଉଛି। ତେବେ ସେ ସମୟରେ ଦେଶୀ ଗାଈଙ୍କ ସଂଖ୍ୟା ୧୦ ଲକ୍ଷ ଥିବା ବେଳେ ଏବେ ଏହି ସଂଖ୍ୟା ୫ରୁ ୬ ଲକ୍ଷକୁ ଖସିଥିବା ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ କହିଛି। ଗାଈ, ମଇଁଷି ଚରିବା ପାଇଁ ଗ୍ରାମାଞ୍ଚଳରେ ଅଳ୍ପବହୁତ ଗୋଚର ଚାରଣ ଭୂଇଁ ରହିଥିବା ବେଳେ ସହରାଞ୍ଚଳରେ ବ୍ୟାପକ କଂକ୍ରିଟ୍କରଣ, ବର୍ଦ୍ଧିଷ୍ଣୁ ଇଟାଭାଟି, ନଈତୁଠରେ ବାଲିମାଫିଆଙ୍କ ଜବରଦଖଲ ଯୋଗୁଁ ଗୋଚର ଭୂଇଁ କ୍ରମଶଃ କମିବାରେ ଲାଗିଛି। ସେପଟେ ଗୋଖାଦ୍ୟର ମୂଲ୍ୟ ବୃଦ୍ଧି ଗୋପାଳନରେ ଅନ୍ତରାୟ ସୃଷ୍ଟି କରିଛି। ବଜାରରେ ୫୦ କେଜିର ଚୁନି, ଚୋକଡ଼ ବସ୍ତା ୯୫୦ ଟଙ୍କାରୁ ବଢ଼ି ୧୪୦୦ ଟଙ୍କା ଛୁଇଁଲାଣି। ନଡ଼ା ଦାମ ବି କିଛି କମ୍ ନୁହେଁ। ଭରଣ ୫୦୦ ଟଙ୍କାରୁ ବଢ଼ି ଏବେ ୧୫୦୦ ଟଙ୍କାରେ ପହଞ୍ଚିଛି। ତେବେ ଗୋଖାଦ୍ୟର ମୂଲ୍ୟ ବୃଦ୍ଧି ସତ୍ତ୍ବେ ସେହି ଅନୁସାରେ ଚାଷୀଙ୍କ ରୋଜଗାର ବଢ଼ି ପାରିନାହିଁ।
ଆବଶ୍ୟକ ୧୧୦ ଲକ୍ଷ ଲିଟର, ଉତ୍ପାଦନ ହେଉଛି ୬୬ ଲକ୍ଷ ଲିଟର
କମୁଛି ଚାରଣ ଭୂଇଁ, ନିୟନ୍ତ୍ରଣ ବାହାରେ ଗୋଖାଦ୍ୟ ମୂଲ୍ୟ
ଉନ୍ନତ ଦୁଧିଆଳୀ ଗାଈ ପ୍ରଜନନ, ଚିକିତ୍ସାସେବା ସ୍ବପ୍ନ
ରାଜ୍ୟରେ ଏବେ ପାଖାପାଖି ୧୫ ଲକ୍ଷ ଦୁଗ୍ଧ ଚାଷୀ ରହିଛନ୍ତି। କେବଳ ‘ଓମ୍ଫେଡ୍’ ସହ ୨ ଲକ୍ଷ ୭୮ ହଜାର ଦୁଗ୍ଧ ଚାଷୀ ଅନୁବନ୍ଧିତ ଥିବା ବେଳେ ପ୍ରତିଦିନ ‘ଓମ୍ଫେଡ୍’ ଏମାନଙ୍କଠାରୁ ୪ ଲକ୍ଷ ୩୦ ହଜାର ଲିଟର କ୍ଷୀର ସଂଗ୍ରହ କରୁଛି। ସେହିଭଳି ଘରୋଇ ସଂସ୍ଥା ‘ପ୍ରଗତି’ ୧ ଲକ୍ଷ ୨୦ ହଜାର ଲିଟର, ‘ମିଲ୍କ ମୁଁ’ ୧ ଲକ୍ଷ ଲିଟର, ‘ଓଡ଼ିଶା ଡାଏରି’ ୨୦ରୁ ୩୦ ହଜାର ଲିଟର, ଦକ୍ଷିଣ ଓଡ଼ିଶାର ‘ହେରିଟେଜ୍ ଡାଏରି’ ଓ ‘ବିଶାଖା ଡାଏରି’ ମିଳିତ ଭାବେ ୧ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରୁଛନ୍ତି। ଧାନ ଚାଷ ପରେ ଦୁଗ୍ଧ ଉତ୍ପାଦନରେ ଅଧିକ ଲୋକ ଜଡ଼ିତ ଅଛନ୍ତି। ତଥାପି ଚାଷୀଙ୍କ ଦୁର୍ଦ୍ଦଶା କମୁନି। କାରଣ ଚାଷୀ ଏବେ ବି ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ କରୁଛି।
