ପୁରୀ, (ସତ୍ୟନାରାୟଣ ରାଉତରାୟ): ପୁଅ ଘରୁ ତଡ଼ିଦେଲା, ହେଲେ ସେ ଭଲ। ମୋତେ ଆଣି ଆଶ୍ରମରେ ଛାଡ଼ିଦେଲା, ତା’ର ଭାରି ଅଭାବ ତ କ’ଣ ଆଉ କରିବ! ବୋଧହୁଏ, ପୁଅର ପ୍ରତିଟି ନିର୍ଯାତନାକୁ ବାଇଆଟା କହି ଏଡ଼ାଇ ଦେଉଥିବା ସେଇ ସର୍ବସଂହା ନାରୀର ନାଁ ହେଉଛି ମା’। ଏ ହେଉଛି ଛାତିରେ ଅସହ୍ୟ ଯନ୍ତ୍ରଣାକୁ ଚାପି ବୃଦ୍ଧାଶ୍ରମରେ ପୁଅ ପାଇଁ ଠାକୁରଙ୍କୁ ମନାସୁଥିବା ପ୍ରତିଟି ମା’ଙ୍କର ଅଭିବ୍ୟକ୍ତି। ସନ୍ତାନର ସବୁ ଭୁଲ ଯେମିତି କ୍ଷମଣୀୟ। ଆଶ୍ରମରେ ରହୁଛନ୍ତି ସିନା କିନ୍ତୁ ଏବେ ବି ନିଗିଡ଼ି ଆସୁଥିବା ଅଶ୍ରୁଧାର କହୁଛି, ପୁଅରେ ତୋ ପାଖକୁ ନେଇ ଯା’। ରବିବାର ମାତୃ ଦିବସ ଅବସରରେ ସାଉଁଟିଥିଲୁ ନିରାଶ୍ରିତ ଜୀବନ ଜିଉଁଥିବା ମା’ମାନଙ୍କର ଅନ୍ତର ବେଦନାକୁ।
ନୟାଗଡ଼ରେ ହୋମଗାର୍ଡ ଚାକିରି କରିଥିବା ବାସନ୍ତୀ ସାହୁ ଦିନେ ଥିଲେ ପରିବାରର ମଙ୍ଗ। ୩୫ ବର୍ଷ ତଳେ ସ୍ବାମୀ ହାତ ଛାଡ଼ିଦେଇଥିଲେ। ଭାବିଥିଲେ ୩ପୁଅ ତାଙ୍କୁ ବୃଦ୍ଧାବସ୍ଥାରେ ସାହାରା ହେବେ। ହେଲେ ମଝିଆଁ ପୁଅ ମାଡ଼ ମାରି ଗୋଡ଼ ଭାଙ୍ଗିଦେଲା। ସାନପୁଅ ସ୍ତ୍ରୀ କଥାରେ ମା’କୁ ଘରୁ ତଡ଼ିଦେଲା। ବଡ଼ ପୁଅବୋହୂ ସାହାରା ଦେଇଥିଲେ ବି ଶେଷରେ ହାତ ଛାଡ଼ିଦେବାରୁ ବାସନ୍ତୀ ଏବେ ଆଶ୍ରମରେ ଦିନ କାଟୁଛନ୍ତି। ହେଲେ ଏତେ ସରି ହେବା ପରେ ବି ସେ ନିଜ ପିଲାଙ୍କୁ ଦୋଷ ଦେବାକୁ ନାରାଜ। ଯେଉଁମାନଙ୍କ ପାଇଁ ସେ ତାଙ୍କ ଜୀବନଯାକର ରୋଜଗାର ସାରିଦେଲେ ଆଜି ସେମାନେ ତାଙ୍କୁ ପର କରିଦେଇଛନ୍ତି। କିଛି ଦିନ ହେଲା ସାନପୁଅ ଘରୁ ତଡ଼ି ଦେବା ପରେ ୬୩ ବର୍ଷୀୟା ବାସନ୍ତୀ ବୃଦ୍ଧାଶ୍ରମକୁ ସାହାରା କରିଛନ୍ତି। ସର୍ବୋଦୟନଗରସ୍ଥିତ ସହରାଞ୍ଚଳ ବାସହୀନ ଆଶ୍ରୟସ୍ଥଳୀ ତାଙ୍କ ଅନ୍ତିମ ଜୀବନର ଠିକଣା ପାଲଟିଯାଇଛି।