ଅନ୍ୟପଟେ ରାଜ୍ୟରେ ଗାଈ, ମଇଁଷିଙ୍କ ପାଇଁ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ଉପଲବ୍ଧ ନାହିଁ। ଅଧିକ ପ୍ରାଣୀ ଡାକ୍ତର ମଧ୍ୟ ନିଯୁକ୍ତ ହେଉନାହାନ୍ତି। ମୋବାଇଲ୍ ଭେଟେନାରି ଆମ୍ବୁଲାନ୍ସ ସେବା ଏବେ ବି ସ୍ବପ୍ନ। ଉନ୍ନତ ଦୁଧିଆଳୀ ଗାଈ ଉତ୍ପତ୍ତି ବା ପ୍ରଜନନ ପାଇଁ ରାଜ୍ୟରେ ସେଭଳି କୌଣସି ବ୍ୟବସ୍ଥା ନାହିଁ। ୧୯୯୫ ମସିହାରେ ଫୁଲନଖରାରେ ଖୋଲିଥିବା ପ୍ରାଣୀ ରୋଗ ଗବେଷଣା କେନ୍ଦ୍ର (ଆନିମଲ୍ ଡିଜିଜ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍) ଏବେ କୋମାରେ। ଜାତୀୟସ୍ତରରେ ଦୁଧିଆଳୀ ଗାଈ ହାରାହାରି ୬.୨ ଲିଟର କ୍ଷୀର ଦେଉଥିବା ବେଳେ ଓଡ଼ିଶାରେ ଦୁଧିଆଳୀ ଗାଈ ମାତ୍ର ୪ ଲିଟର କ୍ଷୀର ଦେଉଥିବା ତଥ୍ୟ କହୁଛି। ଏହିସବୁ କାରଣରୁ ଗୋଚାଷୀମାନେ ଦୁଗ୍ଧଚାଷରୁ ମୁହଁ ଫେରାଉଛନ୍ତି। ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଅଧ୍ୟକ୍ଷ ରବି ବେହେରା କହିଛନ୍ତି, ରାଜ୍ୟରେ ମୋଟ୍ ୪୫୦୦ ଦୁଗ୍ଧ ସମବାୟ ସମିତି ରହିଥିବା ବେଳେ ସେଥିରୁ ଅଧିକାଂଶ ନିଷ୍କ୍ରିୟ। ୨ ହଜାରରୁ କମ୍ ସମିତି ଏବେ କାର୍ଯ୍ୟକ୍ଷମ ଥିବାବେଳେ ଚାଷୀଙ୍କୁ ଉଚିତ ମୂଲ୍ୟ ଦେଇ ଅବଶିଷ୍ଟ ସମିତିକୁ ସଚଳ କରିବାର ଆବଶ୍ୟକତା ରହିଛି। ଏଥିସହ ଗୋଖାଦ୍ୟ ମୂଲ୍ୟରେ ନିୟନ୍ତ୍ରଣ, ଚାରଣ କ୍ଷେତ୍ରକୁ ସୁନିଶ୍ଚିତ କରିବା, ଉନ୍ନତ ପ୍ରଜାତିର ଗୋମହିଷାଦିଙ୍କ ପ୍ରଜନନ, ପ୍ରାଣୀ ଚିକିତ୍ସା, ଗବେଷଣା ସୁବିଧା ଆଦି ବଢ଼ାଇବା ଦିଗରେ ପଦକ୍ଷେପ ନେଲେ ରାଜ୍ୟରେ ଦୁଗ୍ଧଚାଷ ରୋଜଗାରର ଏକ ବଡ଼ ମାଧ୍ୟମ ହୋଇପାରିବ ବୋଲି ସେ କହିଛନ୍ତି।