ସେହିଭଳି ଆଉ ଜଣେ ମା’ ହେଉଛନ୍ତି ବ୍ରହ୍ମପୁର ହିଞ୍ଜିଳିକାଟୁ ଧୁର୍ବନ୍ଧର ପ୍ରଭାସିନୀ ରାଉଳ। ବୟସ ୭୦ ଅତିକ୍ରମ କଲାଣି। ଭେଣ୍ଡିଆ ପୁଅ ସୁରତରେ କମ୍ପାନିରେ ଚାକିରି କରିଛି। ୧୦ ମାଣ ଜମି ଅଛି। କିନ୍ତୁ ଏବେ ତାଙ୍କ ଦୁର୍ଦ୍ଦିନରେ ସାହା ହୋଇଛି ବାସହୀନ ଆଶ୍ରୟସ୍ଥଳୀ। ସବୁକିଛି ଠିକ୍ ଚାଲିଥିଲା। କିନ୍ତୁ ସ୍ବାମୀ ଦେଢ଼ ବର୍ଷ ତଳେ ମୃତ୍ୟୁବରଣ କରିବାରୁ ତାଙ୍କ ଜୀବନରେ କଳାବାଦଲ ଘୋଟି ଆସିଥିଲା। ଘରେ ନିର୍ଯାତନା ଏତେ ଅସହ୍ୟ ହେଲା ଯେ ସେ ଘର ଛାଡ଼ି ପୁରୀ ଚାଲି ଆସିଥିଲେ। ରଥଯାତ୍ରାରେ ମହାପ୍ରଭୁଙ୍କ ନିକଟରେ କାନ୍ଦୁଥିବା ବେଳେ ତାଙ୍କୁ ପୁଲିସ ଉଦ୍ଧାର କରିଥିଲେ। ମାତ୍ର ଏତେ ଦିନ ହେଲାଣି ସେ ଆଶ୍ରମରେ ରହୁଥିଲେ ବି ପୁଅ ତାଙ୍କୁ ଫେରାଇ ନେବାକୁ ଉଦ୍ୟମ କରିନାହିଁ। ମାତ୍ର ପ୍ରଭାସିନୀ ପୁଅକୁ ଜପାମାଳି କରିଛନ୍ତି। ଯିଏ ପଚାରିଲେ କହୁଛନ୍ତି, ମୋ ପୁଅ ସୁନାମୁଣ୍ଡା। ତା’ର ଦୁଃଖ ଓ ଦାୟିତ୍ବ ଏତେ ଯେ ସେ ମୋ କଥା ବୋଧେ ପାସୋରି ଦେଇଛି। ଏଥିପାଇଁ ତାଙ୍କର ଅବସୋସ ସିନା ନାହିଁ, କିନ୍ତୁ ପୁଅ ପାଖକୁ ଫେରିଯିବାକୁ ଭାରି ଇଚ୍ଛା। କେବେ କେମିତି ଦେହ ଖରାପ ହେଲେ ପୁଅ କଥା ମନେ ପକାଇ କାନ୍ଦନ୍ତି। ରାତି ରାତି ଅନିଦ୍ରା ହୋଇ ତକିଆ ଲୁହରେ ଭିଜାନ୍ତି। ୩ଟି ଝିଅ ଅଛନ୍ତି, କିନ୍ତୁ ସେମାନଙ୍କ ଶାଶୂ ଘରେ ଯାଇ ଝିଅମାନଙ୍କ ସମ୍ମାନରେ ଆଞ୍ଚ ଆସିବାକୁ ଚାହାନ୍ତି ନାହିଁ ପ୍ରଭାସିନୀ। ପୁଅ ପୋଷୁ କି ନପୋଷୁ ଟିକେ ଦେଖିବାକୁ ତାଙ୍କର ବହୁତ ଇଚ୍ଛା।